ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଜନଅସନ୍ତୋଷ, ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼; ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ଆରମ୍ଭ

 

ଓଡ଼ିଆ ଗସିପ ବ୍ୟୁରୋ : ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ । ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

ଏପରକି ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ଦଳ ଅଭିଯୋଗ କରିଛି ଯେ, ବିଦ୍ୟୁତ୍‌ କାଟ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି । ଘଟଣାରେ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି । ସେପଟେ ଲୋକଙ୍କ ଦୁର୍ଦ୍ଦଶାକୁ ଦୁଇଗୁଣ କରୁଛି କାଳବୈଶାଖୀ । ଅସରାଏ ବର୍ଷା ଆଉ ପବନରେ ଠପ୍‌ ହେଇଯାଉଛି ବିଜୁଳି ସେବା । ଯାହାକୁ ନେଇ ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତକାଲି ଶକ୍ତିମନ୍ତ୍ରୀ ପାୱାର କଟ୍‌କୁ ସିଧାସଳଖ ମାନିଲେନି ସତ, ହେଲେ ସତ ଧରାଇ ଦେଇଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ : ପଡ଼ୋଶୀଙ୍କ ବିବାହରେ ନାଚିବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

ମନ୍ତ୍ରୀ କହିଥିଲେ, ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ବିଜୁଳି ବିଭ୍ରାଟ ହେଉଛି । ତଥ୍ୟ କହୁଛି ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଛି । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଛନ୍ତି । ଅନ୍ୟପଟେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଯୋରଦାର ପ୍ରତିବାଦ ଆରମ୍ଭ ହୋଇଛି ।

ସେପଟେ ରାଜ୍ୟବ୍ୟାପୀ ଅଘୋଷିତ ବିଦ୍ୟୁତ୍‌‌ କାଟକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି । ଗ୍ରାମାଞ୍ଚଳରୁ ରାଜଧାନୀ ଯାଏ ଅଘୋଷିତ ବିଦ୍ୟୁତ୍‌‌ କାଟ ନେଇ ପୁଳାପୁଳା ଅଭିଯୋଗ ଆସୁଥିବା ବେଳେ ବିତରକ କମ୍ପାନୀ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି । ବିତରକ କମ୍ପାନୀର ଏପରି ମନୋମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଲୋକେ କଡ଼ା ଆପତ୍ତି ପ୍ରକାଶ କରୁଥିବା ବେଳେ ଏହାର ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ତ୍ବରିତ ସମାଧାନ ପାଇଁ ମୁଖ୍ୟ ସଚିବ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାରର ୪ କମ୍ପାନୀର ସିଇଓଙ୍କୁ ବୈଠକରେ ଯୋଗ ଦେବା ପାଇଁ ଡକାଯାଇଛି। ବାରମ୍ୱାର ବିଜୁଳି କାଟ ଜନିତ ସମସ୍ୟା ଦୂର ନେଇ ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ଗତ ଶନିବାର ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏନେଇ ପ୍ରତିକ୍ରିୟା ରଖି ଭିତ୍ତିଭୂମି ଅଭାବ ଏବଂ କାଳବୈଶାଖୀକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ପାୱାର କଟ୍‌‌ ହେଉନାହିଁ । ମାତ୍ର ପବନ ହେଲେ ଆମେ ବିଜୁଳି କାଟିବାକୁ ବାଧ୍ୟ ହେଉଛୁ। କାଳବୈଶାଖୀ ଯେଉଁଭଳି ଭାବେ ହେଉଛି; ଅନେକ ସ୍ଥାନରେ ଖୁଣ୍ଟ ଉପୁଡ଼ିଯାଇଛି । ଏହାକୁ ମରାମତି କରିବା ସମୟ ସାପେକ୍ଷ ଅଟେ । ଆଖି ପିଛୁଳାକେ ତାହା ହୋଇଯିବ ନାହିଁ ।

ଅଧିକ ପଢ଼ନ୍ତୁ : ଅନୁଭବ ନୁହେଁ, କେନ୍ଦ୍ରାପଡା ରୁ ବିଜେଡି ଟିକେଟ ପାଇବେ ଜୟନ୍ତ ! ଦେଖନ୍ତୁ ଏହି ଭିଡିଓ

ସେହିପରି ଉପଭୋକ୍ତାମାନେ ଯେଉଁ ହାରରେ ବିଦ୍ୟୁତ୍‌‌ ବ୍ୟବହାର କରୁଛନ୍ତି, ସେହିହାରରେ ଆମର ଭିତ୍ତିଭୂମି ହେବାର ଆବଶ୍ୟକତା ରହିଛି। ଅନେକ ସ୍ଥାନରେ କ୍ଷମତା ବାହାରେ ଲୋଡ୍‌ ରହୁଥିବାରୁ ତାର ଏବଂ ଟ୍ରାନ୍ସଫର୍ମର ପୋଡ଼ିଯିବା ଭଳି ସମସ୍ୟା ଦେଖାଦେଉଛି । ଯାହାର ତୁରନ୍ତ ସମାଧାନ ବଡ଼ ଚ୍ୟାଲେଞ୍ଜ ହୋଇଛି । ଭିତ୍ତିଭୂମି ଅଭାବରୁ ଏଭଳି ସମସ୍ୟା ଉପୁଜୁଛି। ରାଜ୍ୟରେ ଶକ୍ତି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେବ ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌‌ କାଟ ବହୁତ ମାତ୍ରାରେ ହେଉଥିବା ବେଳେ ସରକାର ବାରମ୍ବାର ତାଗିଦା କରୁଛନ୍ତି । ତଥାପି ବିତରକ କମ୍ପାନୀଗୁଡ଼ିକ ସମସ୍ୟାର ଉପଯୁକ୍ତ ସମାଧାନ କରିବାରେ ଆପାତତଃ ବିଫଳ ହୋଇଛନ୍ତି । ରାଜନୈତିକ ଦଳଠାରୁ ଆରମ୍ଭ କରି ସାମାଜିକ ସଂଗଠନ ଏପରିକି ରାଜ୍ୟ ମୁଖ୍ୟ ସଚିବ ଏନେଇ ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ଗତକାଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଟୁଇଟ କରି ଏନେଇ ଅସନ୍ତୋଷ ଜାହିର୍‌‌ କରିଥିଲେ । ଏହାପରେ ଆଜି ସେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇବା ପରୋକ୍ଷରେ ଉପରୋକ୍ତ ସମସ୍ୟାକୁ ନେଇ ସରକାର କେତେମାତ୍ରାରେ ଗମ୍ଭୀର ଅଛନ୍ତି ତାହା ସୂଚାଇ ଦେଉଛି ।

ଅପରପକ୍ଷେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌‌ ଉପଭୋକ୍ତା ମହାସଂଘ ପକ୍ଷରୁ ମଧ୍ୟ ଏନେଇ ଆନ୍ଦୋଳନ ଡକରା ଦିଆଯାଇଛି । ଅଘୋଷିତ ବିଜୁଳି କାଟ୍‌‌ ବନ୍ଦ ନ ହେଲେ ରାଜ୍ୟରେ ଦେଖା ଦେଇଥିବା ଜନଅସନ୍ତୋଷକୁ ନେଇ ରାଜରାସ୍ତାକୁ ଓହ୍ଲେଇବ ବୋଲି ଆଜି ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌‌ ଉପଭୋକ୍ତା ମହାସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ବିରୋଧୀ କଂଗ୍ରେସ ମଧ୍ୟ କଡ଼ା ଆପତ୍ତି ପ୍ରକାଶ କରିଛି। ଆସନ୍ତା ୨ ଦିନ ମଧ୍ୟରେ ଅଘୋଷିତ ବିଜୁଳି କାଟ ବନ୍ଦ ନହେଲେ ଦଳ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରଉ କରାଯିବ ବୋଲି ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି । ସେହିପରି ବିଜେପି ସହ ଅନ୍ୟ ଦଳମାନଙ୍କ ପକ୍ଷରୁ ଏନେଇ କଡ଼ା ଅସନ୍ତୋଷ ପ୍ରକାଶ ସହ ଆବଶ୍ୟକ ପଡ଼ିଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।