ଏବେ ବି ରହସ୍ୟରେ ଶ୍ୱେତା ମୃତ୍ୟୁ ଘଟଣା; ବଏଫ୍ରେଣ୍ଡଙ୍କ ନିରବତା ଓ ପୋଲିସ୍ ତଦନ୍ତକୁ ନେଇ ପ୍ରଶ୍ନ

sundri

ଓଡ଼ିଆ ଗସିପ୍ ବ୍ୟୁରୋ: ୨୫ ବର୍ଷିୟ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା କାହିଁକି କଲେ ଆତ୍ମହତ୍ୟା ? ଆତ୍ମହତ୍ୟା ଭଳି ପଦକ୍ଷେପ ପାଇଁ ପ୍ରବର୍ତ୍ତାଇଥିଲେ କି ପୁରୁଷ ବନ୍ଧୁ ? ନିର୍ଯାତନା ଓ ଚାପର ବଶବର୍ତ୍ତି ହୋଇ ଏଭଳି ଚରମ ପଦକ୍ଷେପ ନେଲେ କି ? ଶ୍ୱେତା ଆତ୍ମହତ୍ୟାର ସାତଦିନ ପରେ ବି ଲାଗି ରହିଛି ସସ୍‌ପେନ୍ସ । ଆଉ ସସ୍‌ପେନ୍ସ ଭିତରେ ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି । ସେ କହିଛନ୍ତି, ଶ୍ୱେତା କୁମାରୀଙ୍କ ଅତ୍ମହତ୍ୟା ଘଟଣା ସାମନାକୁ ଆସିବା ପରେ ହିଁ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଥାନାକୁ ଡାକି ପଚରା ଉଚରା କରାଯାଇଛି ।

ଶ୍ୱେତାଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ସେତେବେଳେ ହୋଇନଥିବାରୁ ସୌମ୍ୟଙ୍କୁ ଛାଡି ଦିଆଯାଇଥିଲା । ପରିବାର ପକ୍ଷରୁ ଲିଖିତ ଅଭିଯୋଗ ଅଧାରରେ ପୋଲିସ ୩୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି । ସୌମ୍ୟଙ୍କ ମାନସିକ ପରିସ୍ଥିତି ଏବେ ଠିକ ନଥିବା କଥା କହିଛନ୍ତି ଡିସିପି 
ପ୍ରତୀକ ସିଂ ।

ଶ୍ୱେତା ଆତ୍ମହତ୍ୟାର କାରଣ ସିନା ସ୍ପଷ୍ଟ ହୋଇନି, କିନ୍ତୁ ମୃତ୍ୟୁର ଗୁମର ଖୋଲିଛି ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଶରୀର ଅନ୍ୟ କେଉଁଠି କ୍ଷତ ଚିହ୍ନ ନଥିବା ସ୍ପଷ୍ଟ କରିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ । ତେଣେ ଶ୍ୱେତାଙ୍କ ଫ୍ଲାଟରୁ ଜବତ ଫୋନ୍ ଏବଂ ଡାଏରୀକୁ ଘାଣ୍ଟୁଛି ପୋଲିସ୍ । ପ୍ରଶ୍ନ ଉଠୁଛି ଅପମୃତ୍ୟୁ ମାମଲାରେ ସୌମ୍ୟଜିତଙ୍କୁ ଥାନାକୁ ଡାକି ପୋଲିସ ପଚରା ଉଚରା କରିଥିବା ବେଳେ, ୩୦୬ ଦଫା ଆଧାରରେ ରୁଜୁ ମାମଲାକୁ ନେଇ ଚୁପ କାହିଁକି ?

ଆଇନଜୀବୀଙ୍କ ମତ, ଉପଯୁକ୍ତ ତଥ୍ୟ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ଡକାଇ ପଚରା ଉଚରା କରିବା ସହ ଗିରଫ ବି କରିପାରିବ । ଏଭଳି କେସ୍‌ରେ ପ୍ରମାଣ ମିଳିଲେ ୧୦ ବର୍ଷ ଯାଏଁ ଜେଲ ଦଣ୍ଡର ମଧ୍ୟ ପ୍ରାବଧାନ ରହିଛି । ସପ୍ତାହେ ପୁରିଲା ମାମଲାକୁ । ଅଥଚ ମାମଲାରୁ ସସ୍‌ପେନ୍ସ ହଟିପାରୁନଥିବା ବେଳେ ସୌମ୍ୟଜିତ କିମ୍ବା ତାଙ୍କ ପରିବାରର ନିରବତା ଘଟଣାକୁ ଏବେ ବି ରହସ୍ୟମୟ କରିରଖିଛି ।

Share this story