ଇବୋଲା ଭାଇରସକୁ ନେଇ କେନ୍ଦ୍ର ସରକାର ଆଲର୍ଟ: ଜାରି ହେଲା ଗାଇଡଲାଇନ, ଲକ୍ଷଣ ଦେଖାଗଲେ...
ଓଡ଼ିଆ ଗସିପ୍ ବ୍ୟୁରୋ( ସ୍ଵତନ୍ତ୍ର ପ୍ରତିନିଧି, ନୂଆଦିଲ୍ଲୀ,୨୧।୫): ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ‘ଇବୋଲା’ ଭାଇରସ ବ୍ୟାପିବାକୁ ନେଇ ଗ୍ଲୋବାଲ ହେଲଥ ଏମରଜେନ୍ସି (ବିଶ୍ୱ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି) ଘୋଷଣା କରାଯିବା ପରେ କେନ୍ଦ୍ର ସରକାର ପୂରା ଆକ୍ସନ ମୋଡକୁ ଆସିଯାଇଛନ୍ତି। ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲଥ ଆଡଭାଇଜରି ଜାରି କରାଯିବା ସହ ସାରା ଦେଶରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦେଶର ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦର (Airports), ବନ୍ଦର (Ports) ଏବଂ ଅନ୍ୟାନ୍ୟ ଏଣ୍ଟ୍ରି ପଏଣ୍ଟରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କର କଡ଼ା ସ୍କ୍ରିନିଂ କରାଯିବ। ବିଶେଷ କରି ସଂକ୍ରମଣ ପ୍ରଭାବିତ ଆଫ୍ରିକୀୟ ଦେଶଗୁଡ଼ିକରୁ ଆସୁଥିବା କିମ୍ବା ସେହି ବାଟ ଦେଇ ଭାରତ ପହଞ୍ଚୁଥିବା ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମଧ୍ୟ ଓ ପଶ୍ଚିମ ଆଫ୍ରିକାର କଙ୍ଗୋ, ୟୁଗାଣ୍ଡା, ସୁଦାନ, ଗିନି, ଲାଇବେରିଆ ଏବଂ ସିଏରା ଲିଓନ ଭଳି ଦେଶରେ ଇବୋଲା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୧୩୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୫୦୦ ରୁ ଅଧିକ ଲୋକ ସଂକ୍ରମିତ ଥିବା ଜଣାପଡ଼ିଛି। ବିଶେଷ କରି କଙ୍ଗୋ, ୟୁଗାଣ୍ଡା ଏବଂ ଦକ୍ଷିଣ ସୁଦାନରୁ ଆସୁଥିବା ଯାତ୍ରୀଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି।
ଏଠାରେ କ୍ଲିକ କରି ଅଧିକ ନ୍ୟୁଜ ପଢ଼ନ୍ତୁ : ହୋଟେଲରେ ରହୁଥିବା କପଲ୍ସ ଦିଅନ୍ତୁ ଧ୍ୟାନ! ରୁମ୍କୁ ଯିବା ମାତ୍ରେ ହିଁ କରନ୍ତୁ ଏହି ୭ ସେଫ୍ଟି ଚେକ୍, ନଚେତ୍ ପସ୍ତେଇବେ
ପ୍ରଭାବିତ ଦେଶରୁ ଫେରୁଥିବା ଯାତ୍ରୀଙ୍କଠାରେ ଯଦି ଜ୍ୱର, ବାନ୍ତି, ଝାଡ଼ା କିମ୍ବା ରକ୍ତସ୍ରାବ ଭଳି କୌଣସି ଲକ୍ଷଣ ଦେଖାଯାଏ, ତେବେ ସେମାନେ ଇମିଗ୍ରେସନ ଯାଞ୍ଚ ପୂର୍ବରୁ ବିମାନବନ୍ଦରର ହେଲ୍ପ ଡେସ୍କ କିମ୍ବା ହେଲଥ ଅଫିସରଙ୍କୁ ସୂଚନା ଦେବା ପାଇଁ ଗାଇଡଲାଇନରେ କୁହାଯାଇଛି।
ଗାଇଡଲାଇନରେ ଆହୁରି କୁହାଯାଇଛି, ଯଦି କୌଣସି ବ୍ୟକ୍ତି ଜାଣତରେ ବା ଅଜାଣତରେ କୌଣସି ଇବୋଲା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ନିଜ ଆଡ଼ୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରନ୍ତୁ।
ଭାରତରେ ପହଞ୍ଚିବାର ୨୧ ଦିନ ମଧ୍ୟରେ ଯଦି କୌଣସି ଲକ୍ଷଣ ପ୍ରକାଶ ପାଏ, ତେବେ ତୁରନ୍ତ ଡାକ୍ତରୀ ସହାୟତା ନେବା ସହ ନିଜର ଯାତ୍ରା ଇତିହାସ (Travel History) ବାବଦରେ ଜଣାଇବାକୁ କୁହାଯାଇଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଚେତାବନୀ: ଇବୋଲା ଭାଇରସକୁ ନେଇ ସାମାନ୍ୟ ଅବହେଳା ମଧ୍ୟ ଭାରି ପଡ଼ିପାରେ। ଯଦି ସତର୍କ ନ ରହିବା, ତେବେ ଏହା କରୋନା ମହାମାରୀ ଭଳି ଭୟଙ୍କର ରୂପ ନେଇ ଦେଶରେ ବ୍ୟାପିଯାଇପାରେ, ଯାହାକି ଅତ୍ୟନ୍ତ ଜୀବନହନ୍ତା ସାବ୍ୟସ୍ତ ହେବ।