ଯୁବପିଢ଼ିଙ୍କୁ ଘାରିଛି ରିଲ୍‌‌ ନିଶା, ସାମାନ୍ୟ ଭୁଲ୍‌‌ ପାଇଁ ଅକାଳରେ ଚାଲିଯାଉଛି ଜୀବନ, ରିପୋର୍ଟ ପଢ଼ିଲେ ନିଜ ପିଲାଙ୍କୁ ସତର୍କ କରାଇପାରିବେ...

Making reels for social media taking life of many youths in India

ଓଡ଼ିଆ ଗସିପ ବ୍ୟୁରୋ: ରିଲ୍‌‌ ନିଶାରେ ପାଗଳ ଯୁବପିଢ଼ି । ରାତାରାତି ଭାଇରାଲ ହେବା ନିଶାରେ ଦୁଃସାହାସିକ ଷ୍ଟଣ୍ଟ । କିଏ ଘର ଛାତ ଉପରରୁ ଡେଇଁଲାଣି ତ, ଆଉ କିଏ ଚଳନ୍ତା ବାଇକ୍‌‌ ଉପରେ ଛିଡ଼ା ହୋଇ ଷ୍ଟଣ୍ଟ୍‌‌ କଲାଣି । ଆଉ କେତେକ ସାହସିକତା ଦେଖାଇବାକୁ ଯାଇ ଟ୍ରେନ୍‌‌ ଉପରେ ଚଢ଼ି ରିଲସ୍‌‌ କରୁଛନ୍ତି । ରିଲ୍‌‌ ପ୍ରସ୍ତୁତ ପାଇଁ ଆଜିକାଲିର ଯୁବପିଢ଼ି ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରୁଛନ୍ତି ।

ଏଭଳି ଷ୍ଟଣ୍ଟ ସମୟରେ ଟିକିଏ ଅସାବଧାନତା କାରଣରୁ ସେମାନଙ୍କ ଜୀବନ ଯାଉଛି । ପୁଲିସ ଏନେଇ ବାରମ୍ବାର ଏହି ଯୁବ ପିଢ଼ିଙ୍କୁ ସଚେତନ କଲେ ମଧ୍ୟ ସେମାନେ ଚେତୁ ନାହାନ୍ତି । ଭାଇରାଲ ନିଶାରେ ସେମାନେ କିଛିବି କରି ଯାଉଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ଗତ ୩ବର୍ଷରୁ ୨୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ବିପଦପୂର୍ଣ୍ଣ ଭାବେ ରିଲସ୍‌‌ ବନେଇବା କାରଣରୁ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଆଗାମୀ ଦିନରେ ଯୁବପିଢ଼ି ସଚେତନ ନହେଲେ ଏଭଳି ଜୀବନ ଯିବ ।

ରିଲ୍‌‌ କରି ଫେମସ୍‌‌ ହେବା ଏବେ ଅନେକଙ୍କ ପାଇଁ ମହଙ୍ଗା ପଡୁଛି। ଏପରିକି ଏହି ରିଲ୍‌‌ ପାଇଁ ଅନେକ ଯୁବକ ଅପରାଧୀ ସାଜୁଛନ୍ତି। କାରଣ ନିକଟରେ ସହିଦନଗର ଥାନା ରାବଣପାର୍କ ନିକଟରେ ଦୁଇ ଜଣ ଯୁବକ ରିଲ୍‌‌ସ କରୁଥିଲେ। ଏପରିକି ସ୍କୁଲ ପିଲା ଯାଉଥିବା ବସ୍‌‌କୁ ଟେକା ମାରି ଭିଡ଼ିଓ କରି ଭାଇରାଲ ହେବା ପାଇଁ ଆଶା କରିଥିଲେ। ସେହି ଅନୁସାରେ ସେମାନେ ବସ୍‌‌ କାଚକୁ ଟେକା ମାରି ଭିଡ଼ିଓ ବନେଇଲେ। ଆଉ ଶେଷରେ ଡ୍ରାଇଭରକୁ ମାଡ଼ ମାରିଲେ ଯେଉଁଥି ପାଇଁ ଦୁଇ ଅଭିଯୁକ୍ତ ବନ୍ଧା ହେଲେ ।

କେବିଏନ୍‌‌ ଗ୍ୟାଙ୍ଗ୍‌‌ ରିଲ୍‌‌ସ୍‌‌ ଭିଡିଓରୁ ଭାଇଗିରି ବନିଗଲେ:

ଗତବର୍ଷ ରାଜଧାନୀରେ କେବିଏନ୍‌‌ ଗ୍ୟାଙ୍ଗ୍‌‌ର ଆତଙ୍କ ଦେଖିବାକୁ ମିଳିଥିଲା। ଖୋଲା କାର୍‌‌ ଉପରେ ଖଣ୍ଡା ଭୁଜାଲି ଧରି ରାଜଧାନୀରେ ରାତି ଅଧରେ ଭିଡିଓ କଲେ। ଏପରିକି ବନ୍ଧୁକ ଚାଳନା କରି ରିଲସ୍‌‌ ବନେଇଲେ। ଶେଷରେ ଏହି ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ଛାଡିଲେ ।

ଯିଏ ଏହି ଭିଡ଼ିଓ ଦେଖିଲା ସେମାନେ ଭୟଭୀତ ହେଲେ । ଶେଷରେ କେବିଏନ୍‌‌ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଭାଇରାଲ ହେବା ପାଇଁ ଏଭଳି ଭିଡିଓ କରିଥିଲା। ଆଉ ତା’ର ଯୋଜନା ଅନୁସାରେ ଏହି ଗ୍ୟାଙ୍ଗ୍‌‌ ନାମ ଶୁଣି ଲୋକଙ୍କ ମନରେ ଭୟ ସୃଷ୍ଟି ହେଲା। ଏହି ଭୟରେ ଗ୍ୟାଙ୍ଗ୍‌‌ର ଏକାଧିକ ସଦସ୍ୟ ଠିକାଦାର ଏବଂ ଏକାଧିକ ବ୍ୟକ୍ତିଙ୍କ ଠାରୁ ବଟି ଆଦାୟ କଲେ ।

ସ୍କୁଲପିଲା ହେଉଛନ୍ତି ପଥଭ୍ରଷ୍ଟ :

ଯୁବପିଢ଼ିଙ୍କ ଏହି ଭିଡିଓ ଦେଖି ଛାତ୍ରଛାତ୍ରୀ ପଥଭ୍ରଷ୍ଟ ହେଉଛନ୍ତି । ସେମାନେ ମଧ୍ୟ ଏଭଳି ଭିଡ଼ିଓ ବନାଇବାକୁ ପଛାଉନାହାନ୍ତି । ସେମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ରିଲ୍‌‌ ବନେଇବା ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛନ୍ତି। ଏହିଭଳି ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ।

୧୪ ତାରିଖ ଦିନ କିଛି ପିଲା ରିଲ୍‌‌ ବନେଇବା ପାଇଁ ସ୍କୁଲ ଛାତ ଉପରେ ଚଢି ହତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ୱାର୍ଟସର ଆଜେବେଷ୍ଟ ଉପରକୁ ଡିଆଁ ମାରିଥିଲେ। କିଛି ଛାତ୍ର ଡିଆଁ ଡେଇଁ କରୁଥିବା ବେଳେ ଆଉ କିଛି ଛାତ୍ର ଭିଡିଓ କରୁଥିଲେ। ସ୍କଲ ଛାତ୍ରରୁ ୧୦ ଫୁଟ୍‌‌ ଦୂରତାରେ ଥିବା ଆଜବେଷ୍ଟକୁ ଡେଇଁଲା ବେଳେ ଜଣେ ପିଲା ତଳେ ଖସିପଡ଼ିଥିଲା। ପିଲାଟିର କିଛି ହୋଇନଥିଲେ ମଧ୍ୟ ଭିଡ଼ିଓ କରି ଛାଡ଼ିବା ପରେ ଭାଇରାଲ ହୋଇଛି।

ଟ୍ରେନ୍‌‌ ଉପରେ ଗଲା ଜୀବନ :

ଏହିଭଳି ଗତ ଡିସେମ୍ବର ୧ତାରିଖରେ ତାପଙ୍ଗ ରେଲୱେ ଷ୍ଟେସନରେ ଥିବା ଏକ ଟ୍ରେନ୍‌‌ ଉପରେ ଚଢ଼ି ଜଣେ ଯୁବତୀ ଭିଡିଓ କରୁଥିଲେ। ହେଲେ ଭୁଲ ବଶତଃ ସେ ରେଲୱେ ଉପରେ ଯାଇଥିବା ହାଇଭୋଲଟେଜ ତାରକୁ ଧରି ପକାଇଥିଲେ। ଫଳରେ ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଭାଇରାଲ ହେବା ନିଶାରେ ଅଶ୍ଳୀଳତା :

ଅନେକ ଯୁବତୀ ଏବେ ଭାଇରାଲ ହେବା ନିଶାରେ ଅଶ୍ଳୀଳ ରିଲସ୍‌‌ କରୁଛନ୍ତି । ସେମାନେ ଅଳ୍ପ ପୋଷାକ ପିନ୍ଧିଥିବା ଅବସ୍ଥାରେ ଭିଡିଓ କରୁଛନ୍ତି । ଏଥିସହ ଦି-ଅର୍ଥ ବୋଧକ ଭିଡିଓ କରି ଛାଡୁଛନ୍ତି। ଅନେକ ମଧ୍ୟ ସିଧା ସିଧା ଅଶ୍ଳୀଳ ଭିଡିଓ ଏବଂ ଖରାପ ଭାଷା ଥିବା ଭିଡିଓ ପୋଷ୍ଟ କରୁଛନ୍ତି । ଯାହାଦ୍ୱାରା ଛୋଟ ମୋବାଇଲ୍‌‌ ଧରୁଥିବା ସେମାନଙ୍କ ଉପରେ ପ୍ରଭାବ ପକାଉଛି ।

Share this story