ହାତରୁ ଫୋନ୍‌ ଛଡାଇନେଲା ମାଆ, ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲା ନାବାଳିକା

Fire

ଓଡ଼ିଆ ଗସିପ ବ୍ୟୁରୋ: ମୋବାଇଲ ପାଇଁ ୧୪ ବର୍ଷୀୟା ନାବାଳିକା ଝିଅର ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ନିଜ ଦେହରେ କିରୋସିନି ଢ଼ାଳି ନିଜେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ନାବାଳିକା । ଏପରି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସେକ୍ଟର ୩ ଅଞ୍ଚଳରେ । ପ୍ରାଣ ହରାଇଥିବା ନାବାଳିକା ହେଲେ କାଦମ୍ବିନୀ ଦୀପ୍‌ ।

ସୂଚନାନୁସାରେ, କାଦମ୍ବିନୀ ସେକ୍ଟର-୩  କ୍ବାର୍ଟର ନମ୍ବର ୧୦ରେ ରହୁଥିଲେ । ତାଙ୍କ ବାପା ସଦନନ୍ଦ ଦୀପ  ଏଜଜ୍ୟୁକେଟିଭ ଆସୋସିଏସନରେ କେୟାର ଟେକର ଭାବରେ କାମ କରନ୍ତି । ତେବେ ଝିଅ କାଦମ୍ବିନୀ ଦୀପ୍‌  ବାରମ୍ବାର ମୋବାଇଲରେ ଗେମ ଖେଳୁଥିଲେ । ବାପା  ଓ ମାଆ ଏଥିପାଇଁ ବାରମ୍ବାର ବାରଣ କରୁଥିଲେ। କିନ୍ତୁ ବାପ ମାଆଙ୍କ ତାଗିଦକୁ ମାନୁନଥିଲା ଝିଅ।

ଏପରିକି ବୁଧବାର ସଂଧ୍ୟାରେ ନାବାଳିକା ଝିଅ ମୋବାଇଲ ଖେଳୁଥିବା ସମୟରେ ମାଆ ପାଟି କରିବା ସହ ହାତରୁ ମୋବାଇଲ ଛଢ଼ାଇ ନେଇଥିଲେ। ଏଥିରେ ରାଗିଯାଇ  ଘରେ କେହି ନଥିବା ସମୟରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ  ଉଦ୍ୟମ କରିଥିଲେ କାଦମ୍ବିନୀ ।

ଘର ଭିତରୁ ପ୍ରବଳ ଧୂଆଁ ବାହାରୁ ଥିବାର ଦେଖି ପଡ଼ୋଶୀ ପୋଲିସ ସହ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ । ପୋଲିସ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନାବାଳିକାକୁ  ଉଦ୍ଧାର କରି ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।  ତେବେ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିଲା । ଫଳରେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।  

Share this story