ମନୀଷଙ୍କ ମୃତ୍ୟୁ ଘଟଣାର ଖୁଲାସା କଲା ପୋଲିସ: କେମିତି ହୋଇଥିଲା ମୃତ୍ୟୁ ବଖାଣିଲେ ଡିସିପି

ଓଡ଼ିଆ ଗସିପ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଖୁଲାସା କରିଛି କମିସନରେଟ ପୋଲିସ । କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଏନେଇ ଡିସିପି ଉମାଶଙ୍କର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସାଙ୍ଗ ସାଜିଥିଲେ ସଇତାନ । ସାଙ୍ଗମାନେ ହିଁ ମନୀଷଙ୍କୁ ହତ୍ୟା କରିଥିଲେ।
ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ୪ ବନ୍ଧୁ ବିଳମ୍ବିତ ରାତିରେ ପାତ୍ରପଡ଼ା ସ୍ଥିତ ହୋଟେଲ ସାଉଥ ସିଟିକୁ ଯାଇଥିଲେ । ସେଠାରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷଙ୍କର ପାଟିତୁଣ୍ଡ ହୋଇଥିଲା ।
ପରେ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ତାଙ୍କ ସାଙ୍ଗରେ ଯାଇଥିବା ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ଠେଲାପେଲା ବେଳେ ମାଡ଼ ମରାରୁ ମନୀଷଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଏହି ୩ ଜଣ ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଥିଲେ ବୋଲି ଭୁବନେଶ୍ୱର ଡସିପି ସୂଚନା ଦେଇଛନ୍ତି ।
ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣିବାକୁ କୋର୍ଟରେ ଆବେଦନ କରିଛୁ । ଘଟଣା ପରେ ୨ ଅଭିଯୁକ୍ତ ରାଜଧାନୀର ଏକ ହୋଟେଲରେ ସେ ଦିନ ରହିଥିଲେ । ତେଣୁ ଏହି ମାମଲାରେ ଆଉ କାହାର ସମ୍ପୃକ୍ତ ରହିଛି ସେ ଦିଗକୁ ନେଇ ତଦନ୍ତ କରାଯାଉଛି । ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଲତାଡ କରାଯିବ ବୋଲି ଡିସିପି କହିଛନ୍ତି।
ଅନ୍ୟପଟେ ମନୀଷଙ୍କ ମୃତଦେହ ପୋଖରୀରେ ଫିଙ୍ଗିବା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଜଣକ ମନୀଷଙ୍କ ସାଙ୍ଗମାନଙ୍କୁ ଓଦା ଅବସ୍ଥାରେ ଦେଖିଥିଲେ ବୋଲି ଡିସିପି କହିଛନ୍ତି । ଘଟଣାରେ ବ୍ୟବହୃତ କାରକୁ ପୁଲିସ ଜବତ କରିଛି । ସେନେଇ ମଧ୍ୟ ତଦନ୍ତ ଚାଲିଥିବା ଡିସିପି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସସ୍ପେନ୍ସ ଲାଗି ରହିଥିଲା । ପ୍ରଥମେ ଅପହରଣ ପରେ ପରେ ହୋଟେଲ୍ ବିଲ୍କୁ ନେଇ ବଚସା ଆଦି ଦିଗ ସାମ୍ନାକୁ ଆସିଥିଲା । ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ଜେରା କରୁଥିଲା ପୁଲିସ ।