ସେଲ୍ଫି ନେବା ହେଲା କାଳ, ଗୋଡ଼ ଖସି ଯିବାରୁ ୧୦୦ ଫୁଟ ଉର୍ଦ୍ଧ୍ବରୁ ତଳକୁ ଖସି ଯୁବକଙ୍କ ମୃତ୍ୟୁ

 

ଓଡ଼ିଆ ଗସିପ ବ୍ୟୁରୋ: ସେଲ୍ଫି ନେବା ହେଲା କାଳ । ଏହି ଘଟଣା ରାଜ୍ୟରେ ବହୁବାର ଘଟିଥିଲେ ସୁଦ୍ଧା ଯୁବପିଢ଼ି ଏଥିରୁ ଦୁରେଇ ରହିବାରେ ପଛାଉନାହାନ୍ତି । ସାଙ୍ଗସାଥିଙ୍କ ସହ ସେଲ୍ଫି ନେଉଥିବା ବେଳେ ଗୋଡ଼ ଖସି ଯିବାରୁ ୧୦୦ଫୁଟ ଉର୍ଦ୍ଧ୍ବରୁ ତଳକୁ ଖସି ସୀତାକୁଣ୍ଡ ଜଳପ୍ରପାତରେ ବୁଡି ଜଣେ ବିବାହିତ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣଙ୍କ ବାରିପଦାର ୱାର୍ଡ ନମ୍ବର ୧୫ ପୁର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଅଲୀନ ବାଗଙ୍କ ପୁଅ ଘନଶ୍ୟାମ (୨୨) । ସୂଚନା ଅନୁଯାୟୀ, ଘନଶ୍ୟାମ ତାଙ୍କ ସାନ ଭାଇ ଓ ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହିତ ବୁଧବାର ଶିମିଳିପାଳ ଅଭୟାରଣ୍ୟର ପୀଠାବଟା ବନ ତନଖି ଫାଟକ ନିକଟ ସୀତାକୁଣ୍ଡ ଜଳପ୍ରପାତ ବୁଲିବାକୁ ଯାଇଥିଲେ ।

ଅପରାହ୍ନ ସମୟରେ ସୀତାକୁଣ୍ଡ ଜଳପ୍ରପାତର ଉପର କୁଣ୍ଡରୁ ସାଙ୍ଗଙ୍କ ସହିତ ସେଲ୍ଫି ନେଉଥିବା ବେଳେ କୌଣସି କାରଣ ପାଇଁ ଘନଶ୍ୟାମଙ୍କ ଗୋଡ଼ ଖସି ଯିବାରୁ ପଥରରେ ମାଡ଼ ହେବା ସହ ପ୍ରାୟ ୧୦୦ଫୁଟ ତଳେ ଥିବା କୁଣ୍ଡ ପାଣିରେ ପଡି ବୁଡି ଯାଇଥିଲେ ।

ଅଧିକ ପଢ଼ନ୍ତୁ : ବାଙ୍କୀ ଚର୍ଚ୍ଚିକାରୁ ଘଟଗାଁ ତାରିଣୀ ପୀଠ ମାନସିକ ପୂରଣ ଲାଗି ୨ ଶହ କିମି ପଦଯାତ୍ରା କଲେ ଏହି ବୟସ୍କ ବ୍ୟକ୍ତି...

ସାଙ୍ଗମାନେ ସ୍ଥାନୀୟଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ସମୟ ଧରି ଖୋଜାଖୋଜି କରିବା ପରେ ପ୍ରାୟ ୨୦ଫୁଟ ଉର୍ଦ୍ଧ୍ବ ପାଣି ଭିତରୁ ଘନଶ୍ୟାମକୁ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଆଣିଥିଲେ ।

ତେବେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସଦର ଥାନା ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ । ଘନଶ୍ୟାମ ବିବାହ କରିଥିବା ବେଳେ ୭ ମାସର ସନ୍ତାନ ଅଛି ।