ମାରାତ୍ମକ ନିଶାରେ ବୁଡ଼ି ରହୁଛନ୍ତି ବଡ଼ବଡ଼ ପରିବାରର ଗେହ୍ଲା ଝିଅ, ରାଜଧାନୀରେ ରଚୁଛନ୍ତି ଉତ୍ପାତର ସାମ୍ରାଜ୍ୟ, ଆସିଲା ସାଙ୍ଘାତିକ ରିପୋର୍ଟ...

Daughter of influential indulge in taking drugs a rampant in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ନିଶା ସେବନ କରିବା ଏକ ପ୍ରକାର ଫେଶନ ପାଲଟିଗଲାଣି । ବିଶେଷ କରି ଭୁବନେଶ୍ୱରର ସହରୀ ଯୁବତୀମାନଙ୍କ ମଧ୍ୟରେ ଏହି ମାନସିକତା ଅଧିକ ପରିମାଣରେ ପରିଲକ୍ଷିତ ହେଉଛି । ସିଗାରେଟ୍‌‌, ମଦ, ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍‌‌ଡ୍ରାଇଟ୍‌‌ ଓ କୋକେନ୍‌‌ ଭଳି ମାରାତ୍ମକ ନିଶା ପ୍ରେମରେ ରାଜଧାନୀର ଯୁବତୀମାନେ ପଡ଼ିଛନ୍ତି ।

ସମ୍ଭ୍ରାନ୍ତଶ୍ରେଣୀର ଅଧିକାଂଶ ଯୁବତୀ ନିଶା ସେବନ କରି ରାଜଧାନୀରେ ଉତ୍ପାତ କରୁଥିବା ଦେଖିବାକୁ ମିଳୁଛି । ବଡ଼ବଡ଼ ପରିବାରର ଗେହ୍ଲା ଝିଅମାନେ ନିଶାରେ ବୁଡ଼ି ରାଜଧାନୀରେ ରଚୁଛନ୍ତି ଉତ୍ପାତ । ରାଜଧାନୀର ଆଇନ୍‌‌ଶୃଙ୍ଖଳାକୁ ବିଗାଡୁଛନ୍ତି ମାତାଲ୍‌‌ ଯୁବତୀ । ୬ମାସ ଭିତରେ ୨୦ରୁ ଊର୍ଦ୍ଧ୍ବ ଘଟଣା ସାମ୍‌‌ନାକୁ ଆସିଲାଣି । କିଏ ନିଶାରେ ପୁଲିସ ଗାଡ଼ିକୁ ମଦ ବୋତଲ ଫୋପାଡ଼ିଲାଣି ତ ଆଉ କିଏ ନିଶାରେ ହସ୍ପିଟାଲରେ ଉତ୍ପାତ କଲାଣି ।

୫ ଦିନ ତଳେ ବଡଗଡ଼ ଥାନା କଳ୍ପନା ସିନେମା ହଲ୍‌‌ ଯାଏଁ ଜଣେ ଯୁବତୀ ମାତାଲ୍‌‌ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଭିଆଇଥିଲେ । ପ୍ରଚୁର ମଦପିଇ ପରେ ରାସ୍ତା ଉପରେ ବିଅର୍‌‌ ବୋତଲ ଭାଙ୍ଗି ଆତଙ୍କ ରଚାଇଥିଲେ । ହାତରେ ବିଅର ବୋତଲ ଧରି ଯୁବତୀ ପୁଲିସ ଗାଡ଼ିକୁ ଗୋଡ଼େଇ ଥିଲେ ।

ନିଶାରେ ପୁଲିସକୁ ନାକେଦମ୍‌‌ କରିଥିଲେ ନିଶାସକ୍ତ ଯୁବତୀ । ସେଭଳି କିଛି ଦିନ ତଳେ ଖାରବେଳ ନଗର ଥାନା ଅଧୀନ ମାଷ୍ଟର୍‌‌କ୍ୟାଣ୍ଟିନ ଛକରେ ୨ଯୁବତୀ ଆତଙ୍କ ଖେଳାଇଥିଲେ । ସାଧାରଣଲୋକଙ୍କ ସମେତ ପୁଲିସକୁ ଗାଳିଗୁଲଜ କରି ଦବଙ୍ଗଗିରି ଦେଖାଇଥିଲେ ।

ସେହିପରି କ୍ୟାପିଟାଲ୍‌‌ ହସ୍ପିଟାଲରେ ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ହଙ୍ଗାମା କରିଥିଲେ । ରୋଗୀ ଓ ଡାକ୍ତରଙ୍କୁ ନିଶାସକ୍ତ ଅବସ୍ଥା ଦୁର୍ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଥାନା ପରିସରରେ ଜଣେ ଯୁବତୀ ସିଗାରେଟ୍‌‌ ଟାଣୁଥିଲେ । ତାଙ୍କ ବିରୋଧ କରିବାରୁ ସେ ପୁଲିସ ସହ ଯୁକ୍ତିତର୍କ କରି ରୋବାବ୍‌‌ ଦେଖାଇଥିଲେ ।

ଏଥିସହିତ ଇନ୍‌‌ଫୋସିଟି ଥାନା ଅଞ୍ଚଳରେ ୩ଜଣ ଯୁବତୀ ନିଶାସକ୍ତ ଅବସ୍ଥାରେ ବାଟରେ ଯାଉଥିବା ସାଧାରଣଲୋକଙ୍କୁ ଅଟକାଇଥିଲେ । ସେମାନେ ‘ମୋ ବସ୍‌‌’କୁ ଅଟକାଇ ଆଗରେ ନାଚିନାଚି ଚାଳକ ଓ ହେଲ୍‌‌ପରଙ୍କ ସମେତ ଯାତ୍ରୀଙ୍କୁ ନାଗେଦମ୍‌‌ କରିଥିଲେ ।

ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ପବ୍‌‌, ବାର୍‌‌ କିମ୍ବା ପାର୍ଟିରେ ସାମିଲ ହୋଇ ଯୁବତୀ ଓ ମହିଳାମାନେ ବିଭିନ୍ନ ସମୟରେ ପ୍ରଚୁର ନିଶାସେବନ କରୁଥିବା ଘଟଣା ନଜରକୁ ଆସୁଛି । ସେମାନେ ରାତିରେ ରାଜଧାନୀ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ଆତଙ୍କ ଖେଳାଉଥିବା ଜଣାପଡ଼ିଛି । ଏସବୁ ଘଟଣାରେ ଭୁବନେଶ୍ୱରରେ ଥିବା ଶିକ୍ଷାନୁଷ୍ଠାନରେ ରାଜ୍ୟ ବାହାରୁ ଆସି ପାଠ କିମ୍ବା ନିଯୁକ୍ତି ପାଇଥିବା ଯୁବତୀଙ୍କ ଅଧିକ ସମ୍ପୃକ୍ତି ରହିଛି ।

ସେମାନଙ୍କ ଓଡ଼ିଶାର ବଡ଼ବଡ଼ିଆଙ୍କ ଝିଅମାନେ ଅନୁସରଣ କରି ସିଗାରେଟ୍‌‌ ଓ ମଦ ଓ ବ୍ରାଉନ୍‌‌ସୁଗର ଭଳି ନିଶା ସେବନ କରୁଛନ୍ତି । ଆଉ ରାସ୍ତାରେ ନିଶାରେ ହିତାହିତ ଜ୍ଞାନ ଭୁଲି ଗାଳିଗୁଲଜ କରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ସେଭଳି ସହର କିଛି ସ୍ଥାନରେ ସନ୍ଧ୍ୟାହେଲେ ଯୁବତୀମାନେ ଖଟି କରୁଛନ୍ତି । ଗୋଟିଏ ହାତରେ ସିଗାରେଟ୍‌‌ ଓ ଅନ୍ୟ ହାତରେ ବିଅର ବୋତଲ ଧରି ବିଭିନ୍ନ ସମୟରେ ଲୋକଙ୍କୁ ହଇରାଣ ହରକତ କରୁଥିବା ଜଣାପଡ଼ିଛି ।

ନିଶାରେ କବଳିତ ଯୁବପିଢ଼ି :

ରାଜଧାନୀ ଥିବା ଯୁବପିଢ଼ିଙ୍କ ମଧ୍ୟରୁ ୨୭ ପ୍ରତିଶତ ଏବେ ନିଶାଗ୍ରସ୍ତ । ଅର୍ଥାତ୍‌‌ ସ୍ମାର୍ଟସିଟିରେ ରହୁଥିବା ୪ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ଏବେ ନିଶାମାୟାରେ ବାୟା । ସେଥିରୁ ୨୫ ପ୍ରତିଶତ ଯୁବତୀ ଓ ମହିଳା ବିଭିନ୍ନ ନିଶାରେ ବୁଡ଼ି ରହୁଛନ୍ତି । ସେମାନେ ବ୍ରାଉନ୍‌‌ସୁଗର ଓ ମଦ ଭଳି ଜୀବନ ବରବାଦ୍‌‌ ହେବା ଭଳି ନିଶାରେ ପଡ଼ିଛନ୍ତି ।

ତେବେ ସେଥିରୁ କଲେଜ ପଢ଼଼ୁଆ, ଅଧାରୁ ପାଠ ଛାଡ଼ିଥିବା ଯୁବପିଢ଼ି ଅଧିକ । ସେହିପରି ବସ୍ତିରେ ରହୁଥିବା ମଧ୍ୟ ଯୁବପିଢ଼ି ନିଶାରେ ମାୟାଜାଲରେ ଫସିଯାଇଛନ୍ତି । ବସ୍ତିରେ କାର୍ଯ୍ୟ କରୁଥିବା କିଛି ସାମାଜିକ ଅନୁଷ୍ଠାନ ଏବଂ ନିଶାର ଭୟବହତା ବିଷୟରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ପୁଲିସ କର୍ମଚାରୀଙ୍କୁ ନେଇ ସର୍ଭେ କରାଯାଇଥିଲା । ସେମାନେ ଶିକ୍ଷାନୁଷ୍ଠାନ, ବସ୍ତି ଓ ନିଶା ନିବାରଣ କେନ୍ଦ୍ରକୁ ତଥ୍ୟ ଆଣି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି ବିସ୍ଫୋରକ ରିପୋର୍ଟ ଦେଖିବା ପରେ ଏବେ ଚିନ୍ତାରେ ପଡ଼ିଯାଇଛି କମିସନରେଟ୍‌‌ ପୁଲିସ ।

ତମାଖୁ ଓ ମଦରେ ବି ମହିଳା ପଛରେ ନାହାନ୍ତି :

ରାଜ୍ୟରେ ନିଶାସେବନରେ ପୁରୁଷଙ୍କ ଠାରୁ କମ୍‌‌ ନୁହନ୍ତି ମହିଳା । କିନ୍ତୁ ତମାଖୁ ଓ ମଦରେ ପଛରେ ପଡ଼ିନାହାନ୍ତି ମହିଳା । ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି । ସେଥିରୁ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୧୬.୬ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି ।

ଅନ୍ୟପକ୍ଷରେ ଓଡ଼ିଶାରେ ୪.୩ ପ୍ରତିଶତ ମହିଳା ମଦ ପିଅନ୍ତି । ସେଥିରୁ ସହରାଞ୍ଚଳର ୧.୪ ପ୍ରତିଶତ ମହିଳା ଥିବା ବେଳେ ଗ୍ରାମାଞ୍ଚଳର ୪.୯ ପ୍ରତିଶତ ମହିଳା ମଦ ପିଅନ୍ତି । ଭାରତ ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ଏଭଳି ତଥ୍ୟ ପଦାକୁ ଆସିଥିଲା ।

Share this story