କଲେଜରୁ ଫେରୁଥିଲେ ଯୁବତୀ; ବାଟରେ ଧାନକଟା ଦା ଧରି ଛକି ବସିଥିବା ଯୁବକ କଲା କିଛି ଏମିତି...

ଓଡ଼ିଆ ଗସିପ୍ ବ୍ୟୁରୋ: କଲେଜରୁ ଘରକୁ ଫେରୁଥିଲେ ଜଣେ ଛାତ୍ରୀ । ଟାଙ୍ଗରକର୍ଲେରୁ ପୂଜାଡୁଙ୍ଗୁରି ରାସ୍ତାରେ ଜଣେ ଯୁବକ ତାଙ୍କୁ ଅସଦାଚରଣ କରିବା ସହ ଧାନକଟା ଦାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ସୋନପୁର ପୁଲିସ୍ ରାଉରକେଲାରୁ ଗିରଫ କରି କୋର୍ଟଚଲାଣ କରିଛି ।
ସୂଚନାଥାଉ କି, ପୀଡ଼ିତା ଛାତ୍ରୀଙ୍କ ମାମୁ ଏହି ଘଟଣାରେ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରାମପୁର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ଘଟଣା ଘଟିଥିବା ସ୍ଥାନରୁ ଏକ ସାଇକଲକୁ ଜବତ କରିଥିଲା । ତେବେ ସାଇକଲଟି ଟାଙ୍ଗରକର୍ଲେ ନିବାସୀ ରାଜେଶ ଭୁଏ (୨୫ ବର୍ଷ)ର ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରିଥିଲେ ।
ପରେ ପରେ ମାମଲାର ତଦନ୍ତରେ ବିଳମ୍ବ ହେଉଥିବା ଅଭିଯୋଗ କରି ଡୁଙ୍ଗୁରିପାଲି ବ୍ଲକ୍ ଏସ.ସି କଲ୍ଯାଣ ସଂଘ ଏବଂ ସୁବର୍ଣ୍ଣପୁର ଆଦିବାସୀ କଲ୍ଯାଣ ସଂଘ ବିରୋଧ କରିଥିଲେ । ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁବର୍ଣ୍ଣପୁର ଏସ୍ପିଙ୍କୁ ଦାବି କରିଥିଲେ । ଦୋଷୀକୁ ଶୀଘ୍ର ଗିରଫ କରାନଗଲେ ଆନ୍ଦୋଳନ ଜୋରଦାର ହେବବୋଲି ଧମକ ଦେଇଥିଲେ ।
ବିଭିନ୍ନ ମହଲରୁ ଚାପ ହେବାପରେ ସୁବର୍ଣ୍ଣପୁର ଏସ୍ପି ଏକ ଟିମ୍ ଗଠନ କରି ତଦନ୍ତ ଜୋରଦାର କରିଥିଲେ । ତେବେ ଫେରାର ଯୁବକ ରାଉରକେଲାରେ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ଏସ୍ପିଙ୍କ ନିର୍ଦେଶକ୍ରମେ ଉକ୍ତ ଟିମ୍ ରାଉରକେଲା ଯାଇ ସ୍ଥାନୀୟ ପୁଲିସ୍ ସହାୟତାରେ ଅଭିଯୁକ୍ତ ଯୁବକକୁ ଗିରଫ କରି ରାମପୁର ଥାନାକୁ ଆଣିଥିଲା ।
ଗିରଫ ହେବା ପରେ ଅଭିଯୁକ୍ତ ଯୁବକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ପ୍ରାଣାନ୍ତକ ଆକ୍ରମଣ କରିଛି ବୋଲି ସ୍ବୀକାର କରିଛି । ଏନେଇ ପୁଲିସ ତରଫରୁ ସୂଚନା ମିଳିଛି । ଏଟ୍ରୋସିଟିସ୍ ଆକ୍ଟରେ ମାମଲା ରୁଜୁ ହୋଇଛି । ଡିଏସ୍ପି ହେମସାଗର ନନ୍ଦ କେସ୍ର ଦାୟିତ୍ବ ନେଇଛି । ପୁଲିସ୍ ଅଭିଯୁକ୍ତ ଯୁବକକୁ ଘଟଣାସ୍ଥଳକୁ ନେଇ ନିକଟସ୍ଥ କେନାଲ ନିକଟରୁ ଆକ୍ରମଣରେ ବ୍ୟବହୃତ ହୋଇଥିବା ଦା ଜବତ କରିଛି । ଡିଏସପି ଶ୍ରୀ ନନ୍ଦ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାର ବୟାନ ରେର୍କଡ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।