ସ୍ୱାମୀ, ଶାଶୁଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ହେଲେ ଆଜି ସେ ଜଣେ ଦକ୍ଷ ଆଇଏଏସ୍ ଅଫିସର...

Untold story of IAS Sabita Pradhan

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାମୀ, ଶାଶୁ ମାଡ ଗାଳି ଦେଉଥିଲେ । ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବାକୁ ଯାଉଥିଲେ । ଏବେ ସେ ଜଣେ ଦକ୍ଷ ଆଇଏଏସ୍ । ଏ କାହାଣୀ ହେଉଛି ଆଇଏଏସ୍ ସବିତା ପ୍ରଧାନଙ୍କର । ସବିତାଙ୍କର ଜୀବନ ସଂଘର୍ଷ ଭରା ହେଲେ ଏବେ ସାରା ସମାଜ ତଥା ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିଛି ।

ଶାଶୁଘର ନିର୍ଯାତନାରୁ ନିଜ ଉପରୁ ମୋହ ଛାଡିଯାଇଥିଲା । ଟିକେ ଟିକେ କଥାରେ ସ୍ୱାମୀ ମାଡ ମାରୁଥିଲେ । ଶାଶୁ ମଧ୍ୟ ଅକଥନୀୟ ନିର୍ଯାତନା ଦେଉଥିଲେ । ଖାଇବାକୁ ମଧ୍ୟ ଭଲକି ଦେଉନଥିଲେ । ଦି ଦିଟା କୋଳ ପିଲାଙ୍କ ଦାୟିତ୍ୱ ସହ ଶାଶୁଘର ନିର୍ଯାତନା ଅସହ୍ୟ ହେଉଥିଲା । ଫଳରେ ଦିନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିଲେ ସବିତା, ହେଲେ ଗୋଟିଏ ଘଟଣା ତାଙ୍କ ମନକୁ ବଦଳାଇ ଦେଇଥିଲା । ଯାହା ଆଜି ତାଙ୍କୁ ସଫଳତାର ଶୀର୍ଷରେ ଛିଡା କରିଛି ।

୧୬ବର୍ଷ ବୟସରେ ବିବାହ, ୨୧ବର୍ଷ ବୟସରେ ନିର୍ୟାତନାର ଶିକାର ହୋଇ ଶାଶୁଘର ଛାଡ଼ିବାଠାରୁ ଆରମ୍ଭ କରି ଆଇଏଏସ୍ ହେବା ପର୍ୟ୍ୟନ୍ତ ସବିତାଙ୍କର ଏ କାହାଣୀ । ଆଇଏଏସ୍ ଅଧିକାରୀ ସବିତା ପ୍ରଧାନ ମଧ୍ୟପ୍ରଦେଶର ମଣ୍ଡି ଜିଲ୍ଲାର ବାସିନ୍ଦା । ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସବିତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା । ହେଲେ ବହୁ କଷ୍ଟରେ ସେ ୧୦ମ ପରୀକ୍ଷା ପାସ୍ କରିଥିଲେ ।

ଆହୁରି ପଢ଼ନ୍ତୁ : ନିଜ ମୃତ୍ୟୁ କୁ ଫେସବୁକ୍‌ରେ Live କଲେ, ପୋଲିସକୁ ଦାୟୀ କରି ଝୁଲିପଡ଼ିଲେ ପୁରୋହିତ...

ଦଶମ ପରେ ସେ ଅଧ୍ୟୟନ କରିବାକୁ ଚାହୁଁଥିଲେ, ହେଲେ ଭଲ ଘରୁ ବିବାହ ପ୍ରସ୍ତାବ ଆସିବାରୁ ତାଙ୍କର ଏହି ଇଚ୍ଛା ମରିଯାଇଥିଲା । ପରେ ସବିତାଙ୍କ ଶଶୁର କହିଥିଲେ ବିବାହ ପରେ ଝିଅକୁ ଆମେ ଡାକ୍ତର କରାଇବୁ । ସେ ବୋହୂ ନୁହେଁ, ଆମ ଝିଅ ଭଳି ରହିବ । ଶଶୁରଙ୍କ କଥାରେ ଖୁସି ହୋଇ ୧୬ବର୍ଷ ବୟସରେ ସବିତା ବିବାହ କରିବାକୁ ରାଜି ହୋଇଥିଲେ ।

ହେଲେ ବିବାହ ପରେ ଶାଶୁଘର ଲୋକ ସବିତାଙ୍କୁ ପାଠ ପଢ଼ିବାକୁ ଅନୁମତି ଦେଇ ନଥିଲେ । ସ୍ୱାମୀ ମାଡ଼ ମାରିବା ସହ ତାଙ୍କୁ ଠିକ ଭାବରେ ଖାଇବାକୁ ଦିଆଯାଉ ନଥିଲା । ୨୧ ବର୍ଷ ବୟସରେ ସବିତା ୨ଟି ସନ୍ତାନର ମା’ ହୋଇ ସାରିଥିଲେ ବି ତାଙ୍କ ଉପରେ ଅତ୍ୟାଚର କମ ହେଉନଥିଲା । ପ୍ରତିଦିନ ହେଉଥିବା ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ।

ଦିନେ ସେ ଜୀବନ ହାରିବା ପାଇଁ ବେକରେ ଓଢ଼ଣି ଗୁଡ଼ାଉଥିବା ବେଳେ ତାଙ୍କ ଶାଶୁ ତାଙ୍କୁ ଦେଖି ମଧ୍ୟ ଅଟକାଇ ନଥିଲେ । ଏହା ଦେଖି ଏଭଳି ହୃଦୟହୀନ ଲୋକଙ୍କ ପାଇଁ ଜୀବନ ହାରିବି ନାହିଁ ବୋଲି ମନସ୍ଥ କରିଥିଲେ ସବିତା । ୨ ସନ୍ତାନଙ୍କୁ ଧରି ଶାଶୁଘର ଛାଡିଦେଲେ । ସେତେବେଳକୁ ବଡ ପୁଅକୁ ମାତ୍ର ଦେଢ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ମାତ୍ର ୪ ମାସ ହୋଇଥାଏ । ଶାଶୁଘର ଛାଡିବା ପରେ ତାଙ୍କ ଜୀବନ ପଥ ଆହୁରି ଜଟିଳ ଥିଲା । ହେଲେ ଏହାକୁ ପାରି କରିଯାଇଥିଲେ ସବିତା । ଗୋଟିଏ ପାର୍ଲରରେ କାମ କରି ପିଲା ଦିଟାଙ୍କ ମୁହଁରେ ଦାନା ଦେଇଥିଲେ ।

ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥାଏ । ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇଁ ଲଗାତାର ପେନ୍ କିଲର ଖାଉଥିବାରୁ ତାଙ୍କ କିଡନୀ ଦୁଇଟି ଯାକ ସଂକ୍ରମିତ ହୋଇଯାଇଥାଏ । ଏପଟେ ଚିକିତ୍ସା ପାଇଁ ପାଖରେ ଅର୍ଥର ଘୋର ଅଭାବ । ଏହି ସମୟ ଭିତରେ ତାଙ୍କ ନଜରରେ ପଡିଥିଲା ଲୋକସେବା ଆୟୋଗର ବିଜ୍ଞାପନ ।

ଆହୁରି ପଢ଼ନ୍ତୁ : ମାରିଦେବ ଭେଜାଲ କଫସିରଫ, ଭୁବନେଶ୍ୱର ରେ ମିଳୁଛି ପେଟି ପେଟି ନକଲି କଫସିରଫ!

ଅନେକ ଦିନ ଧରି ପଢାରୁ ଅଭ୍ୟାସ ଛାଡିଯାଇଥିଲେ ବି ମନ ଛୋଟ କରିନଥିଲେ ସବିତା ବରଂ ଯେମିତି ହେଉ ୟୁପିଏସସି ପରୀକ୍ଷା ଦେବାକୁ ମନସ୍ଥ କରିଥିଲେ । ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଯୋଗୁଁ ତାଙ୍କ ଯନ୍ତ୍ରଣାସିକ୍ତ ଜୀବନରେ ଆଲୋକର ଛିଟା ପଡିବାକୁ ଲାଗିଲା । ୨୦୧୭ ମସିହାରେ ୟୁପିଏସସି ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଉତ୍ତୀର୍ଣ୍ଣ ହୋଇଥିଲେ ସବିତା । ସବିତାଙ୍କର ପ୍ରଥମ ପୋଷ୍ଟିଂ ମଧ୍ୟପ୍ରଦେଶର ନିଚମ ଜିଲ୍ଲା ସିଏମଓ ଭାବେ ହୋଇଥିଲା । କୋଳରେ ସାନ ପୁଅକୁ ଧରି କାମ କରିବାକୁ ଆସୁଥିଲେ ସବିତା ପ୍ରଧାନ, ଯାହା ସେ ସମୟରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିଥିଲା ।

ପ୍ରଥମ ବିବାହ ବିଫଳ ହେବା ପରେ ଏବେ ସେ ଡିଜିଟାଲ କ୍ରିଏଟର ହର୍ଷ ରାଏ ଗୌଡଙ୍କୁ ଦ୍ୱିତୀୟ ବିବାହ କରି ନିଜ ଦୁଇ ପୁଅଙ୍କ ସହ ବେଶ୍ ଖୁସିରେ ଅଛନ୍ତି ଆଇଏଏସ୍ ସବିତା ପ୍ରଧାନ । ଏହାସହ ପାଲଟି ଯାଇଛନ୍ତି ସାରା ସମାଜ ପାଇଁ ଉଦାହରଣ ।

Share this story

World Odia Language Conferene