ଭାରି ବଦମାସୀ ଥିଲେ ବିରଞ୍ଚି ବାବୁ: ଆଶାୟୀଙ୍କଠୁ ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଧରା ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ବିରଞ୍ଚି ନାରାୟଣ ସାହୁ ଚାକିରି କରାଇ ଦେବେ କହି ଆବେଦନକାରୀଙ୍କଠାରୁ ବିପୁଳ ଟଙ୍କା ଆଦାୟ କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। କିନ୍ତୁ ସେ କେମିତି ଆଦାୟ କରୁଥିଲେ ତାହାର ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ଭିଜିଲାନ୍ସ।
ଏହା ତାଙ୍କ ବେଆଇନ ଅର୍ଥ ଆଦାୟର ଏକମାତ୍ର ଉତ୍ସ ଥିଲା ନା ଆଉ କିଛି ଅଛି; ତାହାକୁ ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି। ଦୀର୍ଘ ବର୍ଷ ଧରି ଓଏସ୍ଏସ୍ସିରେ ବିଭିନ୍ନ ପଦରେ ଚାକିରି କରୁଥିବା ଧୂର୍ତ୍ତ ବିରଞ୍ଚି ଚାକିରି ଆଶାୟୀଙ୍କ ରେଜଲ୍ଟ ତାଲିକା ସଂଗ୍ରହ କରି ଜାଲ ବିଛାଉଥିଲେ ଏବଂ ସେମାନଙ୍କ ମନରେ ବିଶ୍ବାସ ଜନ୍ମାଇ ଟଙ୍କା ଆଦାୟ କରୁଥିଲେ ବୋଲି କୁହାଯାଉଛି।
୧୯୯୭-୯୮ରେ ସବ୍ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିଥିବା ଜଣେ ଯୁବକ ବିରଞ୍ଚିଙ୍କ ଟଙ୍କା ଆଦାୟର ଚାଲ୍ ସଂପର୍କରେ ଗଣମାଧ୍ୟମରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ସେ ବର୍ଷ ପ୍ରାୟ ୮୦ ହଜାର ପିଲା ସବ୍ଇନ୍ସପେକ୍ଟର ଚାକିରି ପାଇଁ ଆବେଦନ କରିଥାନ୍ତି। ଯେଉଁ ପରୀକ୍ଷାର୍ଥ ପାସ୍ ହେଉଥିଲେ, ରେଜଲ୍ଟ ବାହାରିବା ପୂର୍ବରୁ ବିରଞ୍ଚିଙ୍କ ପାଖରେ ସେମାନଙ୍କ ତାଲିକା ପହଞ୍ଚି ଯାଉଥାଏ।
ଆଉ ସେମାନଙ୍କୁ ଯୋଗାଯୋଗ କରି ବିରଞ୍ଚି ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ ଏବଂ ଆବେଦନକାରୀଙ୍କଠାରୁ ୫୦ରୁ ୬୦ ହଜାର ଟଙ୍କା ନେଉଥିଲେ। ଯୋଗ୍ୟତା ଆଧାରରେ ପିଲା ଚାକିରି ପାଉଥିଲେ ମଧ୍ୟ ଅଧ୍ୟକ୍ଷ, ସଦସ୍ୟଙ୍କୁ ଧରାଧରି କରି ସେ ଚାକିରି କରାଉଥିବା କହୁଥିଲେ। ଏହାଛଡ଼ା ଟଙ୍କା ଦେବା ପରେ ଯେଉଁମାନଙ୍କୁ ଚାକିରି ମିଳୁ ନ ଥିଲା ସେମାନଙ୍କୁ ବହୁତ ଚେଷ୍ଟା ସତ୍ତ୍ବେ ହୋଇପାରିଲା ନାହିଁ ବୋଲି ବୁଝାଇ ଦେଉଥିଲେ ଏବଂ ଅଧା ଟଙ୍କା ଖର୍ଚ୍ଚ ହୋଇଯାଇଛି କହି ଅଧା ଟଙ୍କା ଫେରାଇ ଦେଉଥିଲେ।
ତେବେ ଏହି ଯୁବକଙ୍କ ଏଭଳି ବୟାନ କେତେ ସତ ତାହା ଜଣାପଡ଼ି ନାହିଁ। ଭିଜିଲାନ୍ସ ବିରଞ୍ଚିଙ୍କ ଟଙ୍କା ଆଦାୟର ଉତ୍ସ ବିଷୟରେ ଖୋଳତାଡ଼ କରୁଥିବାରୁ କେହି ଚାକିରି ଆବେଦନକାରୀ ଏ ନେଇ ସିଧାସଳଖ ଅଭିଯୋଗ କଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି କୁହାଯାଉଛି।
ତେବେ ଯେଉଁ ବାଟରେ ସେ ଟଙ୍କା ଆଦାୟ କରନ୍ତୁ ନା କାହିଁକି; ଦୀର୍ଘ ବର୍ଷ ଧରି ଷ୍ଟାଫ୍ ସିଲେକ୍ସନ୍ କମିସନରେ ଚାକିରି କରିଥିବା ବିରଞ୍ଚି ଏଭଳି କଳାଟଙ୍କା ଠୁଳ କରିବାରେ ନିପୁଣ ବୋଲି ଭିଜିଲାନ୍ସ ଅନୁମାନ କରୁଛି। ସାଧାରଣ ତୃତୀୟ ଶ୍ରେଣୀ କର୍ମଚାରୀ ହୋଇ ମଧ୍ୟ ବିରଞ୍ଚି ପାଖକୁ କେମିତି ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଆସୁଥିଲା, ବଡ଼ ଅଫିସର ବିରଞ୍ଚିଙ୍କ ଜରିଆରେ ଏହି କାମ କରୁଥିଲେ କି, ଯାହା ଏବେ ତଦନ୍ତସାପେକ୍ଷ। ଅନ୍ୟପକ୍ଷରେ ବିରଞ୍ଚି ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭିଜିଲାନ୍ସ ଘଟଣାର ତଦନ୍ତ କରୁଛି। ତଦନ୍ତରୁ ଯାହା ଜଣାପଡ଼ିବ।