ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡ଼ି, ବୈଜୟନ୍ତ ପଣ୍ଡାଙ୍କ ପ୍ରାର୍ଥୀତ୍ୱ ନାକଚ ପାଇଁ ଦାବି


ଭୁବନେଶ୍ୱର: ୨୦୧୪ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିଲେ । ତାଙ୍କୁ ପୁର୍ନବାର ଠକିବାର ସୁଯୋଗ ନ ଦେଇ ତାଙ୍କ ପ୍ରାର୍ଥୀତ୍ୱ ନାକଚ କରାଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରାଯାଇଛି ।
ବିଜେଡ଼ି ଦର୍ଶାଇଛି, ୨୦୧୪ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ତାଙ୍କ ସତ୍ୟପାଠରେ ନିଜକୁ ଜଣେ ସିଟିଂ ଏମ୍ପି ଭାବେ କେବଳ ଦର୍ଶାଇଥିଲେ । ମାତ୍ର ସେହି ସମୟରେ ସେ ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥିଲେ । କମ୍ପାନୀର ୨୦୧୩-୧୪ ଏବଂ ୨୦୧୪-୧୫ ଆର୍ଥିକ ବର୍ଷ ରିପୋର୍ଟରେ ବୈଜୟନ୍ତ ପଣ୍ଡା କମ୍ପାନୀର ଉପାଧ୍ୟକ୍ଷ ଥିବା ଉଲ୍ଲେଖ ଥିଲା । କମ୍ପାନୀ ଉପାଧ୍ୟକ୍ଷ ଭାବେ ସେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଦରମା ଆକାରରେ ନେଇଥିବା ମଧ୍ୟ ସେଥିରେ ଦର୍ଶାଯାଇଥିଲା । ମାତ୍ର ଏହି ତଥ୍ୟକୁ ବୈଜୟନ୍ତ ତାଙ୍କ ସତ୍ୟପାଠରେ ଲୁଚାଇଥିଲେ ।
ଚଳିତ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପୁନର୍ବାର ପ୍ରାର୍ଥୀ ହୋଇଥିବାରୁ ନାମାଙ୍କନ ବେଳେ ଦେଇଥିବା ସତ୍ୟପାଠରେ ନିଜକୁ ଇମ୍ଫା କମ୍ପାନୀର ଉପାଧ୍ୟକ୍ଷ ବୋଲି ସତ ଉଲ୍ଲେଖ କରିବାକୁ ବାଧ୍ୟ ହୋଇଛନ୍ତି । ଅକ୍ଟୋବର ୨୮, ୨୦୧୮ରୁ ମାସିକ ୧୭ ଲକ୍ଷ ଟଙ୍କା ହିସାବରେ ତିନି ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ହୋଇଥିବା ଦର୍ଶାଇଛନ୍ତି । ସୁତରାଂ, ମାଇନିଂ କମ୍ପାନୀ ଇମ୍ଫା ତାଙ୍କ ଦ୍ୱାରା ପରିଚାଳିତ ଏବଂ ଦରମା ବାବଦରେ ବର୍ଷକୁ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ବୈଜୟନ୍ତ ମାନିଛନ୍ତି ।
ଏଥିରୁ ସ୍ପଷ୍ଟ ଯେ ବୈଜୟନ୍ତ ପଣ୍ଡା ୨୦୧୪ ମସିହାରେ ମିଥ୍ୟା ସତ୍ୟପାଠ ଦେଇ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିଲେ । ଖାଲି ସେତିକି ନୁହେଁ, ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ନେଇ ଜନୈକ ବ୍ୟକ୍ତି କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି । ତାଙ୍କ ବିରୋଧରେ ମାମଲା ସହିତ ସେ ନିଜେ ଏଥର ସତ୍ୟପାଠରେ ଭୁଲ୍ ମାନି ଥିବାରୁ ତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦିଆ ନ ଯାଉ । ତାଙ୍କ ପ୍ରାର୍ଥୀତ୍ୱ ନାକଚ କରିବାକୁ ନିର୍ବାଚନ କମିଶନ ତୁରନ୍ତ ପଦକ୍ଷେପ ନେବାକୁ ବିଜେଡ଼ି ଦାବି କରିଛି । ତାଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇ କେନ୍ଦ୍ରାପଡ଼ାବାସୀଙ୍କୁ ଆଉଥରେ ଠକିବାର ସୁଯୋଗ ଦିଆ ନ ଯାଉ ବୋଲି କୁହାଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧି ଦଳରେ ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ ସାମିଲ ଥିଲେ ।