ଅଭିନେତା ରାଇମୋହନ ପରିଡାଙ୍କ ୫୮ ବର୍ଷ ବୟସରେ ଦେହାନ୍ତ
ବରିଷ୍ଠ ଓଡିଆ ଫିଲ୍ମ ତଥା ଯାତ୍ରା ଅଭିନେତା ରାଇମୋହନ ପରିଡାଙ୍କ ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥ ପ୍ରାଚୀ ବିହାରସ୍ଥିତ ତାଙ୍କ ବାସଭବନରୁ ତାଙ୍କ ଝୁଲନ୍ତା ଦେହ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେ ତାଙ୍କର ୨ ଝିଅ ଓ ପତ୍ନୀଙ୍କୁ ଛାଡି ଯାଇଛନ୍ତି।
ଓଡିଆ ଚଳଚ୍ଚିତ୍ର ଦୁନିଆର ଭୟଙ୍କର ଖଳ ଚରିତ୍ରରେ ଅଭିନୟ କରି ରାଇମୋହନ ଓଡିଆ ଦର୍ଶକଙ୍କ ହୃଦୟରେ ରହିଯାଇଛନ୍ତି। ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଶିଳ୍ପ ଅପୂରଣୀୟ କ୍ଷତି ସହିଛି। ସେ ୧୦୦ରୁ ଅଧିକ ଓଡିଆ ଫିଲ୍ମରେ କାମ କରିଥିବା ବେଳେ ପାଖାପାଖି ୧୫ଟି ବଙ୍ଗାଳୀ ଫିଲ୍ମରେ ନିଜ ଅଭିନୟ କଳା ଦେଖେଇଛନ୍ତି। ଖାଲି ଚଳଚ୍ଚିତ୍ର ନୁହେଁ ଯାତ୍ରା ଦୁନିଆରେ ମଧ୍ୟ ତାଙ୍କ ଦମଦାର ସଂଳାପ ଦର୍ଶକଙ୍କୁ ଭୟଭୀତ କରିଦିଏ।
୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ରାଇମୋହନ ପରିଡ଼ାଙ୍କ ଜନ୍ମ। 'ସାଗର' ଚଳଚ୍ଚିତ୍ର ଦ୍ୱାରା ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ୧୯୯୧-୯୨ ରେ ସେ ପ୍ରଥମେ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ‘ଭଙ୍ଗା ଆଇନା’ରେ ନିର୍ଦ୍ଦେଶନା ଦେଇଥିଲେ ।
ଆଉ ତା’ପରେ ଆରମ୍ଭ ହୋଇଥିଲା ରାଇମୋହନଙ୍କ ଅଭିନୟ ଯାତ୍ରା । ୧୯୮୪ ମସିହାରେ ଫିଲ୍ମ ‘ଗଙ୍ଗ ଶିଉଳି’ରେ ଅଭିନୟ କରି ଦର୍ଶକଙ୍କୁ ମୋହିତ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି। ସେ ତାଙ୍କ କ୍ୟାରିଅରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।
ବନ୍ଧନ, ଆସିବୁ କେବେ ସାଜି ମୋ ରାଣୀ, ତୁ ଥିଲେ ମୋ ଡର କାହାକୁ, ନେଇଯାରେ ମେଘ ମତେ, ଛାତି ଚିରି ଦେଲେ ତୁ, କାଳିଶଙ୍କର, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ, ଦେ ମା ଶକ୍ତି ଦେ, ରକତେ ଲେଖିଛି ନାଁ, ଉଦଣ୍ଡୀ ସୀତା, ତୁ ଏକା ଆମ ସାହା ଭରସା, ବାବୁ ଆଇ ଲଭ୍ ୟୁ, କଣ୍ଢେଇ ଆଖିରେ ଲୁହ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ପୁଅ ମୋର ଜଗତ ଜିତା, ସୁନା ଭାଉଜ, ଦାଦାଗିରି, ନାଗ ଜ୍ୟୋତି, ସହରୀ ବାଘ, ଗଙ୍ଗ ଶିଉଳି ଭଳି ଫିଲ୍ମରେ ତାଙ୍କର ଦବରଦସ୍ତ ସଂଳାପ ଦର୍ଶକଙ୍କୁ ବାନ୍ଧି ରଖେ।
ଓଡିଆ ଚଳଚ୍ଚିତ୍ର ଦୁନିଆରେ ରାଇମୋହନ ଜଣେ ଏମିତି କଳାକାର ଯାହାଙ୍କ ସଂଳାପଙ୍କୁ ସବୁଠାରୁ ଅଧିକ ମିମିକ୍ରି କରାଯାଏ। ଗାଁ ଗହଳୀରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଛୋଟ ମୋଟ ପ୍ରାୟ କଳାକାର ରାଇମୋହନଙ୍କ ସଂଳାପକୁ ମିମିକ୍ରି କରି ଦର୍ଶକଙ୍କୁ ମନୋରଂଜନ କରିଥାନ୍ତି। ତେବେ ଆସନ୍ତୁ ତାଙ୍କର କେତେକେ ଜଣାଶୁଣା ସଂଳାପ ଉପରେ ନଜର ପକେଇବା।
ରାଇମୋହନଙ୍କ ଜଣାଶୁଣା ସଂଳାପ:
- ହଁ… ଶୋଷ ଯେମିତି ପାଣି ପାଖକୁ ଯାଏ, ସେମିତି ମାଷ୍ଟରାଣୀ ପାଖକୁ ଛାତ୍ର ନ ଗଲେ ପାଠପଢା ବୁଝିବ କେମିତି? ହେଇ ଅନାନି…
- ଝିଲିମିଲିଆ ରେସିମି ବାଳ, ପୋଟଳ ଚିରା ଆଖିରେ କଜଳ ଗାର। ପାନ ପତୁରିଆ ଗୋଲାପୀ ମୁହଁରେ ତା’ର ଯୋଉ ବିୟୁଟି ସ୍ପଟ୍ଟା ନା, ଆହାଃ… ଛାତି ଭିତରତା ମୋର ଯେମିତି କେମିତି କେମିତି ଶିତେଇ ଉଠେ।
- ହେଇ ଅନାନି, ଏ ଜାଣି ପାରୁ ନାହାନ୍ତି। ଏଠି ପରା ଲେଖାହେଇଛି- ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ। ଏଇ ଅନାନି… ସୁରୂଜାକୁ ଦଉଚ, ଗାଁ ବାଲାକୁ ଦଉଚ, ଆଉ ମୋ ବେଳକୁ ଜାକିହଉଚ ନା। ଛେ… ଛେ… ଛେ…।
- ଏ କ’ଣ କିଓ, ଇଂରାଜୀ କିଏ ପଢିବ। ସେଗୁଡା ତ ଟୁକୁନା ପଢିବ। ଏ… ଅନାନି ଜ୍ୟୋତି ମାଷ୍ଟାରାଣୀ। ମୁଁ ଭୂଗୋଳ ପଢିବି। ତୋ ଦେହର ଭୂଗୋଳ।
- ଏ… ଅନାନି। ହାତ ମାରିଦେଲୁ। ଛୋଟୁରାଏ ଉପରେ ହାତ ମାରିଦେଲୁ। ଏ ଜାବ୍ଡାର ପ୍ରତିଧ୍ୱନୀ ଏ ଜଙ୍ଗଲ, ପାହାଡ ସବୁଆଡେ ପ୍ରତିଧ୍ୱନିତ ହେବ। ସେତେବେଳେ ଜାଣିବୁ ଏ ଛୋଟୁରାଏ କ’ଣ କରିପାରେ। ହେଇ… ଅନାନି…
- ମୋ ସାମ୍ନାରେ ଚପଲ ପିନ୍ଧି ଯିବାକୁ ସାହସ କେମିତି କଲୁ। ନାଇଁରେ ସତୁରା, ଭଗବାନ ମତେ ସବୁଦେଲେ, ହେଲେ ଗୋଟିଏ ଜିନିଷ ଅଭାବ ରଖିଦେଲେ। ସେଇଟା ହେଉଛି କ୍ଷମା। ମୋ ଜୀବନରେ କାହାକୁ କ୍ଷମା କରିପାରିଲିନି। ତୁ ଆଜି ମୋ ସାମ୍ନାରେ ଚପଲ ପିନ୍ଧି ଚାଲିଗଲୁ। କାଲିକି ମୋ ଛାତି ଉପରେ ଜୋତା ପିନ୍ଧି ପଳେଇବୁ। ନାଇଁ, ତୁ ଜୋତା ପିନ୍ଧି ପାରିବୁନି, ଚପଲ ବି ପିନ୍ଧି ପାରିବୁନି। ନାଗା! ତା’ ଗୋଡ ଦି’ଟା କାଟି ଦେ।
- କାବୁଲି… କାବୁଲି… କାବୁଲି… ହା… ହା… ହା… ହା… ହା... ହା…
- ମୋ ନାଁ ନାଗିନା, ମୋର ସବୁଠି ଚିହ୍ନା। କାଲ୍କୁଲେସନ ଜମା ଭୁଲ୍ କର୍ନା। ବୁଝିଲା ପୁଅ ହେଇଥିଲେ ଠିକି ବୁଝିବୁ।
- ଚାମୁଣ୍ଡା। ରୋହିଣୀ ନକ୍ଷତ୍ର ଶିଶୁ ପୁତ୍ର। ମୁଁ ତାକୁ ବଳିଦେଇପାରିଲେ, ମୁଁ ଅଜୟେ ହେଇଯିବି। ମୁଁ ଅମର ହେଇଯିବି। ତ୍ରିପୁରା ବିଜୟୀ କଂସ ହେଇଯିବି ମୁଁ। ମତେ କେହି ହରେଇ ପାରିବେନି। ଚାମୁଣ୍ଡା…।
- ସାପକୁ ଯେତେ କ୍ଷିର ଦେଇ ପୋଷିଲେ ବି, ତା’ ଚୋଟରେ ବିଷ ଥାଏ ରୁଦ୍ର ନାରାୟଣ।
- ଶୁଖିଲା କାଠ ବୋହି ବୋହି କେତେଦିନ ଜୀବନ ବିତେଇବୁ। ମୋ ବଗିଚା ଘରକୁ ଚାଲିଆ’। ଆରାମରେ ରଖିବି। ଆସିବୁ ନା… ଆ….
- ଟାର୍ଗେଟ୍… ଟାର୍ଗେଟ୍… ଟାର୍ଗେଟ୍…। ରାଇମୋହନକୁ ଆଜିପର୍ଯ୍ୟନ୍ତ କେହି ଟାର୍ଗେଟରେ ରଖି ପାରି ନାହାନ୍ତି। ବରଂ ଏ ରାଇମୋହନ ସମସ୍ତଙ୍କୁ ଟାର୍ଗେଟ୍ ରଖେ। ଉଷସୀ ମିଶ୍ର ବି କେୟାରଫୁଲ୍।