ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ, ମଦ ପିଇବା ହେଲା କାଳ!

Versatile Actor Pintu Nanda is no more

ଓଡ଼ିଆ ଗସିପ ବ୍ୟୁରୋ: ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ଘଟିଛି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ପିଣ୍ଟୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।

ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି । ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନ ଥିଲେ । ସୂଚନା ଅନୁଯାୟୀ, ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ ।

ଭୁବନେଶ୍ୱରରେ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆ ଦିଲ୍ଲୀ ସ୍ଥାନାନ୍ତର କରଯାଇଥିଲା । କିନ୍ତୁ ସେଠାରେ ଡୋନର ନ ମିଳିବାରୁ ପିଣ୍ଟୁଙ୍କୁ ହାଇଦ୍ରାବାଦ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା ।

ସବୁଠୁ ବଡ଼ କଥା ହେଲା ପିଣ୍ଟୁ ବହୁତ ମାତ୍ରାରେ ମଦ ସେବନ କରନ୍ତି । ସେ ନିଜେ ଡାକ୍ତର ଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କହିଥିଲେ ଯେ ସେ ପ୍ରତି ଦିନ ୫୦୦ ଏମଏଲ୍ ରୁ ଅଧିକ ମଦ ପିଅନ୍ତି । ଯାହା ତାଙ୍କ ଲିଭର ଖରାପ ହେବାର ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି ।

ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ।

ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Share this story

World Odia Language Conferene