ଇଟାଲିରୁ ଉଦ୍ଧାର ହେଲା ଚୋରି ହୋଇଯାଇଥିବା ୧୨୦୦ ବର୍ଷ ପୁରାତନ ବୁଦ୍ଧ ପ୍ରତିମା

ଓଡ଼ିଆ ଗସିପ ବ୍ୟୁରୋ: ପ୍ରାୟ ୨୦ ବର୍ଷ ପୂର୍ବେ ଭାରତରୁ ଚୋରାଚାଲାଣ ହୋଇଯାଇଥିବା ଗୋଟାଏ ବିଶେଷ ପ୍ରକାରର ‘ଅବଲୋକିତେଶ୍ବର ପଦମପାଣି’ ପ୍ରତିମା ଉଦ୍ଧାର କରାଯାଇଥିବା କଥା ଶୁକ୍ରବାର ଦିନ ମିଲାନ୍ସ୍ଥିତ ଭାରତୀୟ କନ୍ସୁଲେଟ୍ କହିଛି।
କନ୍ସୁଲେଟ୍ କହିଛି, ୨୦୦୦ ମସିହା ପ୍ରାରମ୍ଭରେ ଚୋରି ହୋଇ ଭାରତ ବାହାରକୁ ଚୋରାଚାଲାଣ ହୋଇଥିବା ଉକ୍ତ ପ୍ରତିମା ଦେବୀସ୍ତାନ କୁଣ୍ଡୁଲପୁର ମନ୍ଦିରରେ ପ୍ରାୟ ୧୨୦୦ ବର୍ଷ ଧରି ରହିଥିଲା।
କନ୍ସୁଲେଟ୍ ଆହୁରି ମଧ୍ୟ କହିଛି, ଉକ୍ତ ପଥର ପ୍ରତିମାଟି ଅଷ୍ଟାଦଶରୁ ଦ୍ବାଦଶ ଶତାବ୍ଦୀ ସମୟରେ ନିର୍ମିତ ହୋଇଥାଇ ପାରେ। ଦଣ୍ଡାୟମାନ ଅବସ୍ଥାରେ ଅବଲୋକିତେଶ୍ବର ବାମ ହସ୍ତରେ ପ୍ରସ୍ଫୁଟିତ ପଦ୍ମଫୁଲର ନାଡ଼ଟିଏ ଧରିଛନ୍ତି। ବୌଦ୍ଧବାଦରେ ଅବଲୋକିତେଶ୍ବର ହେଉଛନ୍ତି ସମସ୍ତ ବୁଦ୍ଧଙ୍କ କରୁଣା ଧାରଣ କରିଥିବା ବୋଧି ସତ୍ତ୍ବ।
ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ କନ୍ସୁଲେଟ୍ କହିଛି, ଇଟାଲିର ମିଲାନ୍ରେ ସନ୍ଧାନ ମିଳିବା ପୂର୍ବରୁ ଉକ୍ତ ଭାସ୍କର୍ଯ୍ୟଟି (ପ୍ରତିମା) ସ୍ବଳ୍ପ ସମୟ ପାଇଁ ଫ୍ରାନ୍ସ୍ର କାରୁକଳା ବଜାରରେ ଦେଖାଯାଇଥିଲା। ସିଙ୍ଗାପୁରରେ ଥିବା ‘ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟ୍’ ଏବଂ ଲଣ୍ଡନ୍ସ୍ଥିତ ‘ଆର୍ଟ ରିକଭରି ଇଣ୍ଟର୍ନ୍ୟାସ୍ନାଲ୍’ ଚିହ୍ନଟ କରି ଚୋରି ପ୍ରତିମାଟିର ଫେରସ୍ତ ପାଇଁ ତୁରନ୍ତ ସହାୟତା କରିଥିଲେ।