‘ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହ’: ଅପରାଧୀଙ୍କୁ ଓଡ଼ିଶା ଡିଜିପିଙ୍କ କଡ଼ା ଚେତାବନୀ

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଓଡ଼ିଶାରେ ଆଇନ-ଶୃଙ୍ଖଳା ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ଅପରାଧୀମାନେ ଏବେ ସତର୍କ ହୋଇଯିବାକୁ ପଡ଼ିବ । କାହିଁକି ନା ରବିବାର ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆ କଡ଼ା ସନ୍ଦେଶ ଦେଇ କହିଛନ୍ତି ଯେ, ଆଇନ-ଶୃଙ୍ଖଳାକୁ ଚ୍ୟାଲେଞ୍ଜ କରୁଥିବା ଅପରାଧୀମାନେ ପୁଲିସ ଏନକାଉଣ୍ଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଡିଜିପିଙ୍କ କହିବାନୁସାରେ, ଗତ ୫ ଦିନ ମଧ୍ୟରେ ଝାରସୁଗୁଡ଼ା, ବ୍ରହ୍ମପୁର ଓ ସମ୍ବଲପୁରରେ ହୋଇଥିବା ଏନକାଉଣ୍ଟର ପରେ ୪ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରାଯାଇଛି। ଚାଲୁଥିବା ପୋଲିସର ରେଡରୁ ଅପରାଧୀମାନେ ସାବାଡ଼ ହେବେ, କଠୋର ପୁଲିସ କାର୍ଯ୍ୟାନୁଷ୍ଠାନ ନ ହେଲେ ଅପରାଧୀ ମାନେ ଉଚିତ ଶିକ୍ଷା ପାଇବେନି ବୋଲି ସେ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ଉପକଣ୍ଠରେ ରେଳବାଇ ପୁଲିସ କନଷ୍ଟେବଳଙ୍କୁ ଲୋକେ ରୁଣ୍ଢ ହୋଇ ଜୀବନରେ ମାରିବା ଘଟଣା ହଇଚେଇ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସକୁ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ପୁଲିସକୁ ଗୁପ୍ତଚର ଭିତ୍ତିକ ଅଭିଯାନ, କ୍ରାଇମ୍ ମ୍ୟାପିଂ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ କୁହାଯାଇଥିଲା ।

ଅଧିକ ପଢ଼ନ୍ତୁ : ପୁଣି ମନମାନୀ କଲା ଇସ୍କନ: ବିଦେଶ ମାଟିରେ ପୁଣି ଆୟୋଜନ ହେଲା ‘ଅଦିନିଆ ରଥଯାତ୍ରା'

ଡିଜିପିଙ୍କ ଅନୁସାରେ, ମେ ୧୨ରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଅପରାଧ ବିରୋଧୀ ଅଭିଯାନରେ ଏପର୍ଯ୍ୟନ୍ତ ୧,୭୭୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ନନ୍-ବେଲେବଲ ୱାରେଣ୍ଟ ଜାରି ହୋଇଥିବା ବେଳେ ୧୯୦ ଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହାସହ ୫ ଜଣ ଅପରାଧୀଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (NSA) ଲାଗୁ କରାଯାଇଛି। ଡ୍ରଗ୍ସ ଚୋରାଚାଲାଣ ମାମଲାରେ ୨୯ ଜଣଙ୍କୁ ଓ ଅବୈଧ ଖଣି ଓ ପରିବହନ ଘଟଣାରେ ୬୦ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ୨୦ଟି ଅବୈଧ ଅସ୍ତ୍ର ଜବତ କରିଥିବା ବେଳେ ଏହା ସହିତ ଜଡିତ ୧୩ ଜଣଙ୍କୁ ମଧ୍ୟ ଧରିଛି।

ଡିଜିପି କହିଛନ୍ତି ଯେ, ରାଜ୍ୟର ସମସ୍ତ ଏସପି ଓ ଡିସିପି ଙ୍କୁ ବ୍ୟକ୍ତିଗତ ଭାବେ ଧରପଗଡ଼ ଅଭିଯାନ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଫେରାଇ ଆଣିବା ପାଇଁ ପାଟ୍ରୋଲିଂ ଜୋରଦାର କରିବା ଏବଂ ପୋଲିସର ଉପସ୍ଥିତି ବୃଦ୍ଧି କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି।"