କେମିତି ଓ କିପରି ମାଲେମାଲ ହେଉଛନ୍ତି ମାମୁଲି ଦରମା ପାଉଥିବା ଅଙ୍ଗନବାଡ଼ି ଦିଦି? ଗସିପ୍ ସ୍ପେଶାଲ

ନିକଟରେ ଭୁବନେଶ୍ୱର କୋରଡକଣ୍ଟାରେ ଥିବା କବିତାଙ୍କ ଦୁଇ ମହଲା ବିଶିଷ୍ଟ ଘର, ଝାରପଡାରେ ଥିବା ଏକ ଚାରି ମହଲା ଘର ସାଙ୍ଗକୁ ଏକ ତିନିମହଲା ଘର ଓ ଦୁଇଟି ଦୁଇମହଲା ଘର ଠାବ ହୋଇଛି । କବିତାଙ୍କ ମୋଟ ୧୪ଟି ପ୍ଲଟ୍ ଠାବ ହୋଇଛି । ସେଥିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ୍ ରହିଛି।
କବିତାଙ୍କ ମାଲିକାନାରେ ଗୋଟିଏ କାର୍ ସାଙ୍ଗକୁ ତିନିଟି ବାଇକ୍, ଦୁଇ ଲକ୍ଷ ଟଙ୍କାରୁ ଅଧିକର ଇନସ୍ୟୁରାନ୍ସ ଜମା, ୬ ଲକ୍ଷ ୩୬ ହଜାର ଟଙ୍କାର ସୁନା ଗହଣା ସାଙ୍ଗକୁ ବହୁ ମୂଲ୍ୟବାନ ଆସବାବପତ୍ର ଠାବ କରିଛି ଭିଜିଲାନ୍ସ ବିଭାଗ ।
କବିତା ମଥାନଙ୍କ ଦରମା ମାସକୁ ସାଢେ ସାତ ହଜାର ଟଙ୍କା । ସେ ନିଜ ଚାକିରି ଟଙ୍କାରେ ଏତେ ସମ୍ପତ୍ତି ହାସଲ କରିନାହାନ୍ତି ବୋଲି କହିଥିଲେ । ସେ ନିଜ ସ୍ୱାମୀଙ୍କ ରୋଜଗାରରେ ଏ ସବୁ ସମ୍ପତ୍ତି କରିଛନ୍ତି ବୋଲି କହିଥିଲେ।
‘‘ମୁଁ କୌଣସି ଦୁର୍ନୀତିରେ ଲିପ୍ତ ନାହିଁ । କେହି ଚକ୍ରାନ୍ତ କରି ମୋ’ ବିରୁଦ୍ଧରେ ଅଭିଯୋଗ କରି ମୋତେ ଫସାଇବାକୁ ଚାହୁଁଛି,’’ କହିଥିଲେ ଆଙ୍ଗନବାଡି଼ କର୍ମୀ କବିତା ମଥାନ । ହେଲେ ସେ କେମିତି ଚାରି କୋଟି ଟଙ୍କାର ସମ୍ପତ୍ତି ହାସଲ କଲେ ତାହା ବୁଝାଇପାରି ନ ଥିବାରୁ ତାଙ୍କୁ ସେପ୍ଟେମ୍ବର ୧୫ ତାରିଖରେ ଗିରଫ କରାଯାଇଥିଲା ।
କବିତାଙ୍କ ନା’ରେ ପୂର୍ବରୁ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରୁଥିବା ଅଭିଯୋଗ ଆସିଥିଲା । ବିଶେଷ କରି କୁନି କୁନି ପିଲାମାନଙ୍କ ପାଇଁ ସରକାରଙ୍କ ତରଫରୁ ଆସୁଥିବା ଅଣ୍ଡା ଓ ଛତୁଆ ଆଦିକୁ ସେ ହେରଫେର କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା ।
କୋର୍ଟଙ୍କ ଠାରୁ ଅନୁମତି ଆଣି ଭିଜିଲାନ୍ସ ବିଭାଗ କବିତା ମଥାନଙ୍କ ଘରେ ରେଡ଼ କରିଥିଲା ।