ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅଘଟଣ ପରେ ଅଘଟଣ

 

ଓଡ଼ିଆ ଗସିପ ବ୍ୟୁରୋ : ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀଜିଉଙ୍କ ସ୍ନାନଯାତ୍ରା ବେଳେ ନୀତି ବିଳମ୍ବ ଓ ବିଭ୍ରାଟ । ଆଜି ମହାପ୍ରଭୁଙ୍କ ପବିତ୍ର ମଣ୍ଡପ ଚକଡ଼ାରେ ରକ୍ତଛିଟା ପଡ଼ିବାରୁ ଜଳଲାଗି ନୀତି ପରେ ମହାସ୍ନାନ ହୋଇଛନ୍ତି ମହାବାହୁ । ଏପଟେ ଶ୍ରୀମନ୍ଦିରରେ ଆଜି ଦର୍ଶନ ବେଳେ ଜଣେ ଅଚେତ ଭକ୍ତ ଅଚେତ ହୋଇ ପରେ ପ୍ରାଣ ହରାଇବା ଏବଂ ସିଂହଦ୍ୱାର ଦେଇ ଜଣେ ବିଦେଶୀ ବାଇଶି ପାହାଚ ଯାଏଁ ଅତିକ୍ରମ କରିବା ଘଟଣା ବି ସାମ୍ନାକୁ ଆସିଛି ।

ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରାରେ ବିଭ୍ରାଟ ପରେ ବିଭ୍ରାଟ । ଶ୍ରୀଜିଉଙ୍କ ସ୍ନାନ ନୀତିରେ ବିଳମ୍ବ ଓ ବିଶୃଙ୍ଖଳା ସାଙ୍ଗକୁ ତିନି ତିନିଟି ଅଘଟଣ । ଆଜି ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ସାରା ବିଶ୍ୱ ଅନାଇ ରହିିଥିବା ବେଳେ ଏପଟେ ଆରମ୍ଭରୁ ହୋଇଥିଲା ନୀତି ବିଳମ୍ବ । ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା । କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୦ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା ।

ଅଧିକ ପଢ଼ନ୍ତୁ : ଟ୍ରେନ ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ ପ୍ରକୃତ କାରଣ କହିଲା ରେଲୱେ ବୋର୍ଡ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ପରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ପହଣ୍ଡି ନୀତିରେ ବି ବିଳମ୍ବ ଘଟିବାରୁ ୧୧ଟା ୪୦ରେ ହେବାକୁ ଥିବା ଜଳବିଜେ ନୀତି ଆରମ୍ଭ ହୋଇଥିଲା ୧୨ଟା ୨୦ ମିନିଟରେ । ଏଣେ ଜଳବିଜେ ନୀତି ସମାପନ ମାତ୍ରେ ସ୍ନାନ ମଣ୍ଡପରେ ଦେଖାଦେଇଥିଲା ରକ୍ତ ଛିଟା । ଜଣେ ସେବାୟତଙ୍କ ଗୋଡ଼ରେ ଆଘତ ପରେ ରକ୍ତଛିଟା ଲାଗିଥିବାରୁ ପୁଣି ମହାସ୍ନାନ ହୋଇଥିଲେ ମହାପ୍ରଭୁ ।

ଏପଟେ ଶ୍ରୀଜିଉଙ୍କୁ ସ୍ନାନ ଏବଂ ହାତୀ ବେଶ ଦେଖିବାକୁ ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଭକ୍ତ । କିନ୍ତୁ ନୀତିରେ ଅହେତୁକ ବିଳମ୍ବ ଓ ସ୍ନାନ ମଣ୍ଡପରେ ବିଭ୍ରାଟ ଶ୍ରଦ୍ଧାଳୁଙ୍କ ଧର୍ଯ୍ୟତ୍ୟୁତି ଘଟାଇଥିଲା । ଅସମ୍ଭାଳ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଥିଲେ ଭକ୍ତ ।

ଅଧିକ ପଢ଼ନ୍ତୁ : କରମଣ୍ଡଳକୁ କାଳ ଶୁକ୍ରବାର: ୧୪ ବର୍ଷ ତଳର କାଳ ଶୁକ୍ରବାର ପରି କରମଣ୍ଡଳ ସହ ପୁଣି ଘଟିଛି ଏହି ଭୟଙ୍କର ଦୁର୍ଘଟଣା

ଏପଟେ ଆଜି ଶ୍ରୀମନ୍ଦିରରେ ବି ଦେଖିବାକୁ ମିଳିଥିଲା ଗୋଟିଏ ପରେ ଗୋଟିଏ ଅଘଟଣ । ଆଜି ଶ୍ରୀମନ୍ଦିରରେ ରାଜସ୍ଥାନର ଜଣେ ଭକ୍ତ ଦର୍ଶନ କରିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ । ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ପୁରୀ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ବାଇଶି ପାହାଚକୁ ଚଢ଼ି ଯାଇଥିଲେ ଜଣେ ବିଦେଶୀ । ତାଙ୍କ ଉପସ୍ଥିତି ଦେଖିବା ନେଇ ଗଣମାଧ୍ୟମ ପ୍ରତିନିଧି ପୋଲିସକୁ ଜଣାଇବା ପରେ ପୋଲିସ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଧରି ନେଇଥିଲା ।