ଗଞ୍ଜାମର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; କହିଲେ, ‘ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ’

ଗଞ୍ଜାମର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; କହିଲେ, ‘ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ’
ଗଞ୍ଜାମର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; କହିଲେ, ‘ଆପଣମାନଙ୍କ କାମ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ’

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍‌ କେୟାର ହୋମ, କୋଭିଡ୍‌ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି । ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍‌ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଗୁଡିକୁ ଠିକ୍‌ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ ସେବା ଯୋଗାଇବା ସରପଞ୍ଚମାନଙ୍କ ଉଦ୍ୟମ ଓ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି ।

ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍‌ କେସ୍‌ କମୁଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି । ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍‌ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ସମ୍ପୁର୍ଣ୍ଣ ନିପାତ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଥିଲେ । ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି । ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସବୁବେଳେ ସେମାନଙ୍କ ଭଲ କାମରେ ସେ ସାଥିରେ ରହିବେ ବୋଲି କହିଥିଲେ ।

ଏହି ଆଲୋଚନାରେ ଭାଗ ନେଇ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍‌ କୋଭିଡ୍‌ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍‌ ଶିଘ୍ର କରୋନା ଦୂର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିଲେ ତାହା ଆଜି ସୁଫଳ ଦେଇଛି ।ଏହା ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି କରିଛି ବୋଲି ସେ କହିଥିଲେ ।

ଏହି ଅବସରରେ ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ।

ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Share this story

World Odia Language Conferene