ମଧୁମେହ ବା Diabetes ରୋଗୀ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ ସେନେଇ ଏସବୁ ଟିପ୍ସ ଦେଇଛନ୍ତି ନିହାରିକା ଦାସ (ଡାଏଟିସିଆନ୍ ଓ ଡାଏବେଟିକ୍ ଏଡୁକେଟର୍, ଭୁବନେଶ୍ବର)

diabetes diseases what to eat

ଓଡ଼ିଆ ଗସିପ ବ୍ୟୁରୋ: ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ । ସକାଳ ଜଳଖିଆଠୁ ଆରମ୍ଭ କରି ମଧ୍ୟାହ୍ନ ତଥା ରାତ୍ରୀଭୋଜନରେ କ’ଣ ସବୁ ଖାଇବା ଉଚିତ ସେସବୁ ଦିଗରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଖାଦ୍ୟପେୟରେ ଟିକେ ବି ଅବହେଳା ବା ଅସାବଧାନତା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ ।

ମଧୁମେହ ରୋଗୀ ସବୁ ପ୍ରକାର ଖାଦ୍ୟପଦାର୍ଥ ଖାଇପାରି ନ ଥାନ୍ତି । ସେମାନେ ଖାଉଥିବା ଖାଦ୍ୟପଦାର୍ଥ ଯେଭଳି ରକ୍ତ ଶର୍କରା ପରିମାଣକୁ ନ ବଢ଼ାଇବ, ସେ ଦିଗରେ ସେମାନଙ୍କୁ ଯତ୍ନବାନ ହେବା ଆବଶ୍ୟକ । ତେବେ ମଧୁମେହ ରୋଗୀ ଖାଦ୍ୟପାନୀୟ ପ୍ରତି କିଭଳି ସଚେତନ ରହିବା ଦରକାର, ତାହାକୁ ନେଇ ଏହି ଉପସ୍ଥାପନା । ଏଥିପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ନିହାରିକା ଦାସ (ଡାଏଟିସିଆନ୍ ଓ ଡାଏବେଟିକ୍ ଏଡୁକେଟର୍, ଭୁବନେଶ୍ବର) ।

ଜୀବନଶୈଳୀରେ ପରିବର୍ତ୍ତନ: ଅନିୟମିତ ଜୀବନଶୈଳୀ ମଧୁମେହ ରୋଗର ପ୍ରମୁଖ କାରଣ । ଜୀବନଶୈଳୀରେ ପରିବର୍ତ୍ତନ ଆସିବା ଯୋଗୁଁ ଖାଦ୍ୟପାନୀୟ ଏପଟସେପଟ ହୋଇଥାଏ । ସେଥିପାଇଁ ମଧୁମେହକୁ ଲାଇଫଷ୍ଟାଇଲ ଡିଜଅର୍ଡର୍ ହିସାବରେ ଗ୍ରହଣ କରିଥାଉ । ଏହା ବଂଶାନୁଗତ ମଧ୍ୟ । ପରିବାରରେ ଯଦି କେହି ମଧୁମେହରେ ପୀଡ଼ିତ ଥାନ୍ତି, ସେମାନଙ୍କୁ ମଧ୍ୟ ମଧୁମେହ ହେବାର ଆଶଙ୍କା ବେଶି ।

ଡାଏଟ୍ ଉପରେ ଗୁରୁତ୍ବ: ମଧୁମେହ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ସେଥିପାଇଁ ଖାଦ୍ୟପାନୀୟ ଉପରେ ରୋଗୀଙ୍କୁ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ । ଖାଦ୍ୟପେୟ, ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ ରକ୍ତଶର୍କରା ପରିମାଣ ବେଶି ରହୁଥିଲେ, ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଉଚିତ । ସେହିପରି ରୋଗୀଙ୍କୁ ଆଦୌ ଔଷଧ ଖାଇବା ବନ୍ଦ କରିବା କଥା ନୁହେଁ । ଅନ୍ୟପଟେ ପ୍ରାରମ୍ଭିକ ପର୍ୟ୍ୟାୟରେ ଏଥିରେ ଯେଉଁମାନେ ପୀଡ଼ିତ, ତାହାକୁ ଖାଦ୍ୟ ମାଧ୍ୟମରେ ନିୟନ୍ତ୍ରଣ କରିବା ସମ୍ଭବ ।

ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ: ରୋଗୀଙ୍କୁ ସବୁବେଳେ ଖାଦ୍ୟପଦାର୍ଥ ଉପରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ । ସେମାନେ ଖାଉଥିବା ଖାଦ୍ୟ ଯେମିତି ଶରୀରରେ ସୁଗାର୍ ପରିମାଣକୁ ବୃଦ୍ଧି ନ କରିବ, ସେ ପ୍ରତି ସଚେତନ ଓ ସତର୍କ ରୁହନ୍ତୁ । ତନ୍ତୁଜାତୀୟ ଖାଦ୍ୟ ଖାଇବା ଦିଗରେ ଗୁରୁତ୍ବ ଦେବା ଉଚିତ । ସେହିପରି କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇପାରିବେ । ଡାଏଟ୍ରେ ମିଲେଟ୍ ସାମିଲ କରନ୍ତୁ । ବାଜରାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ପରିମାଣ କମ୍ । ଏଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ହିତକର ।

ସାଇଟ୍ରସ୍ ଖାଦ୍ୟ ପଦାର୍ଥ ଖାଆନ୍ତୁ: ସବୁଜ ପନିପରିବା ସମେତ ଫଳ ଖାଇପାରିବେ । ଫଳରେ ସେଓ, କମଳା, ନାସପାତି, ମୌସମ୍ବି ଆଦିକୁ ସାମିଲ କରନ୍ତୁ । ମୁଖ୍ୟତଃ ମଧୁମେହ ରୋଗୀଙ୍କୁ ସାଇଟ୍ରସ୍ ଖାଦ୍ୟପଦାର୍ଥ ଖାଇବା ଉଚିତ । ସେହିପରି ଯେଉଁ ସବୁ ଖାଦ୍ୟପଦାର୍ଥରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ରହୁଛି, ସେସବୁ ସେମାନଙ୍କୁ ଖାଇବା ଦରକାର ।

ପ୍ରତି ଦୁଇ ଘଣ୍ଟାରେ ଖାଇବା ଉଚିତ: ମଧୁମେହ ରୋଗୀ ଏକକାଳୀନ ବେଶି ପରିମାଣରେ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ସେମାନଙ୍କୁ ପ୍ରତି ଦୁଇ ଘଣ୍ଟାରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଦରକାର । ଅଳ୍ପ ଅଳ୍ପ ଖାଦ୍ୟ ବହୁତ ଥର ଖାଆନ୍ତୁ । ଖାଦ୍ୟ ସହ ମଧୁମେହ ରୋଗୀଙ୍କୁ ପାଣି ବି ଠିକ୍ ଭାବେ ପିଇବା ଆବଶ୍ୟକ ।

ଉପବାସ କରନ୍ତୁ ନାହିଁ: ଅନେକ ସମୟରେ ମଧୁମେହ ରୋଗୀଙ୍କର ସୁଗାର୍ କମି ଯାଏ । ଫଳରେ ମୁଣ୍ଡ ବୁଲାଏ, ଦେହ ହାତ ଥରେ ଓ ଶରୀରରୁ ଝାଳ ବୁହେ । ଏହି ସବୁ ଲକ୍ଷଣକୁ ଲୋ-ସୁଗାର୍ ଲେବଲ୍ ବୋଲି କହିଥାଉ । ଏଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଉଚିତ । ତେବେ ଏସବୁ ସମସ୍ୟା ଦେଖାଦେଲେ, ସେମାନଙ୍କୁ ସଙ୍ଗେ ସଙ୍ଗେ ସୁଗାର୍ ନେବାକୁ ପଡ଼ିବ । ତା’ ସହ ଗ୍ଲୁକୋଜ୍ ବି ନେଇପାରିବେ । ଏହି ସବୁ ପରେ ଅଳ୍ପ ଖାଦ୍ୟ ବହୁତ ଥର ଖାଆନ୍ତୁ । କେବେ ବି ଉପବାସ କରନ୍ତୁ ନାହିଁ ।

Share this story