ଅଣସର ଘରେ ଚାଲିଛି ବଡ଼ ଠାକୁରଙ୍କ ଉପଚାର; ସୁସ୍ଥ ହେଉଛନ୍ତି ଶ୍ରୀଜିଉ

ଅଣସର ଘରେ ଚାଲିଛି ବଡ଼ ଠାକୁରଙ୍କ ଉପଚାର; ସୁସ୍ଥ ହେଉଛନ୍ତି ଶ୍ରୀଜିଉ
ଅଣସର ଘରେ ଚାଲିଛି ବଡ଼ ଠାକୁରଙ୍କ ଉପଚାର; ସୁସ୍ଥ ହେଉଛନ୍ତି ଶ୍ରୀଜିଉ

ଓଡ଼ିଆ ଗସିପ୍ ବ୍ୟୁରୋ: ଅଣସର ଘରେ ଚାଲିଛି ଶ୍ରୀଜିଉମାନଙ୍କ ଗୁପ୍ତ ଉପଚାର ନୀତି । ବଡ଼ ଠାକୁର ହଳଧର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହେଉଛି ଓଷୁଅ । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହୋଇଥିଲା । ଏହାପରେ ସାମାନ୍ୟ ସୁସ୍ଥ ହେଇଛନ୍ତି ପ୍ରଭୁ ।

ବୁଧବାର ଠାରୁ ଶ୍ରୀଜିଉଙ୍କୁ ଲାଗି ହେଉଛି ବିଭିନ୍ନ ଔଷଧୀୟ ଉପଚାର । ଅଣସରରେ ସୁଦ୍ଧସୁଆରମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲଗାଉଛନ୍ତି । ଆସନ୍ତା ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ ।

ସ୍ନାନ ଯାତ୍ରାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା ।

ଏବେ ଆସନ୍ତୁ ଜାଣିବା କଣ ଏହି ଅଣସର ନୀତି?

ଅଣସର ଘରେ ଚାଲିଛି ବଡ଼ ଠାକୁରଙ୍କ ଉପଚାର; ସୁସ୍ଥ ହେଉଛନ୍ତି ଶ୍ରୀଜିଉ
ଅଣସର ନୀତି

ଅଣସର ନୀତି

କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ: ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ । ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ । ଅଲଗା ହୋଇଥିବା ପଦାର୍ଥମାନଙ୍କୁ “କରାଳ” କୁହାଯାଏ ।

ଶ୍ରୀଅଙ୍ଗ ଫିଟା: ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ । ଶ୍ରୀଅଙ୍ଗ ଫିଟା ଓ କରାଲ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା ।

ଫୁଲରି ତେଲ ଲାଗି: ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ: ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ (କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ) ଯୋଗାଇଥାଆନ୍ତି । ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।

ଘରେ ପ୍ରସ୍ତୁତ ଫୁଲରି ତେଲ

ପଇତା ଲାଗି: ଅନସରରେ କେତେକ ସ୍ୱତନ୍ତ୍ର ନୀତିରେ ପାଟକନାକୁ ଛେଚି ବିଗ୍ରହମାନଙ୍କ ଦେହରେ ଛକି ପଡିଲା ଭଳି ବନ୍ଧାଯାଏ । ତାହା ଉପରେ ଚନ୍ଦନ ଲାଗି କରାଯାଏ । ଏହାକୁ ପଇତା ଲାଗି କୁହାଯାଏ । ବିଗ୍ରହରେ ଯେଉଁ ଲେପ ଦିଆଯାଏ ତାହା ଏହି ପଇତା ଲାଗି ପରେ ଦୃଢ଼ ହୋଇଥାଏ ।

ଫୁଲୁରି ଲାଗି: ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ । ଏହାକୁ ମଧ୍ୟ ‘ଶ୍ରୀତୈଳ’ କୁହାଯାଏ । ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ । ବିଗ୍ରହରେ ଏହି ତେଲ ଘଷାଯାଏ ।

ଶ୍ରୀକପଡ଼ା ଉତ୍ସବ ବା ପଟ୍ଟାବନ୍ଧନ: ଆଷାଢ଼ କୃଷ୍ଣ ଅଷ୍ଟମୀ: ଏହିଦିନ ଶ୍ରୀ ଜୀଉମାନଙ୍କୁ କପଡ଼ା ବନ୍ଧନ କରାଯାଏ । ଶ୍ରୀତୈଳ ଘଷାଯିବା ପରେ କ୍ଷୀର, ଅରୁଆ ଚାଉଳ ରନ୍ଧାଯାଇ ପଟସୂତ୍ରରେ ମର୍ଦ୍ଦନ କରାଯାଇ ବନ୍ଧାଯାଏ । ଏହି ପଟସୂତ୍ର ଶ୍ରୀଅଙ୍ଗ ଲାଗି ହେଇଥିବାରୁ ଏହାକୁ ‘ଶ୍ରୀକାପଡ଼ା’ କୁହାଯାଏ ।

ମସୃଣ ଲେପନ: ଆଷାଢ଼ କୃଷ୍ଣ ନବମୀ: ଶ୍ରୀକାପଡ଼ା ବନ୍ଧାଯିବା ପରେ ସର୍ବାଙ୍ଗରେ ଏକ ଲେପ ଦିଆଯାଏ । ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ରାଶିତେଲ, ଏବଂ ଝୁଣା ଇତ୍ୟାଦି ଲେପନ କରାଯାଏ ।

ଚକା ବିଜେ: ଆଷାଢ଼ କୃଷ୍ଣ ଦଶମୀ: ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ । ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ । ଦଶମୂଳ ମୋଦକ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ ।

ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି । ତିନିଟି ପଥର ଚକତି ଉପରେ ଶ୍ରୀ ଜୀଉମାନଙ୍କୁ ଅବସ୍ଥାପିତ କରି କସ୍ତୁରି, କୁଙ୍କୁମ ଇତ୍ୟାଦି ଲେପନ କରାଯାଏ । ଏହି ଚକତିମାନଙ୍କ ମଧ୍ୟରୁ ଗୋଟିକରେ ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତଥା ଅନ୍ୟ ଗୋଟିଏ ଲେଖାଁଏରେ ଶ୍ରୀବଳଭଦ୍ର ଓ ସୁଭଦ୍ରା ଅବସ୍ଥାପିତ ହୁଅନ୍ତି ।

ଚନ୍ଦନ ଲାଗି: ଆଷାଢ଼ କୃଷ୍ଣ ଏକାଦଶୀ: ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ ।

ଖଡ଼ି ଲାଗି: ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ ।

ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ : ଆଷାଢ଼ କୃଷ୍ଣ ଦ୍ୱାଦଶୀ: ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ । ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ । ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ । ଏହାକୁ ନିର୍ମାଲ୍ୟ କୁହାଯାଏ । ୟାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି ।

ଅଣସର ତ୍ରୟୋଦଶୀ: ଆଷାଢ଼ କୃଷ୍ଣ ତ୍ରୟୋଦଶୀ: ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ । ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯାଏ । ଏବଂ ଶଙ୍ଖକୁ ପୋଡି ଯେଉଁ ଭସ୍ମ ବାହାରେ ତାହା ଖଡ଼ି ପ୍ରସାଦ ଭାବେ ବିଦିତ ।

ବନକ ଲାଗି: ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ: ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କରନ୍ତି । ବନକ ଲାଗିରେ ଜୀଉମାନଙ୍କର ରୂପ କାମ କରାଯାଏ ।

ଚକା ଅସରପ: ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ । ଏହାକୁ ଚକା ଅସରପ ନୀତି କୁହାଯାଏ । ଏହି ଦିନ ହିଁ ଅଣସରରର ଶେଷ ଦିବସ ।

ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା (ଉଭା ଅମାବାସ୍ୟା): ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଉଭା କରାଯାଏ ।

Share this story

World Odia Language Conferene