ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମର ପ୍ରାୟ ୯ ବର୍ଷ ପରେ ମୁମ୍ବାଇରେ ଘଟିଲା ସମାନ ଅପରାଧ...

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମର ପ୍ରାୟ ୯ ବର୍ଷ ପରେ ମୁମ୍ବାଇରେ ସମାନ ଧରଣର ଅପରାଧ ଘଟିଛି। ଜଣେ ୩୪ ବର୍ଷର ମହିଳାଙ୍କୁ ଅଟୋ ଭିତରେ ଦୁଷ୍କର୍ମ କରି ଲୁହା ରଡରେ ନିର୍ଯାତନା ଭଳି ଜଘନ୍ୟ ଅପରାଧ ଘଟଣା ପୁଣି ସାମ୍ନାକୁ ଆସିଛି। ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ
ଘଟିଛି। ସେପଟେ ପୋଲିସ ଏ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ମାମଲାର ତଦନ୍ତ କରୁଛି। ନିର୍ଭୟା ଘଟଣାରେ ଦୋଷୀଙ୍କୁ ଫାଶି ଦଣ୍ଡ ପରେ ଆଉ ଏଭଳି ଜଘନ୍ୟ ଅପରାଧର ପୁନରାବୃତ୍ତି ହେବନି ବୋଲି ଆଶା କରାଯାଉଥିବା ବେଳେ ଖୋଦ୍ ଦେଶର ମାୟାନଗରୀ ମୁମ୍ବାଇରେ ଏ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି।
୨୦୧୨ ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଘଟଣା ଭଳି ଦେଶର ବାଣିଜ୍ୟକ ରାଜଧାନୀ ମୁମ୍ବାଇରେ ଘଟିଛି ଜଘନ୍ୟ ଅପରାଧ। ଶୁକ୍ରବାର ଭୋର୍ ପ୍ରାୟ ୩ଟା ୩୦ରେ ଏହି ଘଟଣା ଘଟିଛି। ହଠାତ୍ ପୋଲିସ କଣ୍ଟ୍ରୋଲ ରୁମକୁ କେହି ଜଣେ ଫୋନ୍ କରି, ସାକିନାକା ଥାନା ଖଇରାନି ରୋଡରେ ଜଣେ ମହିଳାଙ୍କୁ ଜଣେ ବ୍ୟକ୍ତି ପିଟୁଥିବାର ସୂଚନା ଦେଇଥିଲେ।
ପୋଲିସ୍ ଟିମ୍ ପହଞ୍ଚିବା ବେଳକୁ ଏକ ମାଲବାହୀ ଟେମ୍ପୋ ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ଜଣେ ମହିଳା। ପୋଲିସ ଟିମ୍ ତୁରନ୍ତ ସେହି ଅଟୋରେ ହିଁ ମହିଳାଙ୍କୁ ସ୍ଥାନୀୟ ରାଜାଓ୍ୱାଡ଼ି ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ।
ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ଯେଉଁ ସୂଚନା ଦେଲେ, ତାହା ଥିଲା ଅତି ଜଘନ୍ୟ । ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ନିର୍ଭୟା ଘଟଣା ଭଳି ଲୁହା ରଡରେ ନିର୍ଯାତନା ବି ଦିଆଯାଇଥିଲା। ଏପଟେ ମହିଳା ଜଣକ ଦୀର୍ଘ ୩୩ ଘଣ୍ଟା ଧରି ଜୀବନ ସହ ସଂଘର୍ଷ ପରେ ଆଖି ବୁଜି ଦେଇଥିଲେ। ଏ ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଦୋହଲି ଯାଇଛି ପୁରା ଦେଶ। ଦୋଷୀଙ୍କୁ ଧରି ତୁରନ୍ତ ଫାଶୀ ଦେବାକୁଜୋର ଧରିଛି ଦାବି।
ଏ ଘଟଣା ପରେ ମୁମ୍ବାଇ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା ନା ମୋହନ ଚୌହାନ। ପାରିପାର୍ଶ୍ୱିକ ସ୍ଥିତିରୁ ଘଟଣାର ଆଉ କିଛି ଲୋକ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଥିଲି ବି ପ୍ରାଥମିକ ତଦନ୍ତ ପରେ ମୋହନ ହିଁ ଜଣେମାତ୍ର ଅଭିଯୁକ୍ତ ବୋଲି ଅନୁମାନ କରାଯାଉଛି।
ମାମଲାର ତଦନ୍ତ ପାଇଁ ଦକ୍ଷ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ମୁମ୍ବାଇ ପୋଲିସ କମିଶନର। ମାମଲାରେ ଲିଡ୍ ପାଇବାକୁ କ୍ରାଇମବ୍ରାଞ୍ଚର ସହାୟତା ବି ନେଇଛି। ଘଟଣାସ୍ଥଳ ନିକଟରେ ଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ୍ କରାଯାଉଛି।
ସେପଟେ ଏ ଘଟଣାକୁ ଅତି ଲଜ୍ଜାଜନକ ଓ ନିନ୍ଦନୀୟ କହିବା ସହ ଦୋଷୀ ବିରୋଧରେ କଠୋରରୁ କଠୋର କାଯର୍ୟାନୁଷ୍ଠାନ ସହ ମାମଲାର ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ତେଣେ ମୁମ୍ବାଇର ଏ ଘଟଣା ଆଜିକୁ ପ୍ରାୟ ୧୦ ବର୍ଷ ତଳେ ଘଟିଥିବା ଦିଲ୍ଲୀ ନିର୍ଭୟା ମାମଲାକୁ ପୁଣି ତାଜା କରିଛି।
ସେତେବେଳେ ନିର୍ଭୟା ଘଟଣାକୁ ନେଇ ପୁରା ଦେଶ ଏକାଠି ହୋଇଥିବା ବେଳେ ଦେଖିବାକୁ ମିଳିଥିଲା ପ୍ରତିବାଦ ସ୍ୱର। ଘଟଣାର ୮ ବର୍ଷ ପରେ ୬ ଦୋଷୀଙ୍କ ମଧ୍ୟରୁ ଜଣେ ବାଳ ଅପରଧୀ ଛାଡ଼ ଏବଂ ଅନ୍ୟ ଜଣଙ୍କର ଜେଲରେ ମୃତ୍ୟୁ ପରେ ଆଉ ୪ ଜଣଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ତେବେ ମୁମ୍ବାଇ ଘଟଣାରେ ଦୋଷୀକୁ କେବେ ସଜ୍ଜା ମିଳୁଛି, ତାକୁ ଅପେକ୍ଷା।