ସ୍ୱାମୀକୁ ମାରି ପ୍ରେମିକ ସହ ଫେରାର ମାରିଥିବା ଚାଲୁ ସ୍ତ୍ରୀକୁ ବାନ୍ଧିଲା କଟକ ପୋଲିସ

1

ଗତ ୨୧ ତାରିଖରୁ ନିଖୋଜ ଥିବା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳର ଗୋପାଳ ନାୟକଙ୍କ ମୃତଦେହ ଠାବ ହୋଇଛି । ଗୋପାଳଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ସମେତ ପତ୍ନୀଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି ପୁଲିସ୍‌। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅତିରିକ୍ତ ଡିସିପି ପ୍ରମୋଦ ରଥ କହିଛନ୍ତି।

ଜଟଣୀ ଥାନା ଅଧୀନ ନୂଆ ଗାଁ ବାସିନ୍ଦା ଗୋପାଳ ନାୟକ  ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ଝୁମୁରୀ ନାୟକଙ୍କୁ ବିବାହ କରିଥିଲେ। ଏହାପରଠୁ ଗୋପାଳ ଘର ଜ୍ୱାଇଁ ଭାବରେ ଗୟଳବାଙ୍କ ଗ୍ରାମରେ ରହୁଥିଲେ । ସେ ବାଆଁରା ଗ୍ରାମ ନିକତସ୍ତ ଏକ ଘରୋଇ ମେଡିକାଲରେ ସୁଇପର ଭାବେ କାମ କରୁଥିଲେ।

ଗତ ୨୧ ତାରିଖ ଦିନ ସକାଳୁ ଘରୁ କାମ କରିବାକୁ କହି ଆସି  ଆଉ ଘରକୁ ଫେରି ନଥିଲେ ଗୋପାଳ। ଘର ଲୋକ ଖୋଜାଖୋଜି କରି ଗୋପାଳଙ୍କର କୌଣସି ପତ୍ତା ପାଇ ନ ଥିଲେ। ହେଲେ ତାଙ୍କର ଏକ ସ୍କୁଟିକୁ ପାଇ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ ଘଟଣାର ଅନୁସନ୍ଧାନ କରି ଗୋପାଳଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଛି।

ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଡିସିପି ପ୍ରମୋଦ ରଥ  କହିଛନ୍ତି, ଗତ ୨୧ ତାରିଖରେ ଜଗନ୍ନାଥ ଓ ଝୁମୁରୀ ବିବାହ କରିବାକୁ ଯୋଜନା କରି ଘରୁ ପଳାଇଥିଲେ। ସେମାନେ ତ୍ରିଶୁଳିଆରେ ଥିବା ଖବର ପାଇ ଗୋପାଳ ସେଠାରେ ପହଞ୍ଚିଥିଲା। ଗୋପାଳ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେଠାରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସେମାନେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ।  ସେଠାରେ  ଜଗନ୍ନାଥ ଓ ଝୁମୁରୀ ପଥରରେ ଛେଚି ଗୋପାଳକୁ  ହତ୍ୟା କରିଥିଲେ। ଏହାପରେ ତାକୁ ଘୋଷାଡ଼ି ନେଇ ଏକ ବୁଦାମୂଳେ ଲୁଚାଇ ଦେଇ ନିଜେ ନିଜ ବାଟରେ ପଳାଇଥିଲେ।

ମୋ’ ସ୍ୱାମୀ ସବୁବେଳେ ମୋତେ ନିର୍ଯାତନା ଦେଉଥିଲା। ଏପରିକି ସେ ମୋତେ କଟୁରୀ, ଟାଙ୍ଗିଆ, ଲୁହା ରଡରେ ଆକ୍ରମଣ କରିବାକୁ ପଛାଉ ନ ଥିଲା ବୋଲି କହିଛନ୍ତି ଝୁମୁରୀ। ଆମର ତାକୁ ମାରିବାର କୌଣସି ଯୋଜନା ନ ଥିଲା । ଏସବୁ ହଠାତ୍‌ ହୋଇଗଲା ବୋଲି ସେ କହିଛନ୍ତି ।

ଏନେଇ ଗୋପାଳଙ୍କ ପତ୍ନୀଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଜେନା କହିଛନ୍ତି,  ଗୋପାଳ ଆମ ୨ ଜଣଙ୍କୁ ଧମକାଇ ଜଙ୍ଗଲ ନେଇଗଲା। ଏହାପରେ ସେଠାରେ ସେ ନିଜ ପତ୍ନୀଙ୍କୁ ମାରିବାକୁ ଚେଷ୍ଟା କଲା। ମୋତେ ଅଭଦ୍ର ଭାଷାରେ ଗାଳିଗୁଲଜ କଲା, ମାରଧର କଲା। ଏହାପରେ ହଠାତ୍‌ ଏପରି ସବୁ ଘଟିଗଲା।

Share this story