ବାତ୍ୟା ବୁଲବୁଲ୍ କ୍ଷୟକ୍ଷତିର ଚିତ୍ର: ଏହି ସବୁ ଜିଲ୍ଲାରେ ଏକର ଏକର ଜମିରେ ଧାନ ଫସଲ ନଷ୍ଟ, ସେପଟେ ଚାନ୍ଦବାଲିରେ କ୍ଷତି ଆକଳନ କଲେ ଆର୍ଡିସି, ସେପଟେ କ୍ଷତିପୂରଣ ନ ମିଳିବାରୁ ଅଧା ଏକର ଚାଷ ଜମିରେ ନିଆଁ ଲଗାଇଦେଲେ ଚାଷୀ

ବାତ୍ୟା ବୁଲବୁଲ୍ କ୍ଷୟକ୍ଷତିର ଚିତ୍ର: ଏହି ସବୁ ଜିଲ୍ଲାରେ ଏକର ଏକର ଜମିରେ ଧାନ ଫସଲ ନଷ୍ଟ, ସେପଟେ ଚାନ୍ଦବାଲିରେ କ୍ଷତି ଆକଳନ କଲେ ଆର୍ଡିସି, ସେପଟେ କ୍ଷତିପୂରଣ ନ ମିଳିବାରୁ ଅଧା ଏକର ଚାଷ ଜମିରେ ନିଆଁ ଲଗାଇଦେଲେ ଚାଷୀ
ବାତ୍ୟା ବୁଲବୁଲ୍ କ୍ଷୟକ୍ଷତିର ଚିତ୍ର: ଏହି ସବୁ ଜିଲ୍ଲାରେ ଏକର ଏକର ଜମିରେ ଧାନ ଫସଲ ନଷ୍ଟ, ସେପଟେ ଚାନ୍ଦବାଲିରେ କ୍ଷତି ଆକଳନ କଲେ ଆର୍ଡିସି, ସେପଟେ କ୍ଷତିପୂରଣ ନ ମିଳିବାରୁ ଅଧା ଏକର ଚାଷ ଜମିରେ ନିଆଁ ଲଗାଇଦେଲେ ଚାଷୀ

ଭୁବନେଶ୍ୱର: ବାତ୍ୟା ବୁଲବୁଲରେ ପ୍ରଭାବିତ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳଗୁଡିକରେ ବୁଲିଲେ ଆରଡିସି । କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ କୁମାର ସାମଲ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ଚାନ୍ଦବାଲି, ଧାମରା ଓ ବାସୁଦେବପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଛନ୍ତି ଆରଡିସି ।

ବିଶେଷକରି ଫସଲ ବହୁତ କ୍ଷତି ହୋଇଛି ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ଦେଇଛନ୍ତି । ଧାମରାରେ ୨ ଦିନ ଭିତରେ ଏବଂ ଚାନ୍ଦବାଲିରେ ଆଜି ସଂଧ୍ୟା ସୁଦ୍ଧା ବିଦ୍ୟୁତ ସ୍ବାଭାବିକ ହେବ ବୋଲି ଗଣମାଧ୍ଯମକୁ ଆରଡିସି ସୂଚନା ଦେଇଛନ୍ତି । ୫୦ଟି ଟ୍ଯାଙ୍କରରେ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ତାଙ୍କ ସହିତ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

ସିଧାସଳଖ କହିବାକୁ ଗଲେ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ବାତ୍ୟା ବୁଲବୁଲ । ପାରାଦୀପରେ ବର୍ଷା ଓ ପବନ ଯୋଗୁଁ ଧାନ ଚାଷ ପ୍ରଭାବିତ ହୋଇଛି । କ୍ଷେତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଧାନ, ପନପରିବା ଚାଷ ବ୍ୟାପକ ନଷ୍ଟ ହୋଇଛି । ଏଥିସହ ଅନେକଙ୍କ ଘରଦ୍ୱାର ମଧ୍ୟ ଭାଙ୍ଗିଯାଇଛି । ଋଣ କରି ଚାଷୀ କରିଥିବା ଚାଷୀଙ୍କ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।

ବୁଲବୁଲ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି । ପାଣିରେ ଭାସୁଛି ପାଚିଲା ଧାନ । କିଏ ପାଣିରୁ ଧାନ ଛାଣୁଛି ତ ଆଉ କିଏ ପାଣି ନିଷ୍କାସନ ଲାଗି ବ୍ୟବସ୍ଥା କରୁଛି । ଫସଲ ବଞ୍ଚାଇବାକୁ ସମସ୍ତେ ଲାଗିପଡ଼ିଛନ୍ତି । ଗୋଟିଏ ପଟେ ବିଳମ୍ବରେ ଚାଷ କାମ ଆରମ୍ଭ କରିଥିବା ବେଳେ ଏବେ ବୁଲବୁଲ ଦାଉ ସାଜିଛି । ଏବେ କେମିତି ଋଣ ଶୁଝିବେ ଓ ପରିବାର ପୋଷିବେ ସେଇ ଚିନ୍ତାରେ ଚାଷୀ । ସେପଟେ କ୍ଷୟକ୍ଷତିର ଆକଳନ ଲାଗି ଏପର୍ଯ୍ୟନ୍ତ ସରକାରୀ ଅଧିକାରୀ ପହଞ୍ଚିନଥିବା ଚାଷୀ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ାରେ ବି ବ୍ୟାପକ ପରିମାଣର ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଫସଲ ଅମଳର କିଛି ଦିନ ପୂର୍ବରୁ ହୋଇଥିବା ବର୍ଷା ଓ ପବନ ଫଳରେ ଏବେ ଉଜୁଡ଼ି ଯାଇଛି ବର୍ଷକର ଫସଲ । ଧାନ ସମେତ ଅନ୍ୟ ଚାଷ କରିଥିଲେ ଚାଷୀ । ତେବେ ଅଚାନକ ବର୍ଷା ଓ ପବନ ଯୋଗୁଁ ଏବେ ଫସଲ ନଷ୍ଟ ହୋଇଯାଇଥିବା ଦେଖା ଦେଇଛି ।

ସେପଟେ ଚାଷୀ ଚକଡ଼ା ପୋକ ପାଇଁ ଜାଳିଲେ ଚାଷ ଜମି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ଅର୍ଡା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଚାଷୀ ସହଦେବ କର୍ମୀ ହାତ ଉଧାରି ଏବଂ ବ୍ୟାଙ୍କରୁ ଋ଼ଣ କରି ନିଜର ୫ ଏକର ଜମିରେ ଧାନ ଚାଷ କରିଥିଲେ । ଚାଷ ଭଲ ହୋଇଥିଲା, କିନ୍ତୁ ଠିକଣା ସମୟରେ ଚକଡ଼ା ପୋକ ପ୍ରାଦୁର୍ଭାବରେ ନଷ୍ଟ ହୋଇଯାଇଥିଲା ଅଧା ଏକର ଧାନ । କୃଷି ବିଭାଗ ଅଧିକାରୀଙ୍କ ପରାମର୍ଶ ନେଇ କୀଟନାଶକ ବି ପ୍ରୟୋଗ କରିଥିଲେ । କୃଷି ବିଭାଗ ଓ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ କେହି ନଶୁଣିବାରୁ ଆଜି ଅଧା ଏକର ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି ସହଦେବ । କେବଳ ସହଦେବଙ୍କ ଜମି ନୁହେଁ, ଏହି ଅଞ୍ଚଳରେ ଅନେକ ଚାଷ ଜମିରେ ଏବେ ଚକଡ଼ା ପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି ।

Share this story

World Odia Language Conferene