ଗାଁ ଛକରେ ଛକିଥିଲେ ବାପାଙ୍କୁ ହାଣି ମାରିଦେଲେ, ପୁଅ ବଞ୍ଚିବା ପାଇଁ ସଂଗ୍ରାମ କରୁଛି

ଗାଁ ଛକରେ ଛକିଥିଲେ ବାପାଙ୍କୁ ହାଣି ମାରିଦେଲେ, ପୁଅ ବଞ୍ଚିବା ପାଇଁ ସଂଗ୍ରାମ କରୁଛି

ଓଡ଼ିଆ ଗସିପ୍ ବ୍ୟୁରୋ:  ପୁଣି ଥରେ ରକ୍ତ ରଞ୍ଜିତ ହୋଇଛି ବ୍ରହ୍ମପୁର ସହର । କିଛି ଦିନର ନିରବତା ପରେ ପୁଣି ବୁଲିଛି ଖଣ୍ଡା, କାତା ଓ ଭୁଜାଲି । ଖବର ଅନୁସାରେ ଗତକାଲି ବିଳମ୍ବତି ସଂଧ୍ୟାରେ ଏକ ବଡ଼ ଧରଣର ହତ୍ୟାକାଣ୍ଡ ଘଟିଛି ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ଅନୁସାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କ ବାପା ହୋଇଥିବା ବେଳେ ଆହତ ହୋଇଛନ୍ତି ତାଙ୍କ ପୁଅ । ପୁରା ଘଟଣା କିଛି ଏହି ପରି...

ଗଞ୍ଜାମ ସଦର ଥାନା ଅନ୍ତର୍ଗତ ସାତକୁଟୁଣୀ ଗ୍ରାମ ଛକରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଖଣ୍ଡା ବୁଲିଛି । କିଛି ଦୁର୍ବୃତ୍ତ ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ ଓ ପୁଅ ପ୍ରଶାନ୍ତ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ।

ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା କୋରାଙ୍କ ମୃତ୍ୟୁ ଘଟିଛି । ପୁଅ ପ୍ରଶାନ୍ତ ଗୁରୁତର ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି । କୌଣସି ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି ।

ସୂଚନା ଅନୁସାରେ, କୋରା ଓ ତାଙ୍କ ପୁଅ ପ୍ରଶାନ୍ତ କୌଣସି କାମରେ ସାତକୁଟୁଣୀ ଗ୍ରାମକୁ ଯାଇଥିଲେ । ରାତିରେ ସେମାନେ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ପୁଅ ପ୍ରଶାନ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ବାପା କୋରା ପୁଅକୁ ବଞ୍ଚାଇବାକୁ ଯାଇଥିବାବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଏଥିରେ ଉଭୟ ବାପା, ପୁଅ ଗୁରୁତର ହୋଇଥିଲେ ।

ଉଭୟେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ଫେରାର୍‌ ହୋଇ ଯାଇଥିଲେ । ଖବର ପାଇ କୋରାଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର କୋରାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜଣେ ଯୁବକକୁ ଅଟକ ରଖିଥିବା ସୂଚନା ମିଳିଛି । ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Share this story