ତ୍ରିକୋଣୀୟ ପ୍ରେମ କାହାଣୀର ଖତରନାକ୍ ଦ ଏଣ୍ଡ; ପ୍ରଥମେ ରଶ୍ମି ଆଉ ଏବେ ସନ୍ତୋଷଙ୍କ ଆତ୍ମହତ୍ୟାକୁ ନେଇ ନୂଆ ଖୁଲାସା

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟର ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟାର ରହସ୍ୟ ଦିନକୁ ଦିନ ଘନିଭୂତ ହେବାରେ ଲାଗିଛି। ଏହି ତ୍ରିକୋଣୀୟ ପ୍ରେମ କାହାଣୀ ରାଜଧାନୀ ଭୁବନେଶ୍ବର ପରେ ରାଉରକେଲା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତିକାଲି ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ବାସନ୍ତୀ କଲୋନିସ୍ଥ ଭଡାଘରେ ଆତ୍ମହତ୍ୟା କରିଥିଲେ। ରଶ୍ମିରେଖାଙ୍କ ଆତ୍ମହତ୍ୟାର ୧୬ ଦିନ ପରେ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛି। ଆଜି ଉଦିତନଗର ପୁଲିସ ସନ୍ତୋଷଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ଆର୍ଜିଏଚ୍ ଶବଗୃହରୁ ପୁଲିସ ମୃତ ସନ୍ତୋଷଙ୍କ ପଟେକରୁ ସୁଇସାଇଡ୍ ନୋଟ୍ ଜବତ କରିଛି।
ସୁଇସାଇଡ ନୋଟ୍ରେ ସନ୍ତୋଷ ତାଙ୍କ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି। କେବଳ ଏତିକି ନୁହେଁ ରଶ୍ମିରେଖା ଆତ୍ମହତ୍ୟା ଘଟଣାରେ ତାଙ୍କ ମା’ ବାପାଙ୍କୁ ଜଡିତ ନ କରିବାକୁ ସେ ଚିଠିରେ ଦର୍ଶାଇଛନ୍ତି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ଜବତ ସୁସାଇଡ଼ ନୋଟ ସହ ଉଭୟ ପିତାମାତାଙ୍କ ବୟାନ ଆଧାରରେ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତବାକ ଜଗତସିଂହପୁର ତିର୍ତ୍ତୋଲ ଥାନା ଅନ୍ତର୍ଗତ ସଙ୍କେତ ପାଟଣା ଗାଁରେ ରଶ୍ମିରେଖା ରହନ୍ତି। ସନ୍ତୋଷ ଓ ରଶ୍ମିରେଖା ଉଭୟ ପତି-ପତ୍ନୀର ପରିଚୟ ଦେଇ ଭୁବନେଶ୍ବର ନୟାପଲିସ୍ଥ ଏକ ଭଡା ଘରେ ଲିଭ୍ ଇନ୍ ରିଲେସନସିପରେ ରହି ଆସୁଥିଲେ। ଗତ ଜୁନ୍ ୧୯ ତାରିଖ ସଂଧ୍ୟାରେ ଭଡା ଘରେ ରଶ୍ମିରେଖା ବେକରେ ଚୁନି ଗୁଡ଼ାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ରଶ୍ମିରେଖାଙ୍କ ଦୁଇ ପୁରୁଷ ବନ୍ଧୁ ସନ୍ତୋଷ ଓ ରାଜାଙ୍କୁ ମୁହାଁମୁହିଁ ଜେରା କରିଥିଲା। ପରେ ପୁଲିସ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସନ୍ତୋଷ ଜେଲ୍ରୁ ବେଲ୍ରେ ବାହାରିବା ପରେ ରାଉରକେଲା ବାସନ୍ତୀକଲୋନିସ୍ଥ ଘରକୁ ଗତ ୧୨ ଦିନ ତଳେ ଆସିଥିଲେ।
ବାସନ୍ତୀକଲୋନିସ୍ଥ ଏଫ୍ଇ-୮୩ ଘରେ ବାପା-ମା’ଙ୍କ ସହିତ ରହୁଥିଲେ। ମା’ ଓ ବାପାଙ୍କ କହିବାନୁଯାୟୀ ସନ୍ତୋଷ ଭୁବନେଶ୍ବରରେ ରହିବା ପୂର୍ବରୁ ସମ୍ବଲପୁରରେ କାମ କରୁଥିଲେ। ସମ୍ବଲପୁରରୁ କାମ ଛାଡିବା ପରେ ଭୁବନେଶ୍ବର ଚାଲି ଯାଇଥିଲେ। ସେଠାରେ କ’ଣ କରୁଥିଲେ, ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ କିଛି କହୁ ନଥିଲେ। ରଶ୍ମିରେଖାଙ୍କ ଆତ୍ମହତ୍ୟା ପରେ ସଦାସର୍ବଦା ଘରେ ମାନସିକ ଚାପରେ ରହୁଥିଲେ।
ବାରମ୍ବାର ଆତ୍ମହତ୍ୟା କରିବାକୁ ତାଙ୍କ ବାପାଙ୍କୁ କହୁଥିଲେ। କିଛି ଦିନ ପୂର୍ବରୁ ଦୁଇ ମହଲା ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଘଟଣା ଦିନ ଅର୍ଥାତ୍ ମଙ୍ଗଳବାର ରାତିରେ ଚାଉମିନ ଖାଇବାକୁ କହିଥିଲେ। ଚାଉମିନ୍ ଖାଇବା ପରେ ବାପାଙ୍କୁ ଧକ୍କା ଦେଇ ନିଜ ବେଡ୍ ରୁମ୍ ଯାଇ ଭିତରକୁ କବାଟ ଦେଇ ଦେଇଥିଲେ। ବେକରେ ରଶି ଲଗାଇ ଝୁଲି ପଡିଥିଲେ। ପଡୋଶୀମାନେ ଖୋଲାଥିବା ଝରକାରେ ସନ୍ତୋଷ ଝୁଲୁଥିବା ଦେଖି ଉଦିତନଗର ପୁଲିସକୁ ସୂଚନା ଦେଇଥିଲେ। ତେବେ ସନ୍ତୋଷଙ୍କ ଆତ୍ମହତ୍ୟା ପରେ ଉଭୟ ରାଉରକେଲା ଓ ଭୁବନେଶ୍ବର ପୁଲିସ ରଶ୍ମିରେଖା ଆତ୍ମହତ୍ୟା ଘଟଣାର ପର୍ଦ୍ଦାଫାସ କରିପାରୁଛି କି ନାହିଁ , ତା’ ଉପରେ ସମସ୍ତଙ୍କ ନଜର ରହିଛି।