‘ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ଏବଂ ଗତିବିଧି ଉପରେ ତୀକ୍ଷଣ ନଜର ରଖ’

‘ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ଏବଂ ଗତିବିଧି ଉପରେ ତୀକ୍ଷଣ ନଜର ରଖ’
‘ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ଏବଂ ଗତିବିଧି ଉପରେ ତୀକ୍ଷଣ ନଜର ରଖ’

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆଜି ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଥିଲା । ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଏହି ବୈଠକରୁ ଜଣାଯାଇଛି ଯେ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ରାଜ୍ୟର ସାଢ଼େ ୬ଲକ୍ଷ ଚାଷୀଙ୍କୁ ଭଏସ୍ ମେସେଜ ପଠାଯିବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀ ମାନଙ୍କ ସହିତ ନିୟମିତ ସଂପର୍କରେ ରହିଛି ।

ଓଡ଼ିଶାର ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନାଗିରି, କୋରାପୁଟ, ରାୟଗଡା, ଝାରସୁଗୁଡା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ସର୍ବାଧିକ ରହିଛି । ଗତକାଲି ଛତିଶଗଡ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ, କୃଷି ନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ୱିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share this story

World Odia Language Conferene