ଆତଙ୍କରାଜ ଚଳାଇ ଆର୍ଯ୍ୟସମାଜ ସମ୍ପତ୍ତି ହଡ଼ପ ପାଇଁ ମସୁଧା: ୧୫ ଜଣଙ୍କ ନାମରେ ଏତଲା, ମୁଖ୍ୟ ଅଭିଯୁକ୍ତ ସୁଦର୍ଶନ ଓ ବିକାଶ ଫେରାର

bikash and sudarsan are creating terrorism in arya samaj property

ଭୁବନେଶ୍ୱର (ଓଡ଼ିଆ ଗସିପ ବ୍ୟୁରୋ): ଭୁବନେଶ୍ବର ଆର୍ଯ୍ୟ ସମାଜକୁ ଏକ ବ୍ୟବସାୟୀ ଗୋଷ୍ଠୀ କବଳରୁ ଉଦ୍ଧାର କରି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି । ଗତ କିଛିଦିନ ଧରି ଆର୍ଯ୍ୟ ସମାଜର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାର ସୁଯୋଗ ନେଇ ବିକାଶ ପଣ୍ଡା ନାମକ ଜଣେ ବ୍ୟକ୍ତି ଓ ନୂଆପଡ଼ାରେ ଗୁରୁକୁଳ ଆଶ୍ରମ କରି ବିବାଦୀୟ ହୋଇଥବା ସୁଦର୍ଶନ ପାତ୍ର ଓରଫ ସୁଦର୍ଶନ ଦେବ ନିଜର କିଛି ବେପାରୀ ଗୋଷ୍ଠୀଙ୍କ ସହାୟତାରେ ଆର୍ଯ୍ୟ ସମାଜକୁ ଏକ ବ୍ୟବସାୟ କେନ୍ଦ୍ରରେ ପରିଣତ କରିବାକୁ ମସୁଧା ଚଳାଇଥିବା ଜଣାପଡ଼ିଛି । ବେଆଇନ ଭାବରେ ଆର୍ଯ୍ୟସମାଜ ନାମରେ ବିନା ରସିଦରେ ଲୋକଙ୍କ ଠାରୁ ବ୍ୟାପକ ଅର୍ଥ ଆଦାୟ କରା ଯାଇଥିବା ଜଣା ପଡ଼ିଛି । 

ସଭାପତି ଇଂ ଦାସ ଓ ସମ୍ପାଦକ ବୀରେନ୍ଦ୍ର କରଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ, ମହିଳା ସଦସ୍ୟ ଗତ ୮ ତାରିଖ ଦିନ ଶିବରାତ୍ରୀ ଅବସରରେ ଆର୍ଯ୍ୟସମାଜ ପରିସରରେ ଥିବା ଯଜ୍ଞ ମଣ୍ଡପରେ ଋଷିବୋଧତ୍ସବ ପାଳନ କରୁଥିବା ବେଳେ ସୁଦର୍ଶନ ଓ ବିକାଶ ପଣ୍ଡାଙ୍କ ନେତୃତ୍ବରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଅସାମାଜିକ ବ୍ୟକ୍ତି ମୁଖ୍ୟ ଫାଟକର ତାଲା ଭାଙ୍ଗି ଆର୍ଯ୍ୟସମାଜ ପରିସରରେ ପ୍ରବେଶ କରିଥିଲେ । ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କର ମୋବାଇଲ ଛଡ଼ାଇ ନେଇଥିଲେ ।

ସେମାନେ ସମ୍ପାଦକ ବୀରେନ୍ଦ୍ର କର, ସହ ସମ୍ପାଦକ ସୁନୀଲ ଦେ, ବ୍ୟବସ୍ଥାପକ ଅବଧୁତ ଆର୍ଯ୍ୟ ଓ ତାଙ୍କ ପତ୍ନୀ ରେଖାଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲେ । ଦୀର୍ଘ ସମୟ ଧରି ଆତଙ୍କରାଜ ସୃଷ୍ଟି କରିବା ପରେ ଖବର ପାଇ ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିଥିଲେ । ଗଣ୍ଡଗୋଳକାରୀଙ୍କୁ ଆର୍ଯ୍ୟ ସମାଜ ପରିସରରୁ ହଟାଇ ପୋଲିସ ଫାଟକରେ ତାଲା ପକାଇ ଦେଇଛନ୍ତି ।

ସମ୍ପାଦକ ବୀରେନ୍ଦ୍ର କର, ସୁନୀଲ ଦେ, କାନନବାଳା ମହାନ୍ତି, ଅବଧୁତ ଆର୍ଯ୍ୟଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ପୃଥକ ପୃଥକ ଏତଲାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବିକାଶ ପଣ୍ଡା, ସୁଦର୍ଶନ ପାତ୍ର, ଅଭିଷେକ ଗୁପ୍ତା, ସୁବ୍ରତ୍ର କୁମାର ସାମଲ, ପ୍ରଶାନ୍ତ କୁମାର ଦାଶ, ସୌଦାମିନୀ ପଣ୍ଡା ଆଦି ୧୫ ଜଣଙ୍କ ନାମରେ ପୁଲିସରେ ଅଭିଯୋଗ ରହିଛି । ମୁଖ୍ୟ ଅଭିଯୁକ୍ତ ସୁଦର୍ଶନ ଓ ବିକାଶ ପଣ୍ଡାଙ୍କୁ ପୁଲିସ ଖୋଜୁଥିଲେ ମଧ୍ଯ ସେମାନେ ଫେରାର ଥିବା ପୁଲିସ କହିଛି ।

ଏ ସମ୍ପର୍କରେ ସଭାପତି ଇଂ ପ୍ରିୟବ୍ରତ ଦାସ ଓ ସମ୍ପାଦକ ଶ୍ରୀ ବୀରେନ୍ଦ୍ର କର କହିଛନ୍ତି ଯେ, ବିକାଶ ପଣ୍ଡା ବହୁ ପୂର୍ବରୁ ସମ୍ପାଦକ ପଦରୁ ଇସ୍ତଫା ଦେଇ ସାରିଥିବା ବେଳେ ସୁଦର୍ଶନଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ବହିଷ୍କାର କରାଯାଇ ସାରିଛି । କିନ୍ତୁ ଏମାନେ ଆର୍ଯ୍ୟ ସମାଜକୁ କବଜା କରିବାକୁ ନିଜର କିଛି ଭଡ଼ାଟିଆ ସମର୍ଥକଙ୍କ ସହାୟତାରେ ଉଦ୍ୟମ କରି ସଫଳ ନ ହେବାରୁ ଆର୍ଯ୍ୟସମାଜ ଓ ଏହାର ପ୍ରତିଷ୍ଠାତାଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି । ଦୁର୍ବୃତ୍ତମାନେ ଆର୍ଯ୍ୟ ସମାଜ କାର୍ଯ୍ୟାଳୟ ପ୍ରକୋଷ୍ଠର ତାଲା ଭାଙ୍ଗି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଫାଇଲ ଓ ନଥିପତ୍ର ଚୋରି କରି ନେଇଛନ୍ତି । ଏ ସମ୍ପର୍କରେ ପୋଲିସରେ ଲିଖିତ ଅଭିଯୋଗ କରାଯାଇଛି ।

Share this story