ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ : ଓଡ଼ିଶା ଉପକୂଳରେ ବୃଦ୍ଧି ପାଉଛି ସମୁଦ୍ର ଜଳସ୍ତର, ଏହି ୪ଟି ଉପକୂଳ ଓଡିଶା ପାଇଁ ବଡ଼ ବିପଦ...

 

ଓଡ଼ିଆ ଗସିପ ବ୍ୟୁରୋ: ଓଡ଼ିଶା ଉପକୂଳ ପାଇଁ ବଢୁଛି ବିପଦ । ବଙ୍ଗୋପସାଗର ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି । ଅଧିକାଂଶ ଉପକୂଳିଆ ଜିଲ୍ଲା ଆଗକୁ ଜଳମଗ୍ନ ହେବାକୁ ଯାଉଛି । ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟର ଅନେକ ଉପକୂଳିଆ ଜିଲ୍ଲା ପାଇଁ ଆସନ୍ନ ବିପଦ ଚିନ୍ତା ବଢ଼଼ାଇଛି । ମୁଖ୍ୟତଃ ଗୋପାଳପୁର-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଆଦି ଉପକୂଳ ପାଇଁ ବଙ୍ଗୋପାସଗର ବଡ଼ ଆହ୍ୱାନ ନେଇ ଆସୁଛି ।

୧୯୯୩-୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮ ମିଲିମିଟର ବୃଦ୍ଧି ହୋଇଛି । ମାତ୍ର ଭାରତ ଉପକୂଳରେ ଗୋପାଳପୁରରୁ-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଉପକୂଳରେ ଜଳସ୍ତର ଗୁରୁତର ଭାବେ ବୃଦ୍ଧି ହୋଇଛି । ଗୋପାଳପୁର-ପୁରୀ ଉପକୂଳରେ ଜଳସ୍ତର ପ୍ରାୟ ୫ ମିଲିମିଟର ବୃଦ୍ଧି ହୋଇଥିବା ବେଳେ ବାଲେଶ୍ୱର-ଭଦ୍ରକ ଉପକୂଳରେ ଏହା ପ୍ରାୟ ୨-୩ ମିଲିମିଟର ବୃଦ୍ଧି ହୋଇଛି ।

ଯାହାର ପରିଣାମ ସ୍ୱରୂପ ଗଞ୍ଜାମ ଜିଲ୍ଲାର ପଡ଼ମପେଟା ଓ ଜଗତସିଂହପୁର ଜିଲ୍ଲାର ଶିଆଳୀ ଆଦିରେ ସମୁଦ୍ର ଅବକ୍ଷୟ ବଢ଼଼ି ଚାଲିଛି । ଆଗାମୀ ଦିନରେ ସମୁଦ୍ରର ଏଭଳି ଆଚରଣ ଆହୁରି ବଢ଼଼ିବା ସହିତ ଗଞ୍ଜାମ, ପୁରୀ ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଭଳି ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକ ପାଇଁ ବଡ଼ ବିପଦ ସାଜିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍‌‌ଓ) ପକ୍ଷରୁ ପ୍ରକାଶ ପାଇଥିବା ‘ବିଶ୍ୱ ଜଳ ପତ୍ତନ ବୃଦ୍ଧି ଓ ପ୍ରଭାବ’ ରିପୋର୍ଟରେ ଏହା ପ୍ରକାଶ ପାଇବା ପରେ ରାଜ୍ୟର ଏହି ଜିଲ୍ଲାଗୁଡ଼ିକ ପାଇଁ ଚିନ୍ତା ବଢ଼଼ିଛି ।

ଆହୁରି ପଢ଼ନ୍ତୁ : ଶିବରାତ୍ରୀରେ ମା' ବାଘୁଣୀକୁ ବରଦାନ; ପୁଣି ଥରେ ମା’ ହେଲା ବାଘୁଣୀ ‘ଅଙ୍କିତା’, ଜନ୍ମଦେଲା ୫ ଶାବକ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟ୍ରାଟିକାରେ ବରଫ ଖଣ୍ଡ ତରଳିବାରେ ଲାଗିଛି । ଏହା ସମୁଦ୍ର ଜଳସ୍ତର ବୃଦ୍ଧି କରାଇବାରେ ବଡ଼ କାରଣ ସାଜିଛି । ଅନ୍ୟପଟେ ସମୁଦ୍ର ଅଞ୍ଚଳରେ ତାପମାତ୍ରା ଅଧିକ ରହିଲେ ସମୁଦ୍ର ଜଳ ଫୁଲିବା ଭଳି ରହୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷର ଅଧିକାଂଶ ସମୟରେ ସମୁଦ୍ର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ଦକ୍ଷିଣ ଆଣ୍ଡାମାନ ସାଗରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ଆଣ୍ଡାମାନ ସାଗରରେ ସମୁଦ୍ର ଜଳସ୍ତର ବୃଦ୍ଧି ସାଗଙ୍ଗକୁ ତାପମାତ୍ରା ଅଧିକ ରହୁଥିବାରୁ ଓଡ଼ିଶା ଉପକୂଳ ପାଇଁ ବଡ଼ ବିପଦ ସାଜିବ ବୋଲି ଆକଳନ କରାଯାଇଛି । କାରଣ ଏହି ସବୁ କାରକଗୁଡ଼ି ବାତ୍ୟାକୁ ସଂଗଠିତ କରାଇବା ଓ ଶକ୍ତିଶାଳୀ କରାଇବାରେ ସହାୟକ ହୋଇଥା’ନ୍ତି । ଯେହେତୁ ଆଣ୍ଡାମାନରେ ସୃଷ୍ଟି ହେଉଥିବା ଅଧିକାଂଶ ବାତ୍ୟା ଓଡ଼ିଶା ମୁହାଁ ହେଉଛି । ତେଣୁ ଆଗାମୀ ଦିନରେ ଓଡ଼ିଶା ଶକ୍ତିଶାଳୀ ବାତ୍ୟାଗୁଡ଼ିକର ସମ୍ମୁଖୀନ ହେବାର ଆଶଙ୍କା ବଢ଼଼ି ଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ସାଧାରଣତଃ ବାତ୍ୟା ସମୟରେ ସମୁଦ୍ର ପାଣି ମାଡ଼ି ଆସିବା ଯୋଗୁଁ ସର୍ବାଧିକ ଲୋକ ପ୍ରାଣ ହରାଇଥାନ୍ତି । ୧୯୯୯ ମହାବାତ୍ୟା ଓ ୧୯୭୧ରେ ବାଂଲାଦେଶରେ ମାଡ଼ ହୋଇଥିବା ‘ଭୋଲା’କୁ ଏହାର ଉଦାହରଣ ରୂପେ ନିଆଯାଇପାରେ ।

ଆହୁରି ପଢ଼ନ୍ତୁ : ମହାଶିବରାତ୍ରୀ : ଜାଣନ୍ତୁ ବେଲପତ୍ରର ମହତ୍ତ୍ୱ; ଜପ କରନ୍ତୁ ଏହି ୫ଟି ମନ୍ତ୍ର, ଦୂର ହୋଇଯିବ ସବୁ ସଙ୍କଟ...

ଏହି ଦୁଇ ବାତ୍ୟାରେ ବହୁ ଲୋକ ସମୁଦ୍ର ଜଳ ମାଡ଼ି ଆସିବାରୁ ପ୍ରାଣ ହରାଇଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେଉଛି । ଯେହେତୁ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି, ଏହି ଶକ୍ତିଶାଳୀ ବାତ୍ୟାଗୁଡ଼ିକ ଆଗକୁ ଅଧିକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି କରୁଛି ବୋଲି ଶ୍ରୀ ଦାସ କହିଛନ୍ତି ।

ସମୁଦ୍ର ଜଳପତ୍ତନ ବୃଦ୍ଧି ପାଉଥିବାରୁ ଆଗକୁ କୋଟିକୋଟି ଲୋକଙ୍କର ଧନଜୀବନ ନଷ୍ଟ ହେବ ବୋଲି ପୂର୍ବରୁ ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି । ଏଥିଯୋଗୁଁ ଅନେକ ଲୋକ ବାସହରା ଓ ବୃତ୍ତିହରା ହେବେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଖାଦ୍ୟ ଉତ୍ପାଦନ ହ୍ରାସ ହେବା ସହ ଅନେକ ଅଞ୍ଚଳରେ ଖାଦ୍ୟ ସଂକଟ ସୃଷ୍ଟି ହେବ ।

ସୁନାମି, ଉପକୂଳୀୟ ବନ୍ୟା, ଉପକୂଳୀୟ ମୃତ୍ତିକା କ୍ଷୟ ଏବଂ ଜୁଆର ମାଡ଼ିଆସିବା ଭଳି ଘଟଣା ବୃଦ୍ଧି ବହୁଗୁଣିତ ହେବାର ଆଶଙ୍କା ରହିଛି । ଏମିତି କି ଓଡ଼ିଶାର ପାରାଦୀପ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ମଧ୍ୟ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଛି ।