ଚୀନ ପରେ ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ବ୍ୟାନ: ଜାଣନ୍ତୁ କାହିଁକି ଏମିତି ସାହସ କଲା ନେପାଳ…

ଚୀନ ପରେ ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ବ୍ୟାନ: ଜାଣନ୍ତୁ କାହିଁକି ଏମିତି ସାହସ କଲା ନେପାଳ…
ଚୀନ ପରେ ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ବ୍ୟାନ: ଜାଣନ୍ତୁ କାହିଁକି ଏମିତି ସାହସ କଲା ନେପାଳ…

ଓଡ଼ିଆ ଗସିପ ବ୍ୟୁରୋ: ଚୀନ୍ ପରେ ନେପାଳରେ ବ୍ୟାନ ହେଲା ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ । ନେପାଳର କେବୁଲ ଟିଭି ଅପରେଟରମାନେ ଦୂରଦର୍ଶନକୁ ଛାଡ଼ି ଅନ୍ୟ ସମସ୍ତ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ତେଣୁ ଏହି ପ୍ରସଙ୍ଗ ବର୍ତ୍ତମାନ ଚର୍ଚ୍ଚାକୁ ଅଧିକ ସରଗରମ କରିଛି ।

କେବୁଲ ଅପରେଟରଙ୍କ ଅଭିଯୋଗ ଯେ, ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଏବଂ ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କରେ ଅରୁଚିକର, ମିଥ୍ୟା ଓ କପୋଳକଳ୍ପିତ ଖବର ଦେଖାଉଥିବାରୁ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଯାଇଛି ।

ମଲ୍ଟି ସିଷ୍ଟମ ଅପରେଟର (MSOs) ଯେପରିକି ଡିସୋମ, ମେଗା ମ୍ୟାକ୍ସ, ଡିଏସଏନ ଏବଂ ମୋ ଟିଭି ଗୁରୁବାର ଦିନ ନେପାଳରେ ଭାରତୀୟ ନ୍ୟୁଜ ଚ୍ୟାନେଲଗୁଡିକର ପ୍ରସାରଣ କରିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଏହାର ଏକମାତ୍ର ବ୍ୟତିକ୍ରମ ହେଉଛି ରାଷ୍ଟ୍ରାୟତ୍ତ ଦୂରଦର୍ଶନ ନ୍ୟୁଜ ।

ମେଗା ମ୍ୟାକ୍ସ ଟିଭି କେବୁଲ ନେଟୱାର୍କର ଉପ-ସଭାପତି ଧ୍ରୁବ ଶର୍ମା କହିଛନ୍ତି ଯେ ନେପାଳ ବିଷୟରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ “ଅତ୍ୟଧିକ ତଥା ଅନିୟନ୍ତ୍ରିତ ପ୍ରଚାର” କରୁଛନ୍ତି, ବିଶେଷକରି ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଅଲି ଏବଂ ଚୀନ୍ ଦୂତ ହୋ ୟାନକିଙ୍କୁ ଦର୍ଶାଇଛନ୍ତି ।

ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସଦସ୍ୟ ତଥା ବୈଦେଶିକ ବ୍ୟାପାର ପରାମର୍ଶଦାତା ରାଜନ ଭଟ୍ଟରାଇ ଟ୍ୱିଟ୍ କରି କହିଛନ୍ତି ଯେ “ନୂତନ ମାନଚିତ୍ର ପ୍ରକାଶନ ପରେ ଆମ ପ୍ରଧାନମନ୍ତ୍ରୀ ତଥା ସରକାରଙ୍କ ବିରୋଧରେ ଭାରତୀୟ ଗଣମାଧ୍ୟମରୁ ଆସିଥିବା ଖବର ନିନ୍ଦନୀୟ । ଆମେ ସେମାନଙ୍କର ମିଥ୍ୟା ଏବଂ ନକଲି ରିପୋର୍ଟକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁ । ଆମର ସାର୍ବଭୌମତ୍ୱ ତଥା ଜାତୀୟ ସ୍ୱାଧୀନତା ଉପରେ ନେପାଳୀ ସରକାର ଏବଂ ଲୋକଙ୍କ ଏକୀକୃତ ସ୍ଥିତିକୁ ସମ୍ମାନ କରିବାକୁ ଆମେ ସେମାନଙ୍କୁ ଅନୁରୋଧ କରୁଛୁ ।”

ଏକ ସାମ୍ବାଦିକ ସମ୍ମିଳନୀରେ ନେପାଳର ସୂଚନା ମନ୍ତ୍ରୀ ୟୁବା ରାଜ ଖାତିୱାଡାଙ୍କୁ ପଚରାଯାଇଥିଲା ଯେ ସରକାର ଭାରତୀୟ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇବେ କି ନାହିଁ ଏବଂ ଯଦି ସରକାର ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ସଠିକ୍ ଖବର ପ୍ରଦାନ କରନ୍ତି ତେବେ ଏହା ଭଲ ହେବ ବୋଲି ସେ ଉତ୍ତର ଦେଇଛନ୍ତି ।

ତେବେ ନେପାଳରେ ଦେଶ, ଜାତୀୟତା, ସାର୍ବଭୌମତ୍ୱ ତଥା ଆତ୍ମ ସମ୍ମାନ ପ୍ରତି ବିପଦ ଥିବା ଭାରତୀୟ ଗଣମାଧ୍ୟମର ରିପୋର୍ଟ ବିରୋଧରେ ସରକାର ରାଜନୈତିକ ତଥା ଆଇନଗତ ପ୍ରତିକାର ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ନେପାଳର ସାର୍ବଭୈମତ୍ୱ ତଥା ଆତ୍ମ ସମ୍ମାନକୁ ଉଲ୍ଲଂଘନ କରୁଥିବା ଖବର ପ୍ରସାରଣ ନକରିବାକୁ ଆମେ ଗଣମାଧ୍ୟମକୁ ଅନୁରୋଧ କରୁଛୁ । ଏଥିରେ ପଡୋଶୀ ଦେଶର ଗଣମାଧ୍ୟମ ଅନ୍ତର୍ଭୁକ୍ତ ବୋଲି ଖତିୱାଡା କହିଛନ୍ତି ।

Share this story

World Odia Language Conferene