World Odia Language Conferene

କରୋନା ସଙ୍କଟ ଭିତରେ ରଥଯାତ୍ରା, ପୁରୀ ବାସିନ୍ଦାଙ୍କ ସହଯୋଗ କାମନା କଲେ ମୁଖ୍ୟ ପ୍ରଶାସକ

କରୋନା ସଙ୍କଟ ଭିତରେ ରଥଯାତ୍ରା, ପୁରୀ ବାସିନ୍ଦାଙ୍କ ସହଯୋଗ କାମନା କଲେ ମୁଖ୍ୟ ପ୍ରଶାସକ
କରୋନା ସଙ୍କଟ ଭିତରେ ରଥଯାତ୍ରା, ପୁରୀ ବାସିନ୍ଦାଙ୍କ ସହଯୋଗ କାମନା କଲେ ମୁଖ୍ୟ ପ୍ରଶାସକ

ଓଡ଼ିଆ ଗସିପ ବ୍ୟୁରୋ: ସ୍ନାନଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ମୂଳପୀଠର କିଭଳି ବିଧି ରକ୍ଷାହେବ ସେଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ତ୍ୟାଗ କରିବାକୁ ପଡିବ ।

ବିଶେଷଭାବେ ପୁରୀରେ ଯେଭଳି କରୋନା ସଂକ୍ରମଣ ନହୁଏ ସେଥିପାଇଁ ସେ ପୁରୀବାସୀଙ୍କ ସହଯୋଗ କାମନା କରିଛନ୍ତି । ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ଯେଭଳି ଶ୍ରୀଜୀଉମାନଙ୍କ ସମସ୍ତ କାର୍ଯ୍ୟ ବିନା ବାଧାରେ ହେବ ସେଥିପାଇଁ ପୁରୀର ସମସ୍ତ ବାସିନ୍ଦାଙ୍କୁ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ଡକ୍ଟର କୁମାର କହିଛନ୍ତି ଯେ ସ୍ନାନପୂର୍ଣ୍ଣିମାରେ ନିୟୋଜିତ ସେବକଙ୍କ ମଧ୍ୟରୁ ଆଜିସୁଦ୍ଧା ୫୦ ପ୍ରତିଶତଙ୍କର କରୋନା ପରୀକ୍ଷା ସରିଥିବା ବେଳେ ଅବଶିଷ୍ଟଙ୍କର ଦିନେ ଦୁଇଦିନ ମଧ୍ୟରେ ହୋଇଯିବ । ସଂକ୍ରମଣ ରୋକିବାପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ତାହା ନିଶ୍ଚିତ ଭାବେ ସଫଳ ହେବ । ନିୟମ ମୁତାବକ ସାମାଜିକ ଦୂରତା ରକ୍ଷା କରାଯାଇ ସମସ୍ତ ନୀତିକାନ୍ତି କରିବାକୁ ଉଦ୍ୟମ ଅବ୍ୟାହତ ରହିଛି ।

କରୋନା ସଙ୍କଟ ଭିତରେ ରଥଯାତ୍ରା, ପୁରୀ ବାସିନ୍ଦାଙ୍କ ସହଯୋଗ କାମନା କଲେ ମୁଖ୍ୟ ପ୍ରଶାସକ

ରଥ ତିଆରି କାର୍ଯ୍ୟରେ ମହାରଣା, ଭୋଇ ଓ ରୂପକାରଙ୍କ ସହିତ ଅନ୍ୟ ସେବକମାନଙ୍କ କାର୍ଯ୍ୟକୁ ମୁଖ୍ୟ ପ୍ରଶାସକ ପ୍ରଶଂସା କରିବା ସହିତ ସେମାନେ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ । ଏମାନଙ୍କ ତ୍ୟାଗ ଯୋଗୁଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବା ସେ ସୂଚନା ଦେଇଥିଲେ ।

ରଥ ନିର୍ମାଣ ନେଇ ମିଳିଥିବା ସୂଚନା ଅନୁଯାୟୀ ଆଜି ଗରଗରା ଖାପ କାମ ପରେ ପାଞ୍ଚ ଦଣ୍ଡା ଉପରେ ଫିଟିଙ୍ଗ କାଯାଇ ପୋଲ ଗୟଳ ଲଗାଯାଇଛି । ଭୂଇଁ ଚଉଡା କାଠାରେ ସାଲ ସହ ବିନ୍ଧ କାମ ସରିଥିବାବେଳେ ନାଗ ଗୋଡରେ ରୂପକାର ସେବକମାନେ ରାହୁ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।

ଛନ୍ଦା ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୧୪ ନାହାକା କାଠରେ ଚାରି କ’ଣ ଅଂଶ ମରା କାମ ସରିଛି । ଚାରି ନାହାକାକୁ ବାନ୍ଧି ରଖିବାପାଇଁ ‘ଢମକ’ ପ୍ରସ୍ତୁତ ଚାଲିଛି । ଓଝା ସେବକମାନେ ଗୟଳ ଲଗାଇବାପାଇଁ ଆବଶ୍ୟକ ମତେ ଗୟଳକଣ୍ଟା ରଥ ଖଳାକୁ ଯୋଗାଇ ଦେଇଥିବାବେଳେ ବର୍ତ୍ତମାନ ପୋଟଳ କଣ୍ଟା ପ୍ରସ୍ତୁତ ଚାଲିଛି ।

Share this story