ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ଓଡ଼ିଆ ଗସିପ୍ ବ୍ୟୁରୋ:  ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପି ଅବଦାନ ପାଇଁ ସାଉଥ ସୁପରଷ୍ଟାର ରଜନୀକାନ୍ତ ପାଇବେ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ୫ ଜଣିଆ ଜୁରି କମିଟି ରଜନୀକାନ୍ତଙ୍କ ନାଁକୁ ସୁପାରିସ କରିଥିଲେ । ଗତ ୫୦ ବର୍ଷ ଧରି ରଜନୀକାନ୍ତ ଚଳଚ୍ଚିତ୍ର ଜଗତ ସହ ଯୋଡି ହୋଇଛନ୍ତି । ନିଜର ପ୍ରତିଭା, ନିଷ୍ଠା ଓ ଉଦ୍ୟମ ଦ୍ୱାରା ରଜନୀକାନ୍ତ ଦର୍ଶକମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ସେ ତାମିଲ, ତେଲଗୁ, କନନ୍ନ ଓ ମାଲୟଲମ ଓ ହିନ୍ଦୀ ସମେତ ଅନ୍ୟ ଆଞ୍ଚଳିତ ଭାଷା ଫିଲ୍ମରେ ବି ଅଭିନୟ କରିଛନ୍ତି । ୧୯୭୫ ମସିହାରେ ଅପୂର୍ବା ରାଗ-ଙ୍ଗଲ ଫିଲ୍ମରୁ ସେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ।


 

ନିଜ ନିଆରା ଷ୍ଟାଇଲ ପାଇଁ ଦର୍ଶକଙ୍କ ନିକଟରେ ବେଶ ଲୋକପ୍ରିୟ ରଜନୀକାନ୍ତ । ଥଲାଇଭା ନାଁରେ ଫ୍ୟାନ୍ସଙ୍କ ମହଲରେ ବେଶ ପରିଚିତ ରଜନୀକାନ୍ତଙ୍କୁ ଭଗବାନ ଭାବେ ମାନନ୍ତି ତାଙ୍କ ପ୍ରଶଂସକ । ରଜନୀଙ୍କ ଜନ୍ମ ୧୯୫୦ରେ ବାଙ୍ଗାଲୋରର ଏକ ସାଧାରଣ ମରାଠୀ ପରିବାରରେ । ଛତ୍ରପତି ଶିବାଜୀଙ୍କୁ ଆଦର୍ଶ ମାନି ପିତାମାତା ତାଙ୍କ ନାଁ ରଖିଥିଲେ ଶିବାଜୀରାଓ ଗାଇକଓ୍ବାର୍ଡ ।  ପାଠପଢା ଦିନରୁ ହିଁ ଅଭିନୟ ପ୍ରତି ସେ ରୁଚି ଦେଖାଇଥିଲେ । ତେବେ ପାଠ ପଢା ଶେଷ ପରେ ବସ୍ କଣ୍ଡକ୍ଟର ଭାବେ ଚାକିରି ଆରମ୍ଭ କରିଥିଲେ ।
 

ତେବେ ଅଭିନୟର ନିଶା ତାଙ୍କୁ ନେଇଯାଇଥିଲା ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟକୁ, ସେହିଠାରେ ତାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିଥିଲେ ବିଶିଷ୍ଟ ତାମିଲ ନିର୍ଦ୍ଦେଶକ କେ ବାଲଚନ୍ଦର । ଅପୂର୍ବ ରଗନଗଲ୍ ନାମକ ତାମିଲ ଚଳଚ୍ଚିତ୍ରରେ ତାଙ୍କୁ ମିଳିଥିଲା ଏକ ଛୋଟ ଚରିତ୍ର । ତେବେ ଧୀରେ ଧୀରେ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବାରେ ଲାଗିଲା । ତାମିଲ ଫିଲ୍ନ ବିଲ୍ଲାରୁ ତାଙ୍କୁ ମିଳିଥିଲା ପ୍ରଥମ ବ୍ୟବସାୟିକ ସଫଳତା । ତାଙ୍କ ନିଆରା ଓ ନିଜସ୍ୱ ଶୈଳୀ ସର୍ବସ୍ୱ ଅଭିନୟର ଯାଦୁରେ ଦିଓ୍ବାନା ହେଲେ ଦର୍ଶକ ।

ଅଶୀ ଦଶକ ଆରମ୍ଭ  ବେଳକୁ ସେ ତେଲେଗୁ, ତାମିଲ ଓ କନ୍ନଡ ଫିଲ୍ମ ଜଗତରେ ଘରେ ଘରେ ପରିଚିତ ନାଁ ପାଲଟିଯାଇଥିଲେ । ୧୯୮୩ରେ ଅନ୍ଧାକାନୁନ ଫିଲ୍ମ ଜରିଆରେ ବଲିଉଡକୁ ଏଣ୍ଟ୍ରି କରିଥିଲେ ରଜନୀକାନ୍ତ । ଏହାପରେ ଗିରଫତାର, ଅସଲି ନକଲି, ଦୋସ୍ତି ଦୁଷ୍ମନୀ, ଚାଲବାଜ୍ଫୁଲ ବନେ ଅଙ୍ଗାରେ ଭଳି ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଭେଟି ଦେଇଥିଲେ । ୨୦୧୧ରେ ରା.ଓ୍ବାନ  ତାଙ୍କ ଶେଷ ହିନ୍ଦୀ ଫିଲ୍ମ ଥିଲା । ବୟସ ଷାଠିଏ ଟପିଥିଲେ ବି ଲିଙ୍ଗା, କବାଲି ଓ କାଲା ଭଳି ଫିଲ୍ମରେ ତାଙ୍କ ଅଭିନୟକୁ ଝୁରୁଛନ୍ତି ସବୁ ବର୍ଗର ଦର୍ଶକ । ୭୧ ବର୍ଷ ବୟସରେ ବି ଅଭିନୟ ଜଗତରେ ବେଶ ସକ୍ରିୟ ରଜନୀକାନ୍ତ । ଓଡ଼ିଆ ଗସିପ୍ ଟିମ୍ ତରଫରୁ ରଜନୀ ଗାରୁଙ୍କୁ ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ।

Share this story