ଗ୍ରୀଷ୍ମ ପ୍ରବାହ ଏବଂ ଏଥିପ୍ରତି ସ୍ୱାସ୍ଥ୍ୟ ବିଗିଡ଼ିବା ନେଇ ସଚେତନତା କର୍ମଶାଳା: ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ଭୂମିକା ଉପରେ ଜୋର
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଗ୍ରୀଷ୍ମ ପ୍ରବାହ, ସ୍ୱାସ୍ଥ୍ୟ ପ୍ରତି ବିପଦ ଓ ପାଣିପାଗ ସମ୍ବାଦ ପରିବେଷଣକୁ କେନ୍ଦ୍ର କରି ଆଜି ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଏକ ବୌଦ୍ଧିକ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା, ସୋକ୍ରାଟସ୍ ଫାଉଣ୍ଡେସନ୍ ଫର କଲେକ୍ଟିଭ ୱିଜଡମ୍, ଓଡ଼ିଶା ଏନଭାୟାରନମେଣ୍ଟ କଂଗ୍ରେସ ଏବଂ ଅସର ସୋସିଆଲ୍ ଇମ୍ପାକ୍ଟ ଆଡଭାଇଜର୍ସଙ୍କ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ସାମ୍ବାଦିକ, ଜଳବାୟୁ ବିଶେଷଜ୍ଞ, ବୈଜ୍ଞାନିକ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଗ୍ରୀଷ୍ମ ପ୍ରବାହକୁ କେବଳ ପାଣିପାଗ ଘଟଣା ଭାବେ ନୁହେଁ, ବରଂ ଜଳବାୟୁ, ସ୍ୱାସ୍ଥ୍ୟ, ଜୀବିକା ଓ ପ୍ରଶାସନ ସହ ଜଡିତ ଏକ ବଡ଼ ସମସ୍ୟା ଭାବେ ଦେଖିବାକୁ ଆହ୍ୱାନ କରାଯାଇଥିଲା। ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦେବଦତ୍ତ ସ୍ୱାଇଁ ତାପପ୍ରବାହର ବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରି କହିଥିଲେ ଯେ, ଦୀର୍ଘ ସମୟ ଧରି ଅତ୍ୟଧିକ ତାପମାତ୍ରାରେ ରହିଲେ ଶରୀରର ସ୍ୱାଭାବିକ ଶୀତଳକରଣ କ୍ଷମତା କମିଯାଏ ଓ ହିଟ୍ଷ୍ଟ୍ରୋକ୍ର ଝୁମ୍କି ବଢ଼ିଥାଏ।
ଅରାସ୍ୟୁରର ଡାକ୍ତର ଆଶୁତୋଷ ଆଚାର୍ଯ୍ୟ ଭୁବନେଶ୍ୱରରେ ବଢୁଥିବା ନଗରୀକରଣ ଓ କଂକ୍ରିଟିକରଣ ଫଳରେ ସହରର ତାପମାତ୍ରା କିପରି ବଢୁଛି, ସେଥିପାଇଁ ତଥ୍ୟ ଓ ଭିଜୁଆଲ୍ ଉପସ୍ଥାପନ କରିଥିଲେ। ସେ ସାମ୍ବାଦିକମାନଙ୍କୁ ସ୍ଥାନୀୟ ସ୍ତରର ତଥ୍ୟ ଓ ଗଳ୍ପ ମାଧ୍ୟମରେ ସଚେତନତା ବଢ଼ାଇବାକୁ ପରାମର୍ଶ ଦେଇଥିଲେ।
ଅଧିକ ନ୍ୟୁଜ ପଢ଼ନ୍ତୁ : ତରଭୁଜ ଖାଇବା ପରେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଜିନିଷ: ଗୋଟିଏ ଭୁଲ ନେଇଯିବ ଜୀବନ!
ପ୍ୟାନେଲ ଆଲୋଚନାରେ ଆଇଏମଡି ଭୁବନେଶ୍ୱରର ନିର୍ଦ୍ଦେଶିକା ଡା. ମନୋରମା ମହାନ୍ତି, ଡା. ଅରବିନ୍ଦ ମିଶ୍ର ଓ ବିରିଷ୍ଠ ସାମ୍ବାଦିକ ଭବାନୀ ତ୍ରିପାଠୀ ଯୋଗଦେଇ ହିଟ୍ ଆକ୍ସନ୍ ପ୍ଲାନକୁ ଅଧିକ ସମୁଦାୟମୂଳକ ଓ ବିକେନ୍ଦ୍ରୀକୃତ କରିବା ଉପରେ ଜୋର ଦେଇଥିଲେ । ବାହାରେ କାମ କରୁଥିବା ଶ୍ରମିକ, ବୃଦ୍ଧ, ଶିଶୁ ଓ ଗରିବ ଲୋକମାନେ ତାପପ୍ରବାହରେ ସର୍ବାଧିକ ପ୍ରଭାବିତ ହେଉଥିବାରୁ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା, ଠଣ୍ଡା ପାଣି କେନ୍ଦ୍ର, ଛାୟାଯୁକ୍ତ ସ୍ଥାନ ଓ ସଚେତନତା ଅଭିଯାନର ଆବଶ୍ୟକତା ଉଲ୍ଲେଖ କରାଯାଇଥିଲା। ଏହି ଅଧିବେଶନକୁ କନକ ନ୍ୟୁଜର ବରିଷ୍ଠ ରିପୋର୍ଟର ଅନୁଜ ଦାସ ପରିଚାଳନା କରିଥିଲେ।
କର୍ମଶାଳାରେ ଦାୟିତ୍ୱପୂର୍ଣ୍ଣ ଓ ଭୟମୁକ୍ତ ସମ୍ବାଦ ପରିବେଷଣ ସହ ଜଳବାୟୁ ସମ୍ବନ୍ଧୀୟ ଶିକ୍ଷା ଓ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା।