ଦୁଇ ଦିନ ରହିବ କୋହଲା ପାଗ, ଆଜି ୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ

 

ଓଡ଼ିଆ ଗସିପ ବ୍ୟୁରୋ: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇଛି । ଶୁକ୍ରବାର ବର୍ଷାର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାକୁ ଥିବା ବେଳେ ଆଉ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ : ସାବଧାନ୍ ! ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଏକୁଟିଆ ଯୁକ୍ତ ୨ ଛାତ୍ରୀଙ୍କୁ ଦେଖି ଅସଦାଚରଣ କରୁଛି ଅଭଦ୍ର ଯୁବକ

ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳରେ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଆସନ୍ତା କାଲି ସଂଧ୍ୟା ସୁଦ୍ଧା ପାଗରେ ପରିବର୍ତ୍ତନ ଆସିବ ।

ସଂଧ୍ୟା ବେଳକୁ ପାଗ ସଫା ହେବ । ଏବଂ ପରଦିନଠାରୁ ତାପମାତ୍ରା ବଢିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଆଶା କରାଯାଉଥିଲା, ବର୍ଷା ହେଲେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବ କିନ୍ତୁ ଆଖି ଦୃଷ୍ଟିଆ ବର୍ଷା ହୋଇନଥିବାରୁ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଚିନ୍ତା ବଢିଛି ।