ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ, ସୁଟିଂ ସ୍ଥଗିତ ରଖିଲେ ଶାହରୁଖ

ଓଡ଼ିଆ ଗସିପ ବ୍ୟୁରୋ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛି । ମୁମ୍ବାଇ ରୁ ଗୋଆ ଯାଉଥିବା ଏକ ଜାହାଜ ରେ ଡ୍ରଗ୍ସ ପାର୍ଟୀ ଚାଲିଥିବା ବେଳେ ଏନସିବି ଆର୍ଯ୍ୟନ କୁ ମିଶେଇ ୮ ଜଣଙ୍କୁ ଅଟକ ରଖିଥିଲା । ଏହି ପ୍ରସଙ୍ଗରେ ଖବର ପାଇ ଆର୍ଯ୍ୟନ୍ ଖାନଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ସତୀଶ ମନେଶିନ୍ଦେ ମୁମ୍ବାଇର ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ, NDPS (ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ) ର ଧାରା ୨୭ ଅନୁଯାୟୀ ଆର୍ଯ୍ୟନଙ୍କୁ ଗିରଫ କରାଯାଇଛି । ଗିରଫ ହେବାର କିଛି ସମୟ ପରେ ତାରକା ପୁଅକୁ ଡାକ୍ତରୀ ପରୀକ୍ଷା ପାଇଁ ଜେଜେ ହସ୍ପିଟାଲକୁ ନିଆଯାଇଥିଲା ।
ଆର୍ଯ୍ୟନ୍ ଙ୍କ ସମେତ ଏନସିବି ଏହି ଡ୍ରଗ୍ସ ଚଢ଼ାଉ ରେ ମୁନ୍ମୁନ୍ ଧାମଚା, ନୁପୁର ସାରିକା, ଇସମିତ ସିଂ, ମୋହକ ଜସୱାଲ, ବିକାଶ ଚୋକର, ଗୋମିତ ଚୋପ୍ରା ଏବଂ ଅରବାଜ ମର୍ଚାଣ୍ଟ ଙ୍କୁ ଗିରଫ କରିଛି । ସେମାନଙ୍କୁ ମୁମ୍ବାଇର ହଲିଡେ କୋର୍ଟରେ ହାଜର କରାଯାଇଥିଲା ଏବଂ ଆର୍ଯ୍ୟନ୍ ଙ୍କ ମା ଗୌରୀ ଖାନ ଏହି ଖବର ଶୁଣି କୋର୍ଟକୁ ଦୌଡ଼ି ଯାଉଥିବା ଦେଖିବାକୁ ମିଳିଥିଲା । ସୂଚନାନୁସାରେ, ଏନସିବି ଅଧିକାରୀମାନେ ଆର୍ଯ୍ୟନ୍ ଖାନଙ୍କ ମୋବାଇଲ୍ ଫୋନ୍ ସ୍କାନ୍ କରିବେ ଏବଂ ଡ୍ରଗ୍ସ ସେବନ କିମ୍ବା ବ୍ୟବହାରରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନେଇ ଯାଞ୍ଚ କରିବେ ।
ଏନସିବି ଦୁଇ ସପ୍ତାହରୁ ଏହି ଡ୍ରଗ୍ସ ଚାଲାଣ ଉପରେ ନଜର ରଖି ଆସୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଏନସିବି ସାଧାରଣ ଯାତ୍ରୀ ଭାବରେ କୄଜ ପାର୍ଟି ପାଇଁ ଟିକେଟ ବୁକ୍ କରିଥିଲେ ଏବଂ ସେମାନଙ୍କ ସହ-ଯାତ୍ରୀମାନଙ୍କ ମଧ୍ୟରୁ କେତେକ ଡ୍ରଗ୍ସ ଖାଉଥିବାର ଦେଖିଲେ । ଜାହାଜକୁ କୂଳକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେଥିରୁ ୮ ଜଣ ଯାତ୍ରୀଙ୍କୁ ସେମାନଙ୍କ ବ୍ୟାଗ ସହିତ ଅଟକ ରଖାଯାଇଥିଲା । ବନ୍ଦୀମାନେ ଏନସିବି କାର୍ଯ୍ୟାଳୟ ରେ ରାତି କଟାଇଥିଲେ । ଅନୁସନ୍ଧାନ ବେଳେ ଏନସିବି ଅଧିକାରୀମାନେ କୄଜ ପାର୍ଟିରୁ କୋକେନ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଉଦ୍ଧାର କରିଥିଲେ ।
ଏହି ମାମଲା ସମ୍ପର୍କରେ ଏନସିବି ମୁଖ୍ୟ ଏସ.ଏନ୍ ପ୍ରଧାନ କହିଛନ୍ତି, “ଆମେ ନିରପେକ୍ଷ ତଦନ୍ତ କରୁଛୁ । ଏହି ପ୍ରକ୍ରିୟାରେ, ଯଦି ବଲିଉଡ କିମ୍ବା ଧନୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଏ ତେବେ ସେମାନେ ବି ତଦନ୍ତ ପରିସର ଭିତରେ ଆସିବେ । ଆମକୁ ଆଇନ ପରିପ୍ରେକ୍ଷୀରେ କାର୍ଯ୍ୟ କରିବାକୁ ପଡିବ । ଆମକୁ ମୁମ୍ବାଇରେ କାମ ଜାରି ରଖିବାକୁ ପଡ଼ିବ । ”
ଆର୍ଯ୍ୟନ୍ ଖାନଙ୍କୁ ଅଟକ ରଖାଯିବାର କିଛି ସମୟ ପରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଶାହରୁଖ ଖାନ ତାଙ୍କର ପରବର୍ତ୍ତୀ ଆକ୍ସନ୍ ଫିଲ୍ମ 'ପଠାନ'ର ସୁଟିଂ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଦୀପିକା ପାଦୁକୋନଙ୍କ ସହ ଏକ ସ୍ୱତନ୍ତ୍ର ଗୀତ ଶୁଟ୍ ପାଇଁ ସେ ସ୍ପେନ ଅଭିମୁଖେ ଯାଉଥିଲେ କିନ୍ତୁ ବର୍ତ୍ତମାନ ସମସ୍ତ ଯୋଜନା ସ୍ଥଗିତ ଥିବା ଜଣାଯାଇଛି ।