ମାଡୁଆ ବିଧାୟକ ଙ୍କୁ ନିର୍ଧୁମ ମାଡ଼ ,୭ ପୋଲିସ ୨୨ ବିଜେପି କର୍ମୀ ଆହତ

ଓଡ଼ିଆ ଗସିପ ବ୍ୟୁରୋ: ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଲେ ଅଭାବନୀୟ କାଣ୍ଡ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଆଜି ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିବା ବେଳେ ହଠାତ୍ ଭିଡ଼ ଭିତରକୁ ଗାଡ଼ି ପଶାଇଦେଲେ ବିଧାୟକ । ବିଧାୟକଙ୍କ ଗାଡ଼ି ଚାପାରେ ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଣପୁର ଆଇଆଇସିଙ୍କ ସମେତ ୭ରୁ ଊର୍ଦ୍ଧ୍ୱ ପୁଲିସ୍ କର୍ମଚାରୀ ଥିବା ଜଣାଯାଇଛି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଧୂମ ପିଟି ଲହୁଲୁହାଣ କରିଥିବା ବେଳେ ତାଙ୍କ ଗାଡ଼ିରେ ନିଆଁ ଳଗାଇ ଦେଇଛନ୍ତି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ଶହରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏଥିସହ ୨ ପ୍ଲାଟୁନ୍ ଫୋର୍ସ ବି ମୁତୟନ ହୋଇଥିଲେ। ଏହି ସମୟରେ ହଠାତ୍ ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ଏସୟୁଭି ଗାଡ଼ି ଚଳାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ। ଏପରିକି ବିଧାୟକଙ୍କ ଗାଡ଼ି ଚାପାରେ ଆସି ବିଭିନ୍ନ ଦଳର୧୫ ସମର୍ଥକ ଓ ୭ ପୁଲିସ୍ କର୍ମଚାରୀ ଗୁରୁତର ହୋଇଛନ୍ତି।
ଏହାଦେଖି ଉତ୍ତ୍ୟକ୍ତ ଲୋକେ ଗାଡ଼ି ଭିତରକୁ ବିଧାୟକଙ୍କୁ ବାହାରକୁ ଘୋଷାରି ଆଣି ନିର୍ଧୂମ ପିଟିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ବିଧାୟକ ଲହୁଲୁହାଣ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ବିଧାୟକଜଣକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏପରି କାଣ୍ଡ ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।
ଅପରପକ୍ଷେ, ବିଧାୟକଙ୍କ ଗାଡ଼ି ଚାପାରେ ଗୁରୁତର ହୋଇଥିବା ସାଧାରଣ ଲୋକ ଓ ପୁଲିସ୍ କର୍ମଚାରୀଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଅଧିକ ସଂଖ୍ୟକ ପୁଲିସ୍ ମୁତୟନ କରାଯାଇଛି। ଏବେ ବି ସେଠାରେ ଉତ୍ତେଜନା ଲାଗି ରହିଛି।
ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ଚଲାଉଥିଲେ। ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡ଼ି ମଡ଼ାଇ ଦେଇଛନ୍ତି। ଏଭଳି କାମ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତି କେବେବି କରିପାରିବନି ।ଏଭଳି ଲୋକଙ୍କ ସ୍ଥାନ ଜେଲରେ। ସରକାର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦରକାର।
ଖୋର୍ଦ୍ଧା ଏସପି ଅଖିଲେଶ ଚନ୍ଦ୍ର ପହି କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ଘଟିଥିବା ସ୍ଥାନକୁ ଅଧିକ ପୁଲିସ ଫୋର୍ସ ପଠାଯାଉଛି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ବିଧାୟକ ଗାଡ଼ି ମଡ଼ାଇବା ଘଟଣାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାକାଣ୍ଡ ଗ୍ରହଣୀୟ ନୁହେଁ।ବିଧାୟକ ହୁଅନ୍ତୁ କି ସାଧାରଣ ଲୋକ, ହିଂସା ସ୍ପୃହଣୀୟ ନୁହେଁ।