ଜାଣିବା ଜରୁରୀ: ଆଣ୍ଠୁ ଯନ୍ତ୍ରଣା ହେଉଛି କି? ଜାଣନ୍ତୁ କ’ଣ କରିବେ ଓ କରିବେ ନାହିଁ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଣ୍ଠୁ ଯନ୍ତ୍ରଣା ଥରେ ଆରମ୍ଭ ହେଲେ ଶୀଘ୍ର ଭଲ ହୋଇନଥାଏ । ଅନେକଙ୍କ କ୍ଷେତ୍ରରେ ଯନ୍ତ୍ରଣା ବଢ଼ିଲେ ଔଷଧ ବି କାମ କରେ ନାହିଁ । ଯନ୍ତ୍ରଣା ଅସହ୍ୟ ହେଲେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଏ । କିନ୍ତୁ ଉଚିତ ଖାଦ୍ୟ ଗ୍ରହଣ, ମାଲିସ୍ ଓ ଯୋଗାଭ୍ୟାସ ଆଣ୍ଠୁ ରୋଗୀଙ୍କୁ ଆରାମ ଦେଇଥାଏ ।
କାରଣ:-
ଅଧିକ ଚାଲିବା, ସିଢ଼ି ଚଢ଼ିବା, ଅଧିକ ସମୟ ଧରି ବୁଲିବା କିମ୍ୱା ଦୌଡ଼ିବା, ଭାରି ଜିନିଷ ଉଠାଇବା, ଭୁଲ ବ୍ୟାୟାମ କରିବା ଓ ଶରୀରର ଓଜନ ବଢ଼ିବା ଦ୍ୱାରା ଆଣ୍ଠୁ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିବା ଭଳି କାର୍ଯ୍ୟ ଗୁଡ଼ିକ ଅଧିକମାତ୍ରାରେ କଲେ ଆଣ୍ଠୁ ଜଏଣ୍ଟରେ ଥିବା କାଟିର୍ଲେଜ୍ କ୍ଷୟ ହୋଇଥାଏ । ଫଳରେ ହାଡ଼ଗୁଡ଼ିକ ପରସ୍ପର ସହିତ ଲାଗି ଯାଆନ୍ତି ଅବା ଅଙ୍କାବଙ୍କା ହୋଇଯାଆନ୍ତି ଏବଂ ଆଣ୍ଠୁରେ ଯନ୍ତ୍ରଣା ହୁଏ ।
ଅଚାନକ ଝଟକା ଲାଗିଲେ ଅବା ମୋଡ଼ି ହୋଇଗଲେ ଆଣ୍ଠୁରେ ଯନ୍ତ୍ରଣା ହୁଏ । ସେହିଭଳି କୌଣସି କାରଣରୁ ଲିଗାମେଟ୍ରେ ଆଘାତ ଲାଗିଲେ ମଧ୍ୟ ଆଣ୍ଠୁରେ ଯନ୍ତ୍ରଣା ହୁଏ । ଇନ୍ଫେକ୍ସନ୍ ଓ ୟୁରିକ୍ ଏସିଡ୍ର ମାତ୍ରା ଅଧିକ ହୋଇଗଲେ ମଧ୍ୟ ଆଣ୍ଠୁରେ ଯନ୍ତ୍ରଣା ହୁଏ ।
କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ
ଆଣ୍ଠୁ ଯନ୍ତ୍ରଣା ହେଉଥିବା ବ୍ୟକ୍ତି ପାଳଙ୍ଗ ଶାଗ, ଡାଲଚିନି, ଧନିଆ, ହଳଦି, ଅଦା ଓ ମେଥି ଖାଆନ୍ତୁ । ଏଗୁଡ଼ିକ ବେଶ୍ ଉପାଦେୟ ହୋଇଥାଏ । ଏହାସହିତ ଭିଟାମିନ୍ ଡି, ବି, ଓ ସି ଥିବା ଖାଦ୍ୟ ବଢ଼ାଇବା ଉଚିତ । ଯନ୍ତ୍ରଣା ଲାଘବ କରିବା ପାଇଁ ମିଳୁଥିବା ତେଲ ପ୍ରତିଦିନ ମାଲିସ କରନ୍ତୁ । ଖାଦ୍ୟପ୍ରେୟ ଉପରେ ଅଧିକ ଧ୍ୟାନ ରଖନ୍ତୁ । ଭେଣ୍ଡି, ଫୁଲ କୋବି, ଆଳୁ, ଭାତ, ଦହି, ଲସି, ରାଜମା, ଓ ଡାଲି ପରି ବାତବର୍ଦ୍ଧକ ଖାଦ୍ୟ ଖାଆନ୍ତୁ ନାହିଁ । ଖାଇବାରେ ଲୁଣ ଓ ଚିନି ମାତ୍ରା କମ୍ କରନ୍ତୁ ।
କ’ଣ କରିବେ ନାହିଁ
ଆଣ୍ଠୁ ଭାଙ୍ଗି ହୋଇ ବସନ୍ତୁ ନାହିଁ । ବଜ୍ରାସନ ଓ ସୁଖାସନ ଭଳି ଆସନ ଯେଉଁଗୁଡ଼ିକରେ ଆଣ୍ଠୁ ମୋଡ଼ିବାକୁ ପଡ଼େ ସେଗୁଡ଼ିକୁ କରନ୍ତୁ ନାହିଁ । ଆଣ୍ଠୁ ଉପରେ ଭରା ଦେଇ କୌଣସି କାମ କରନ୍ତୁ ନାହିଁ । ତଳେ ବସି କରିବାକୁ ପଡ଼ୁଥିବା କୌଣସି କାର୍ଯ୍ୟ କରନ୍ତୁ ନାହିଁ ।
କ’ଣ କରିବେ
ବରଫ ଓ ଗରମ ସେକ ଦେଲେ ଯନ୍ତ୍ରଣାରୁ ଆରାମ ଦେଇଥାଏ । ଆଣ୍ଠୁରେ ବ୍ରେସ୍ ପିନ୍ଧନ୍ତୁ, ଫଳରେ ଅଧିକ ହଲିନଥାଏ । ଯଦି ଶରୀର ଓଜନ ଅଧିକ ଅଛି, ତେବେ ଓଜନ କମ୍ କରନ୍ତୁ । ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହୁଅନ୍ତୁ ନାହିଁ । ଶୋଇବା ସମୟରେ କଡ଼ ଲେଉଟିବା ବେଳେ ଆଣ୍ଠୁ ପାଖରେ ତକିଆ ଦିଅନ୍ତୁ । ହାଇ-ହିଲ୍ ଥିବା ଚପଲ ଓ ଜୋତା ପିନ୍ଧନ୍ତୁ ନାହିଁ ।