ମାଟ୍ରିମୋନିରେ ଜୀବନ ସାଥୀ ବାଛି ହରଡ଼ଘଣାରେ ପଡିଲେ ମହିଳା OAS ଅଫିସର

 

ଓଡ଼ିଆ ଗସିପ ବ୍ୟୁରୋ : ମାଟ୍ରିମୋନିରୁ ଜୀବନ ସାଥୀ ଖୋଜି ଠକାମିର ଶିକାର ହୋଇଛନ୍ତି ଜଣେ ମହିଳା OAS ଅଫିସର । ସେପଟେ ଏହି OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ । ପତ୍ନୀଙ୍କ ଅଭିଯୋଗ, ମିଛରେ ନାଲକୋର ଡେପୁଟୀ ମ୍ୟାନେଜର କହି ତାଙ୍କୁ ତାଙ୍କ ସ୍ବାମୀ ବିବାହ କରିଛନ୍ତି ।

ଏହାକୁ ନେଇ ବିବାଦ ଉପୁଜିବା ପରେ ସଂପୃକ୍ତ ମହିଳା ଅଧିକାରୀ ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ।

ପ୍ରଥମେ ମାଟ୍ରିମୋନିରୁ ପରିଚୟ । ପରେ ଦେଖାସାକ୍ଷାତ । ଆଉ ତା’ପରେ ପରେ ନିର୍ବନ୍ଧ ସହ ବିବାହ । କିନ୍ତୁ ଦୁର୍ଭାଗ୍ୟ, ୩ ମାସ ବି ଗଲାନି । ସେହି ବିବାହ ଏବେ ବିବାଦ ଘେରରେ।  ହଙ୍ଗାମା ମଚାଉଛନ୍ତି ପତ୍ନୀ । ଶାଶୂ ଘର ଆଗରେ ପାଟିତୁଣ୍ଡ...ଥାନା ଯାଏଁ ଟାଣିଲେଣି ମାମଲାକୁ ।

ଆହୁରି ପଢ଼ନ୍ତୁ : ଝାରସୁଗୁଡ଼ା ଉପ-ନିର୍ବାଚନ : ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ ଦୀପାଳି

ଅଭିଯୋଗକାରିଣୀ କୌଣସି ସାଧାରଣ ମହିଳା ନୁହଁନ୍ତି, ସେ ଜଣେ ଲେଡି OAS ଅଫିସର । ଯାହାଙ୍କ ଏତଲା ଆଧାରରେ ଶାଶୁ ଶ୍ୱଶୁର ବି ଟଣା ହୋଇଗଲେଣି ଥାନାକୁ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ ।

ଅଭିଯୋଗକାରିଣୀ ହେଉଛନ୍ତି, ORSରୁ OASକୁ ପଦୋନ୍ନତି ପାଇ ଜୟପୁର ବ୍ଲକରେ ପ୍ରୋବେସନରେ ଥିବା ଅଧିକାରୀ ରିତୁ ସିଂ । ତାଙ୍କ ଅଭିଯୋଗ, ଜୟପୁର ଲିଙ୍ଗରାଜ ନଗରର ସ୍ବାମୀ ହରିହର ରଥ ନିଜକୁ ଦିଲ୍ଲୀରେ ନାଲକୋର ଡେପୁଟୀ ମ୍ୟାନେଜର ଥିବା କହି ବିବାହ କରିଛନ୍ତି । କିନ୍ତୁ ସେ ସେମିତି କୌଣସି ପଦବୀରେ ଥିଲା ଭଳି ଲାଗୁନାହିଁ । ମୋତେ ମିଛ କହି ବିବାହ କରିଛନ୍ତି, ମୁଁ ଠକାମୀର ଶୀକାର ହୋଇଛି ।

ରିତୁ ସିଂଙ୍କ ଅଭିଯୋଗ, ମ୍ୟାଟ୍ରିମୋନିରୁ ପରିଚୟ ହେବା ପରେ ଗତ ଅକଟୋବର ୨୩ରେ ହରିହରଙ୍କ ସହ ହୋଇଥିଲା ନିର୍ବନ୍ଧ । ପରେ ଫେବ୍ରୁୟାରୀ ୯ରେ ବୈଦିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ହରିହରଙ୍କ ସହ ବିବାହ ପରେ ଦିଲ୍ଲୀକୁ ବି ଯାଇଛନ୍ତି ରିତୁ ସିଂ ।

ଦିଲ୍ଲୀରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୩୦ ଯାଏଁ ରହିଛନ୍ତି । ଏହି ରହଣୀ ଭିତରେ ସେଠାରେ ସନ୍ଦେହ ହେବା ପରେ ଜୟପୁରକୁ ଫେରିଆସି ଅନୁସନ୍ଧାନ ଚଳାଇଥିଲେ ରିତୁ । ଏପରିକି ସ୍ବାମୀ ହରିହର ରଥଙ୍କୁ ବି ବାରମ୍ବାର କଲ କରି ପଚାରିଛନ୍ତି । କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଗତ ରାତିରେ ଶାଶୁ ଘରକୁ ଯାଇ ଚାକିରୀ ସମ୍ବନ୍ଧୀୟ କାଗଜପତ୍ର ମାଗିଛନ୍ତି ।

ଆହୁରି ପଢ଼ନ୍ତୁ : ମିଥ୍ୟା ଦୁଷ୍କର୍ମ ଏତଲା ଦେଇ ଲୋକଙ୍କୁ କରୁଥିଲେ ବ୍ଲାକ୍‌‌ମେଲ୍‌, ବହୁରୂପୀ ମହିଳାଙ୍କୁ ଗିରଫ କଲା ପୋଲିସ

ଏଥିରେ ବିଫଳ ହେବାରୁ ପାଟିତୁଣ୍ଡ କରିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି OAS ବୋହୂ ରିତୁ ସିଂ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ହରିହରଙ୍କ ବାପା, ମା’ଙ୍କୁ ଟାଉନଥାନାକୁ ଡାକି ପଚରାଉଚରା କରିଛି । ତେବେ ମୋବାଇଲ ସୁଇଚ୍ ଅଫ୍ ରହୁଥିବାରୁ ଏନେଇ ହରିହରଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତାଙ୍କ ବାପା, ମା’ କହିଛନ୍ତି, ପୁଅ ନାଲକୋରେ ମ୍ୟାନେଜର ଅଛି, କିନ୍ତୁ ରେଗୁଲାର ପୋଷ୍ଟରେ ନାହିଁ । ପୁଅ ବୋହୂ ଭିତରେ କ’ଣ ଘଟିଛି ଆମେ କିଛି ଜାଣିନୁ ।

ଜୟପୁର ସହରର ପାରାବେଡ଼ାର ରିତୁ ସଂ କେବଳ ଜଣେ OAS ଅଫିସର ନୁହଁନ୍ତି, ସେ ଜଣେ ପ୍ରତିଷ୍ଠିତ କ୍ରିକେଟ ଖେଳାଳୀ । ଓଡ଼ିଶା ରଣଜୀ ଟ୍ରଫିରେ ୧୯ ବର୍ଷରୁ କମ୍ ମହିଳା ବର୍ଗରେ ଖେଳି ଗୌରବ ଅର୍ଜନ ମଧ୍ୟ କରିଛନ୍ତି । କିନ୍ତୁ ଗୋଟିଏ ସହରରେ ରହୁଥିବା ହରିହରଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ନକରି ମାଟ୍ରିମୋନି ଆଧାରରେ କାହିଁକି ବିଶ୍ବାସ କଲେ ଏନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।