ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀନୀ

BJD announces Dipali Das as MLA candidate of Jharsuguda

ଓଡ଼ିଆ ଗସିପ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜୁ ଜନତା ଦଳ । ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନେଇ ଦୀପାଳିଙ୍କ ନାଁରେ ମୋହର ମାରିଛନ୍ତି ।

ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନେଇ ତାରଖ ଘୋଷଣା ପରେ ପ୍ରଥମ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଗତ ୨୯ ତାରିଖ ଅର୍ଥାତ ବୁଧବାର ଭାରତୀୟ ନିର୍ବାଚନ ଆୟୋଗ ଆସନ୍ତା ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ ହେବ ବୋଲି ତାରିଖ ଘୋଷଣା କରିଥିଲେ ।

ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବ ଉପନିର୍ବାଚନ । ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମେ ୧୩ ତାରିଖରେ ଭୋଟ୍ ଗଣତି ହେବ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ଏପ୍ରିଲ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦେଇଛନ୍ତି ନିର୍ବାଚନ କମିଶନ ।

ଅନ୍ୟପଟେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି । କାରଣ ଦୀପାଳି ଦାସଙ୍କୁ ଟକ୍କର ଦେଲା ଭଳି ବିରୋଧୀଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି । ପୂର୍ବ ୨୦୧୯ ନିର୍ବାଚନରେ ବିଜେଡିର ଟାଣୁଆ ନେତା ଦୃଢ ସଙ୍ଗଠନ ସ୍ବର୍ଗତ ନବ କିଶୋର ଦାସ ବଡ଼ ବିଜୟ ହାସଲ କରିଥିଲେ । ତାଙ୍କ ଅବର୍ତ୍ତମାନରେ ହେଉଥିବା ଉପନିର୍ବାଚନରେ ଝାରସୁଗୁଡା ବାସୀ ପୁଣିଥରେ ବିଜେଡିକୁ ହିଁ ବିଜୟ ଦେବେ ବୋଲି ବିଜେଡି ନେତା କହିଛନ୍ତି ।

ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୧ ହଜାର ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ଓ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ରହିଛନ୍ତି । ଏଥିରେ କିରିମିରା, ଲଇକେରା, କୋଲାବିରା ବ୍ଲକ, ଝାରସୁଗୁଡା ବ୍ଲକ ଓ ଝାରସୁଗୁଡା ପୌର ପରିଷଦର ୨୪ ୱାର୍ଡକୁ ନେଇ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ।

୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ । ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ ।

ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ । ଏଥି ସହିତ ଗତ ପଂଚାୟତ ନିର୍ବାଚନରେ ୫ଟି ଜିଲ୍ଲା ପରଷଦ ଓ ପୌର ନିର୍ବାଚନରେ ଝାରସଗୁଡା ପୌର ପରିଷଦ ଦଖଲ କରିଥିଲା ବିଜେଡି । ଏଣୁ ଉପନିର୍ବାଚନରେ ମଧ୍ୟ ବିଜେଡି ବିପୁଳ ଭୋଟରେ ବାଜିମାତ୍‌ କରିବ ବୋଲି ରାଜନୈତିକ ସମୀକକ୍ଷ ମାନେ ମତ ଦେଇଛନ୍ତି ।

Share this story