କପିଳେଶ୍ବର ମନ୍ଦିରକୁ ଏଏସ୍‌ଆଇ ହାତକୁ ନେବା ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କୁ ଲୋକହସା କଲେ ସାଂସଦ ଅପରାଜିତା

 

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟ ବିଜେପିରେ ସବୁକିଛି ଠିକ୍‌‌ ଚାଲିନାହିଁ; ଏ କଥା ସମସ୍ତଙ୍କୁ ଜଣା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ମଧ୍ୟରେ ସମନ୍ୱୟ ଅଭାବ ନେଇ ହେଉଥିବା ଚର୍ଚ୍ଚା ଚାଲିଥିବାବେଳେ ମଙ୍ଗଳବାର ଏକାମ୍ର କ୍ଷେତ୍ରର ‘କପିଳେଶ୍ୱର ମନ୍ଦିର’ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଶ୍ରେୟ ପ୍ରତିଯୋଗିତା ରାଜ୍ୟ ବିଜେପି ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି ।

ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କପିଳେଶ୍ୱର ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ଚିଠି ଲେଖିଥିଲେ । ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ସୁନ୍ଦର ଐତିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ । ଏହି ଶୈବପୀଠ ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ । ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ ।

ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ ଧର୍ମେନ୍ଦ୍ର । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ଧର୍ମେନ୍ଦ୍ର ଲେଖିଥିବା ଚିଠି ଗଣମାଧ୍ୟମକୁ ପ୍ରଦାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ : ପାୱାର କେନାଲରେ ପୁରୁଷ ବନ୍ଧୁଙ୍କ ସହ ବୁଲି ଯାଇଥିବା ବେଳେ ଭାସିଯାଇ ଯୁବତୀ ନିଖୋଜ

ମାତ୍ର ଏହି ଚିଠିର କିଛି ଘଣ୍ଟା ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଟ୍ୱିଟ୍‌‌ କରିଥିଲେ । ସେଥିରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ କପିଳେଶ୍ୱର ମନ୍ଦିର ସଂରକ୍ଷଣ ନିମନ୍ତେ କରିଥିବା ଅନୁରୋଧପତ୍ର, ତାଙ୍କୁ ଭେଟିଥିବାର ଫଟୋ ସହ ଗତ ଏପ୍ରିଲ ୩ ତାରିଖରେ ଏ ସଂକ୍ରାନ୍ତ ଅନୁରୋଧ ସମ୍ପର୍କରେ ଉଲ୍ଲେଖ ଥିଲା ।

ଏହା ସହିତ ଗତ ୫ ତାରିଖରେ କେନ୍ଦ୍ର ସରକାରଙ୍କ ଗେଜେଟ୍‌‌ରେ କପିଳେଶ୍ୱର ମନ୍ଦିରକୁ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ଅନ୍ତର୍ଗତ ଜାତୀୟ ଐତିହ୍ୟସ୍ଥଳୀ ମାନ୍ୟତା ଦିଆଯାଇଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଉଲ୍ଲେଖ କରିବା ସହ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଚିଠି ଓ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଟ୍ୱିଟ୍‌‌ ମଧ୍ୟରେ ଥିବା ପାରସ୍ପରିକ ବିରୋଧାଭାଷ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କପିଳେଶ୍ୱର ମନ୍ଦିରକୁ ଜାତୀୟ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ନେଇ କେନ୍ଦ୍ର ସରକାର ଗତ ୫ ତାରିଖରେ ଗେଜେଟ୍‌‌ ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଶ୍ରୀ ପ୍ରଧାନ କେଉଁ ପରିସ୍ଥିତିରେ ଏପରି ଚିଠି ଲେଖିଲେ ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସତରେ କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ ଅଜ୍ଞ ଥିଲେ, ନା ଚିଠି ଲେଖି କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଶ୍ରେୟ ନେବାକୁ ଚାହୁଁଥିଲେ ତାହା ଏଯାଏ ସନ୍ଦେହାଛନ୍ନ ।

ଆହୁରି ପଢ଼ନ୍ତୁ : ଭାରତରେ ବନ୍ଦ ହୋଇଯିବ ଡିଜେଲ ଗାଡି, ସରକାର ଆଣିଲେ ଏପରି ନିୟମ...

ଅନ୍ୟପକ୍ଷରେ କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରେୟ ନେବା ଉଦ୍ୟମକୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭଣ୍ଡୁର କରି ଦେଇଥିବା କୁହାଯାଉଛି । ସେ ଯେଉଁ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ, ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେହି ମନ୍ଦିର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପକୁ ସମ୍ଭବତଃ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିବାର କିଛି ଘଣ୍ଟା ମଧ୍ୟରେ ସେ ନିଜର ପୁରୁଣା ଦାବି, ସରକାରଙ୍କ ଗେଜେଟ୍‌‌ ବିଜ୍ଞପ୍ତି ଆଦି ପ୍ରକାଶ କରି ଶ୍ରୀ ପ୍ରଧାନଙ୍କୁ ଲୋକହସା କରିବା ସୁଯୋଗକୁ ଆଦୌ ହାତଛଡ଼ା କରି ନାହାନ୍ତି ବୋଲି ଚର୍ଚ୍ଚା ଚାଲିଛି ।