ପରଦା ପ୍ରେମକୁ ପଛରେ ପକାଇ ଅଫେରା ରାଇଜରେ ରାଜେଶ୍ୱରୀ; ଏବେ କେବଳ ସ୍ମୃତି ହୋଇ ରହିବେ

rajeswari

ଓଡି଼ଆ ଗସିପ୍ ବ୍ୟୁରୋ: ପରଦା ଲୋଭକୁ ଭୁଲି, ଲାଇଟ୍ସ କ୍ୟାମେରା ଆଉ ଆକ୍ସନ ଶୁଣିବେନି ବୋଲି ଅବେଳାରେ ବାହୁଡ଼ି ଗଲେ ଅଭିନେତ୍ରୀ ରାଜେଶ୍ୱରୀ । ପରଲୋକର ଯାତ୍ରୀ ହୋଇ ରାଜେଶ୍ୱରୀ ଏବେ ଅଫେରା ରାଇଜର ରାଣୀ ହୋଇ ରହିବେ । ତାଙ୍କ ମୁହଁରୁ ଆଉ ଦର୍ଶକ ଶୁଣିବାକୁ ପାଇବେ ଉଚ୍ଚକୋଟିର ଅଙ୍ଗଭଙ୍ଗି ଭରା ସଂଳାପ । ମନୋରଞ୍ଜନ ଦୁନିଆରୁ ରାଜେଶ୍ୱରୀଙ୍କ ବିଦାୟ କାଳୀନ ଖବର ସତେ ଯେମିତି ଦର୍ଶକ ଓ ଟିଭି ପ୍ରେମୀଙ୍କୁ ମର୍ମାହତ କରିଛି । ଆତ୍ମୀୟ ସ୍ୱଜନଙ୍କ ଆଖିରୁ ତ ଲୁହ ଶୁଖିବାର ନାଁ ଧରୁନାହିଁ, ଏବେ କିନ୍ତୁ ଆଉ କେତେ କହିଲେ ବି ଫେରିବେନି ଆମ ସମସ୍ତଙ୍କ ପ୍ରିୟ ରାଜେଶ୍ୱରୀ । କାହିଁକିନା ଆମ ଠାରୁ ତାଙ୍କୁ ଅଲଗା କରିଦେଲା କ୍ୟାନସର ।...

 

କ୍ୟାନ୍ସର ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ରାଜେଶ୍ୱରୀ ଚିକିତ୍ସିତ ହେଉଥିଲେ। ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ। ଧାରାବାହିକ ‘ଉଆଁସି କନ୍ୟା’ରେ ଅଳକା ଚରିତ୍ରରେ ରାଜେଶ୍ୱରୀ ଅଭିନୟ କରିଥିଲେ। 

 

r

ଧାରାବାହିକ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇଓଡ଼ିଶାର ଘରେ ଘରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ପରବର୍ତ୍ତୀ ସମୟରେ ‘ତୋ ପାଇଁ ମୁଁ’ ସିରିରୟଲରେ ତାରା ପଟ୍ଟନାୟକ ଚରିତ୍ରରେ ଅବତୀର୍ଣ୍ଣ ହୋଇ ହଇଚଇ ସୃଷ୍ଟି କରିଥିଲେ। ଅଭିନୟ ସାଙ୍ଗକୁ ତାଙ୍କ ସଂଳାପ କହିବାର ଶୈଳୀ ଓ ମୁଖଭଙ୍ଗୀ ଦେଖିଲେ ମନେହୁଏ ଖଳନାୟିକା ଚରିତ୍ରକୁ ଏହିପରି ଭାବେ ହିଁ ନ୍ୟାୟ ଦିଆଯାଇପାରେ। ତାଙ୍କ ଅଭିନୀତ ଅନ୍ୟ ଉଲ୍ଲେଖନୀୟ ଧାରାବାହିକଗୁଡ଼ିକ ଭିତରେ ରହିଛି ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମକୁମ୍’ ଇତ୍ୟାଦି।

ସେ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ ମଧ୍ୟ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ। ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା। ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି  ବସନ୍ତ ସାହୁଙ୍କ ନିର୍ଦେଶିତ ‘ସତ୍ୟମେବ ଜୟତେ’। ଏହାପରେ ସେ ଏନ୍ ପାଢ଼ୀ ଙ୍କ ନିର୍ଦେଶିତ ‘ଆରେ ସାଥୀ ଆ’ ଓ ଅମିତ ନାୟକଙ୍କ ନିର୍ଦେଶିତ ‘ବ୍ଲାକମେଲ୍’ ଚଳଚ୍ଚିତ୍ରରେ ବି  ନଜର ଆସିଥିଲେ।


ତାଙ୍କୁ ମସ୍ତିଷ୍କ ଏବଂ ଫୁସଫୁସ୍ କର୍କଟ ହୋଇଛି ବୋଲି ସେ ପ୍ରାୟ ଅଢ଼େଇ ବର୍ଷ ତଳେ ତାଙ୍କ ଫେସବୁକ୍ ପେଜରେ ସୂଚନା ଦେଇଥିଲେ। ରାଜେଶ୍ୱରୀ ତାଙ୍କ ଫେସବୁକରେ ଦୁଇଟି ଫଟୋ ସେୟାର କରି ଲେଖିଥିଲେ, ‘ମୁଁ କର୍କଟ ସହ ଲଢ଼େଇ କରୁଛି। ଭଗବାନ ମୋ ସହ ଅଛନ୍ତି। ମୁଁ ମସ୍ତିଷ୍କ ଏବଂ ଫୁସ୍ଫୁସ୍ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି। ମୁଁ ମୋ ନୂଆ ଲୁକରେ ଫେରିବି। ଭଗବାନ ମୋ ସହ ଅଛନ୍ତି। ଦୟାକରି ମୋତେ ଆଶୀର୍ବାଦ କରନ୍ତୁ।’

Share this story