ପରସ୍ପରଙ୍କୁ ବହୁତ ଭଲ ଭାବେ ଜାଣିଥିଲେ ନବ ଦାସ ଓ ଗୋପାଳ ଦାସ ! ଭାଇରାଲ ହେଉଛି ପୁରୁଣା ଫଟୋ

ଓଡ଼ିଆ ଗସିପ୍ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ମାରିବା ପରେ ଚାକିରିରୁ ବିଦା ହୋଇଥିବା ଏଏସଆଇ ଗୋପାଳ ଦାସଙ୍କ ସହିତ ପୂର୍ବରୁ ନବଙ୍କ ସହିତ ପରିଚିତ ଥିଲେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ନୂଆ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ନୂଆଖାଇ ସମୟରେ ଏକ କାର୍ଯ୍ୟକ୍ରମରେ ନବ ଦାସ ଯୋଗ ଦେଉଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସ ନବଙ୍କ ପାଖରେ ଛିଡା ହୋଇଛନ୍ତି ।
ଏହି ଫଟୋ ଏବେ ଚର୍ଚ୍ଚାକୁ ଆହୁରି ଅଧିକ ବଢାଇଛି । କାରଣ ଯାହା ଅନୁମାନ କରାଯାଉଥିଲା ତାହାକୁ ସତ ବୋଲି ଭାବୁଛନ୍ତି କିଛି ବ୍ୟକ୍ତି । ତଦନ୍ତ ବଢିବା ସହ ଭିନ୍ନ ଭିନ୍ନ ରହସ୍ୟ ଫିଟିବାରେ ଲାଗିଛି ।
ଏଥିସହ ଏକ ସିସିଟିଭି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହତ୍ୟା ଘଟଣାର ସମସ୍ତ ଚିତ୍ର ରେକର୍ଡ ହୋଇ ରହିଛି । ଗୋପାଳ ନବ ଦାସଙ୍କୁ ଗୁଳି ମାରିବା ପରେ ଦିନ ୧୨ଟା ୨୩ ମିନିଟ ସମୟରେ ଲୋକମାନେ ଗୌଡାଦୌଡି କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : ବଜେଟ୍ ୨୦୨୩-୨୪: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?
କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ଆଜି ଦ୍ୱିତୀୟ ଦିନରେ ମଧ୍ୟ ପଚରା ଉଚରା କରୁଛି । ଗୋପାଳଙ୍କ ସ୍ତ୍ରୀ ଜୟନ୍ତୀ ଓ ପୁତୁରାଙ୍କୁ ଏକ ଘର ଭିତରେ ୨ଘଣ୍ଟାରୁ ଉର୍ଦ୍ଧ ସମୟ ଧରି କ୍ରାଇମବ୍ରାଞ୍ଚ ଜେରା କରୁଛି । ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ଗତକାଲିଠାରୁ କ୍ରାଇମବ୍ରାଞ୍ଚ ଉଠାଇନେଇଥିବାବେଳେ ଆଜି ପର୍ଯ୍ୟନ୍ତ ନଛାଡି ପଚରାଉଚରା କରୁଥିବା ସୂଚନା ମିଳିଛି ।
ଗୋପାଳ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ସମସ୍ତ ପ୍ରକାର ସହଯୋଗ କ୍ରାଇମବ୍ରାଞ୍ଚକୁ କରୁଛନ୍ତି । ଗୋପାଳ କେବେଠୁ ଅସୁସ୍ଥ ଥିଲେ ଏବଂ କେଉଁ ମେଡିସିନ ଖାଉଥିଲେ ତାହା ମଧ୍ୟ କ୍ରାଇମବ୍ରାଞ୍ଚ ପଚାରି ବୁଝିଛି । ଏଥିସହ ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କ ହୋଟେଲ ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ ପଚାରି ବୁଝିଛି ।
ସେପଟେ, ରାଜ୍ୟ ସରକାରଙ୍କ ଚିଠିର ଉତ୍ତରରେ ହାଇକୋର୍ଟ ତଦନ୍ତର ତଦାରଖ ପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଅନୁମତି ଦେଇଛନ୍ତି । କ୍ରାଇମବ୍ରାଞ୍ଚର ସମସ୍ତ ତଦନ୍ତ ତଦାରଖ କରିବା ସହ ତଦନ୍ତ ଦିଗ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ ଜଷ୍ଟିସ ଜେପି ଦାସ । ଏହା ପରେ ତଦନ୍ତର ସତ୍ୟତା ପଦାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି ।
ଅଧିକ ପଢ଼ନ୍ତୁ : ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ, କାରାଗାରରେ କଟିବ ଆଧ୍ୟାତ୍ମିକ ଗୁରୁଙ୍କ ଜୀବନ...
ରାଜ୍ୟର ବିରୋଧୀ ଦଳ ମଧ୍ୟ ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାର ଏ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଥିଲେ । ସିବିଆଇ କିମ୍ୱା ଏସଆଇଟି ତଦନ୍ତ ହେଉ ବୋଲି ବିରୋଧୀ ଦାବି କରିଛନ୍ତି । ବିରୋଧୀ ଦଳ ବିଧାୟକ ଜୟ ନାରାୟଣ ମିଶ୍ର, କଂଗ୍ରେସର ବିଧାୟକ ଏବଂ ମୁଖପାତ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଅନ୍ୟପଟେ, ଗୋପାଳଙ୍କ ମୋବାଇଲ ଫୋନର ତଥ୍ୟ ଯାଞ୍ଚ ପାଇଁ ପଠା ଯାଇଥିବା ବେଳେ ତାହାର ତଥ୍ୟ ସାମ୍ନାକୁ ଆସିଲେ ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି ।