କାଳିଆର ବଡ ଦେଉଳରେ କିଏ ଲୋ? କଲ୍କିଙ୍କୁ ଉସକେଇବାକୁ ଆସିଗଲା କି କଳି!

ଓଡ଼ିଆ ଗସିପ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ପ୍ରେସମିଟ୍ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ଏହି ଘଟଣାରେ ଏବେ ସୁଦ୍ଧା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ, ତାଙ୍କ ନାମ ଜେ ମହାପାତ୍ର ବୋଲି ଜଣାପଡିଛି। ତେବେ ସେହି ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆପଡା ଅଞ୍ଚଳର ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରାଥମିକ ପଚରାଉଚରାରୁ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିନେଇଛନ୍ତି ବୋଲି ଜଣାପଡିଛି ।
ପୁରୀ ଏସପିଙ୍କ ସୂଚନା ମୁତାବକ, ସେହି ବ୍ୟକ୍ତି ଜଣକ ପ୍ରଥମେ ଶ୍ରୀମନ୍ଦିରରେ ପଶି ମହାପ୍ରଭୁଙ୍କ ଦର୍ଶନ କରିଥିଲା । ଏହାପରେ କୌଣସି କଥା ତାକୁ ଭଲ ନଲାଗିବା କାରଣୁ ସେ ଏପରି କାମ କରିଛି। ଏହାସହିତ ଗିରଫ ହେବା ପରେ ସେ ନିଜକୁ ଜଣେ ଜଗନ୍ନାଥଙ୍କ ଭକ୍ତ ବୋଲି ପୋଲିସକୁ ସୂଚନା ଦେଇଛି । ଅନ୍ୟପଟେ ପୁରୀ ପୋଲିସ ଅଭିଯୁକ୍ତକୁ ପଚାରଉଚରା କରୁଥିବା ବେଳେ କିଛି ତଥ୍ୟ ବର୍ତ୍ତମାନ ଗୋପନୀୟ ରଖାଯାଇଛି, ଯାହାକି ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତକୁ ଧରିଥିଲା ପୁରୀ ପୋଲିସ । ତାଙ୍କୁ ପୁରୀ ଆଣି ପଚରାଉଚରା କରାଯାଇଥିଲା । ସେ କାହିଁକି ରୋଷ ଘର ଚୁଲି ଭାଙ୍ଗିଲେ ସେନେଇ ପୋଲିସ ପଚରାଉଚରା କରିଥିଲା । ଗତ ୨ ତାରିଖ ଦିନ ଘଟିଥିଲା ଏହି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ୪୦ରୁ ଅଧିକ ଚୁଲି ଭଙ୍ଗା ଯାଇଥିଲା । ଘଟଣା ଜଣାପଡିବା ପରେ ଖୋଳତାଡ ହୋଇଥିଲା । ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିଲା ସନ୍ଦିଗ୍ଧର ଚେହେରା । ସିସିଟିଭିରୁ ସନ୍ଦିଗ୍ଧ ଫଟୋ ବାହାର କରି ବିଭିନ୍ନ ସ୍ଥାନରେ ଖୋଜିଥିଲା ପୋଲିସ । ଶେଷରେ ଜିଲ୍ଲା ବାହାରୁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୁଲିସ ।