ଗାଦି ଛାଡ଼ିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ! ସେନା କହୁଛି ଇସ୍ତଫା ଦିଅ ନ ହେଲେ ନାମ ନେବ

IMRAN KHAN

ଓଡ଼ିଆ ଗସିପ୍ ବ୍ୟୁରୋ: ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ଯାଉଥିବା ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍  ସ୍ପଷ୍ଟ କରିଛନ୍ତି ଯେ ସେ ଆନାସ୍ଥା ପ୍ରସ୍ତାବର ସାମ୍ନା କରିବେ। ତା’ ପୂର୍ବରୁ ଆଦୌ ଇସ୍ତଫା ଦେବେ ନାହିଁ। ପାକ୍ ସେନା ପକ୍ଷରୁ ଚାପଥିବାରୁ ସେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଇମ୍ରାନ୍। ବିରୋଧୀଙ୍କୁ ‘ଚୋର’ ଆଖ୍ୟା ଦେବାକୁ ପଛାଇ ନାହାନ୍ତି ସେ।

 

 

ଇମ୍ରାନ୍ କହିଛନ୍ତି, ‘‘ମୁଁ ଶେଷ ବଲ୍ ପର୍ଯ୍ୟନ୍ତ ଖେଳ ଜାରି ରଖିବି। ‌କୌଣସି ପରିସ୍ଥିତିରେ ବି  ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ଅନାସ୍ଥା ଭୋଟ ପୂର୍ବରୁ ମୁଁ ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଦେବି, ସେମାନେ ଏବେ ବି ଚାପରେ ଅଛନ୍ତି।’’ ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୁଁ ଚୁପ୍ ହୋଇ ବସି ରହିବି ନାହିଁ। ସେମାନେ ତାଙ୍କର କାର୍ଡ ଖେଳିଛନ୍ତି, ମୁଁ କିନ୍ତୁ ମୋ ଟ୍ରମ୍ପକାର୍ଡ ବ୍ୟବହାର କରିନାହିଁ। କାହିଁକି ମୁଁ ଇସ୍ତଫା ଦେବି? ଏଇ ଚୋରମାନଙ୍କ ଚାପରେ ଇସ୍ତଫା ଦେବା ଉଚିତ ହେବ କି?’’

୨୮ ତାରିଖରେ ପାକ୍ ସଂସଦରେ ଅନାସ୍ଥା ଭୋଟ ଆସିବା ପୂର୍ବରୁ ଦଳବଦଳ କରିଥିବା ନେତାଙ୍କ ଅଯୋଗ୍ୟତା ନେଇ ସୁପ୍ରିିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଇମ୍ରାନ୍ । ପାକିସ୍ତାନ ସୁପ୍ରିମକୋର୍ଟ ଦଳବଦଳ କରିଥିବା ସାଂସଦଙ୍କ ଯୋଗ୍ୟତା ପ୍ରସଙ୍ଗ ବିଚାର ପାଇଁ ୫ ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି। ଶାସକ ଦଳର ୨୪ ସାଂସଦ ଦଳବଦଳ କରିବା ପରେ ଇମ୍ରାନ ଅଡୁଆରେ ପଡିଛନ୍ତି । ଆଇନର ଆଶ୍ରୟ ନେଇ ଇମ୍ରାନ୍ ଭୋଟିଂ ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ କହିଛନ୍ତି । ଅନ୍ୟପଟେ ସେନା ମୁଖ୍ୟ ବାଜୱା ଇମ୍ରାନଙ୍କ ଇସ୍ତଫା ମାଗିଥିବା ଜଣାପଡିଛି ।

ମୋଟ୍ ୩୪୨ ସାଂସଦଙ୍କ ମଧ୍ୟରୁ ଭୋଟରେ ବିଜୟୀ ହେବାକୁ ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଏବେ ବିରୋଧୀ ୨୦୦ ସାଂସଦଙ୍କ ସମର୍ଥନ ରଖିିଥିବା ଦାବି କରୁଥିବା ବେଳେ ଇମ୍ରାନଙ୍କ ସମର୍ଥନରେ ୧୪୫ ସାଂସଦ ରହିଛନ୍ତି ବୋଲି ସୂଚନା ରହିଛି ।

Share this story