ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ
ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

ଆଉ ତିନି ଦିନ ପରେ ଦୁନିଆ ଦେଖିବ ଏକ ନୂଆ ସୂର୍ଯ୍ୟ । ଏକ ନୂଆ ସମ୍ଭାବନା ସହ ଦୁନିଆ ସ୍ୱାଗତ କରିବ ଆଉ ଏକ ନୂଆ ବର୍ଷକୁ । ତେବେ ଏବେ ସମୟ ଆସିଛି ଥରଟିଏ ପଛକୁ ଚାହିଁ ଆଗକୁ ବଢିବା ଲାଗି ପ୍ରେରଣା ନେବାର । ନିଜକୁ ନିଜେ ଚିହ୍ନି ଆଗାମୀ ବର୍ଷକୁ ନିଜକୁ ପ୍ରସ୍ତୁତ କରି ନିଜ ପଥକୁ ସୁଗମ କରିବାର । ଆଉ ଏହି ସମୟରେ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରୁଛୁ ଏକ ଆଲେଖ୍ୟ । ଯେଉଁଥିରେ ରହିଛି 2010ରୁ ଆରମ୍ଭ କରି 2019 ମଧ୍ୟରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା ଆପଣଙ୍କୁ ଦଶବର୍ଷର ଭାରତ ଓ ବିଶ୍ୱ ସମ୍ପର୍କରେ ସୂଚନା ଦେବ ।

ପ୍ରଥମ ପର୍ଯ୍ୟାୟରେ ଆମେ ଆପଣଙ୍କ ପାଇଁ କିଛି ଆନ୍ଦୋଳନ ସମ୍ପର୍କରେ ଖବର ପ୍ରସ୍ତୁତ କରିଛୁ । ଏମିତି କିଛି ଆନ୍ଦୋଳନ ଯାହା ଦେଶ ପାଇଁ ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସରକାରକୁ ଦୋହଲାଇଦେବା ଭଳି, ଶାସନ ପଦ୍ଧତିରେ ସଂସ୍କାର ଆଣିବା ଦିଗରେ ଯାହା ନେଇଥିଲା ମୁଖ୍ୟ ଭୂମିକା । ତେବେ ଚାଲନ୍ତୁ ଏଇ ଦଶନ୍ଧିର କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ସମ୍ପର୍କରେ ଜାଣିବା ।

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

2010-2012: ତେଲଙ୍ଗାନା ଆନ୍ଦୋଳନ:

ଦଶନ୍ଧିର ଆରମ୍ଭରୁ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ଆନ୍ଧ୍ର ପ୍ରଦେଶ ରାଜ୍ୟରେ ସଂଗଠିତ ହୋଇଥିଲା ଏକ ଜନଆନ୍ଦୋଳନ । ଏହି ଆନ୍ଦୋଳନ ଥିଲା ରାଜ୍ୟ ବିଭାଜନ ପାଇଁ, ଗୋଟିଏ ଭାଷାଭାଷି ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କରିବା ଥିଲା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନର ତେଲଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଆନ୍ଧ୍ରକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ଆରମ୍ଭ ହୋଇଥିଲା ଜନ ଆନ୍ଦୋଳନ । ରାଜନୈତିକ ଉଦ୍ଦେଶ୍ୟ ସାଧନ ହେଉ ଅବା ତେଲେଙ୍ଗାନା ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ଏହି ଆନ୍ଦୋଳନ କିନ୍ତୁ ଜାତୀୟ ରାଜନୀତିକୁ ବେଶ୍ ପ୍ରଭାବିତ କରିଥିଲା । ତିନି ବର୍ଷର ଧାରଣା, ଆନ୍ଦୋଳନ, ପ୍ରତିବାଦ, ଆମରଣ ଅନଶନ ଶେଷରେ ଆନ୍ଧ୍ରକୁ ଭାଗ ଭାଗ କରିଥିଲା । ଆନ୍ଧ୍ର ପ୍ରଦେଶରୁ ଭିନ୍ନ ହୋଇ ଗଠନ କରାଯାଇଥିଲା ତେଲଙ୍ଗାନା । ରାଜ୍ୟ ବିଭାଜନ ଅବା ମୃତ୍ୟୁ ଡାକରା ଦେଇ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିଥିଲେ କେ.ଚନ୍ଦ୍ରଶେଖର ରାଓ । ଶେଷରେ ତତକାଳୀନ କଂଗ୍ରେସ ସରକାର ରାଜ୍ୟ ବିଭାଜନ ଦାବିକୁ ଗ୍ରହଣ କରିବା ସହ ତେଲେଙ୍ଗାନା ତିଆରି ପାଇଁ ଅନୁମତି ଦେଇଥିଲେ ।

2011: ୟୁପି ଜମି ଅଧିଗ୍ରହଣ ଆନ୍ଦୋଳନ:

ବର୍ଷ 2011ରେ ଦେଶର ସବୁଠୁ ବଡ଼ ରାଜ୍ୟ ତଥା ଜାତୀୟ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଥିବା ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ । ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଆଇନକୁ ବିରୋଧ କରି ସେହି ସମୟରେ ଚାଷୀ, ସାଧାରଣ ଜନତା ଏବଂ ରାଜନେତା ଆରମ୍ଭ କରିଥିଲେ ବଡ଼ ଧରଣର ଆନ୍ଦୋଳନ । ଏହି ଆନ୍ଦୋଳନ ଏତେ ମାତ୍ରାରେ ବ୍ୟାପକ ଓ ତୀବ୍ର ହୋଇଥିଲା ଯାହା ତତକାଳୀନ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ପ୍ରଥମେ ଦିଲ୍ଲୀରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବହୁତ କମ୍ ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ୟାପିଥିଲା । ସରକାର ଚାଷୀଙ୍କ କ୍ଷେତକୁ ଅଧିଗ୍ରହଣ ପାଇଁ ଆଇନରେ ବ୍ୟବସ୍ଥା କରିଥିଲେ ଯାହାକୁ ଚାଷୀକୁଳ ପ୍ରବଳ ବିରୋଧ କରିଥିଲେ । ସ୍ପେଶାଲ ଇକୋନମି ଜୋନ୍ ନାଁରେ ସରକାର ପ୍ରାଇଭେଟ ଓ ସରକାରୀ ଜମିକୁ ଅଧିଗ୍ରହଣ ପାଇଁ ଆଇନ ତିଆରି କରିଥିଲେ । ଯେହେତୁ ଦେଶର 65 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ ସେହି କାରଣରୁ ଚାଷୀକୁଳ ଏହି ଆଇନକୁ ବିରୋଧ କରିବା ସହ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ।

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

2011: ଦୁର୍ନୀତି ବିରୋଧୀ ଆନ୍ଦୋଳନ ବା ଆଣ୍ଟି କରପସନ୍ ମୁଭମେଣ୍ଟ:

2011 ମସିହାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ଏକ ସାଧାରଣ ଆନ୍ଦୋଳନ ଯେ, ସ୍ୱାଧୀନ ଭାରତରେ ଦ୍ୱିତୀୟ ବଡ଼ ସଂଗ୍ରାମର ଆଖ୍ୟା ପାଇବ ଏକଥା କେହି କେବେ ଭାବିନଥିଲେ । ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେଙ୍କ ଆନ୍ଦୋଳନ ସବୁ ଭାରତୀୟଙ୍କୁ ପ୍ରଭାବିତ କରିଥିଲା । ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ କେବଳ ଦେଶ କାହିଁକି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା । ଦୁର୍ନୀତି ରୋକିବା ପାଇଁ ଆଇନ ଆଣିବା ପାଇଁ ଆନ୍ନାଙ୍କ ଆମରଣ ଅନଶନ ଦେଶର ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ, ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଥିଲା । ଆନ୍ନାଙ୍କ ଆନ୍ଦୋଳନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇ ଜନ ଲୋକପାଳ ବିଲ୍ ଆଣିବାକୁ ଦାବି କରିଥିଲେ । ଆନ୍ନାଙ୍କ ଆନ୍ଦୋଳନରେ ଅନ୍ୟତମ ବଡ଼ ଚେହେରା ଥିବା ଅରବିନ୍ଦ କେଜରୀୱାଲ ଆନ୍ଦୋଳନ ପରେ ଆମ୍ ଆଦମୀ ପାର୍ଟି ଗଠନ କରନ୍ତି ଏବଂ ଦିଲ୍ଲୀବାସୀଙ୍କୁ ଏକ ଜନହିତକର ସରକାର ଦେବାକୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ବି ହୁଅନ୍ତି । ବର୍ତ୍ତମାନ ମଧ୍ୟ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି ।

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

2012: ନିର୍ଭୟା ଆନ୍ଦୋଳନ:

ଭାରତ ବର୍ଷ ପାଇଁ 2012 ମସିହା ଥିଲା ଏକ କାଳ ସମୟ । ଅନେକ ଅଘଟଣ ଘଟିଥିଲା ଏହି ବର୍ଷ । ସବୁଠୁ କିନ୍ତୁ ଅଧିକ ସମ୍ବେଦନଶୀଳ ଘଟଣା ଥିଲା ଦିଲ୍ଲୀର ନିର୍ଭୟାକାଣ୍ଡ । ଦେଶରେ ନାରୀ ସୁରକ୍ଷା ଓ ନାରୀଙ୍କ ଅଧିକାର ପ୍ରତି ଉଠିଥିଲା ବଡ଼ ପ୍ରଶ୍ନ । 23 ବର୍ଷୀୟ ଡାକ୍ତରୀ ଛାତ୍ରୀଙ୍କୁ ଯେଉଁଭଳି ଭାବେ ଗଣଦୁଷ୍କର୍ମ କରି ମରଣ ମୁହଁକୁ ଠେଲି ଦିଆଯାଇଥିଲା ତାହା କହିବା , ଶୁଣିବା ଓ ଆଲୋଚନ କଲା ବେଳେ ବି ଛାତି ଥରି ଉଠେ । ଏହି ଅମାନୁଷିକ କାଣ୍ଡ କେବଳ ଆମ ସମାଜ ପାଇଁ ଲଜ୍ୟା ନଥିଲା ବିଶ୍ୱ ସମୁଦାୟ ଆଗରେ ଭାରତର ମୁଣ୍ଡ ତଳକୁ ହେଇଯାଇଥିଲା । ଏକ ଚଳନ୍ତା ବସ୍ ରେ ଗଣଦୁଷ୍କର୍ମ ଏବଂ ପରେ ଯେଉଁଭଳି ରାସ୍ତାରେ ଫୋପାଡ଼ା ଯାଇଥିଲା ତାହାର ଯେତେ ନିନ୍ଦା କଲେ ବି କମ୍ ହେବ । ଆଉ ଏହି ଘଟଣାକୁ ନେଇ ଦେଶରେ ନାରୀଙ୍କୁ ସୁରକ୍ଷା ଦେବା, ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ କଠୋରରୁ କଠୋର ଆଇନ ପ୍ରଣୟନ କରିବା ପାଇଁ ଦାବି କରି ଆନ୍ଦୋଳନ ହୋଇଥିଲା । ଆନ୍ଦୋଳନର ପ୍ରଭାବ ଏତେ ଅଧିକ ଥିଲା ଯେ, ସରକାର ମଧ୍ୟ ଆଇନ ଆଣିଲେ । ଦୁଃଖର କଥା ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଦେଶରେ ଏବେ ବି ଏଭଳି ଅମାନୁଷିକ କାଣ୍ଡ ଘଟିଚାଲିଛି ।

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

2014: କିସ୍ ଅଫ୍ ଲଭ୍ ପ୍ରୋଟେଷ୍ଟ:

ମୋରାଲ ପୋଲିସିଙ୍ଗ କୁ ନେଇ କେରଳରେ ଆରମ୍ଭ ହୋଇଥିଲା ଏକ ଅଜବ ଆନ୍ଦୋଳନ । ଏହି ଆନ୍ଦୋଳନକୁ ସେତେବେଳେ କିସ୍ ଅଫ୍ ଲଭ୍ ପ୍ରୋଟେଷ୍ଟ କୁହାଯାଇଥିଲା । ଏହି ଆନ୍ଦୋଳନରେ ସେତେବେଳେ 50ରୁ ଅଧିକ ଯୁବକଙ୍କୁ ଗିରଫ କରିଥିଲା କେରଳ ପୋଲିସ । ଆନ୍ଦୋଳନକାରୀ ଯୁବକମାନେ ଶାନ୍ତି ପ୍ରତିବାଦ ସ୍ୱରୂପ ପରଷ୍ପରକୁ ଆଲିଙ୍ଗନ କରିବା, ଚୁମ୍ବନ ଦେବା, ହାତ ଧରାଧରି ହେବା ପନ୍ଥାକୁ ଆପଣାଇଥିଲେ । ଶାନ୍ତିପୂର୍ଣ୍ଣ ଉପାୟରେ ହେଉଥିବା ଆନ୍ଦୋଳନକୁ କିନ୍ତୁ କିଛି ସଂଗଠନ ପକ୍ଷରୁ ବିରୋଧ କରିବାକୁ ଏହା ଅଧିକ ବ୍ୟାପିଥିଲା ।

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

2015: ପଟିଦାର ଆନ୍ଦୋଳନ:

ଏହି ବର୍ଷ ଗୁଜରାଟରେ ପଟିଦାରଙ୍କ ଅଧିକାର ନେଇ ଆରମ୍ଭ ହୋଇଥିଲା ଏକ ଆନ୍ଦୋଳନ । ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ହାର୍ଦ୍ଦିକ ପଟେଲ । ଗୁଜରାଟ ସରକାର ଓ ବିଜେପି ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ ହାର୍ଦ୍ଦିକ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପଟିଦାର ସଂପ୍ରଦାୟ ପକ୍ଷରୁ ଆନ୍ଦୋଳନ, ପ୍ରତିବାଦ କରାଯାଇଥିଲା ।

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

2016: ଜାଟ୍ ସଂରକ୍ଷଣ ଆନ୍ଦୋଳନ:

ହରିୟାଣାରେ ଦେଖାଦେଇଥିବା ଜାଟ୍ ଆନ୍ଦୋଳନ ଥିଲା ବର୍ଷ 2016 ପାଇଁ ସବୁଠୁ ବଡ଼ ଆନ୍ଦୋଳନ । ଉଗ୍ରତାର ସବୁ ସୀମା ଟପି ଯାଇଥିଲା ଆନ୍ଦୋଳନ । ପ୍ରଭାବିତ ହୋଇଥିଲା ରେଳସେବା । ରାସ୍ତାରୋକ କରି ଯାତାୟତ ବ୍ୟବସ୍ଥାକୁ ପୂରା ଠପ୍ କରିଦେଇଥିଲେ ଜାଟ୍ ସଂପ୍ରଦାୟର ଲୋକେ । ଜାଟ୍ ନେତାମାନେ ବହୁ ସଂଖ୍ୟାରେ ସେମାନଙ୍କୁ ସଂରକ୍ଷଣ ଦେବାକୁ ଦାବି କରିଥିଲେ ।

2016-2017: ମରାଠା କୋଟା ଆନ୍ଦୋଳନ:

ହରିୟାଣା, ଗୁଜରାଟ ଭଳି ମହାରାଷ୍ଟ୍ରରେ ମଧ୍ୟ ବର୍ଷ 2016ରେ ସଂରକ୍ଷଣ ବା କୋଟା ଦାବି କରି ଆନ୍ଦୋଳନକୁ ଓଲ୍ହାଇଥିଲେ । ଶିକ୍ଷା, ନିଯୁକ୍ତି, ରୋଜଗାର କ୍ଷେତ୍ରରେ ମରାଠା ସଂପ୍ରଦାୟକୁ ସଂରକ୍ଷଣ ଦେବାକୁ ଦାବି କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ସଂଖ୍ୟାରେ ମରାଠାମାନେ ପ୍ରତିବାଦ କରିଥିଲେ । କେତେକ ସ୍ଥାନରେ ହିଂସା ମଧ୍ୟ ସଂଗଠିତ ହୋଇଥିଲା । ସରକାରଙ୍କ ଉପରେ ପ୍ରବଳ ଚାପ ମଧ୍ୟ ପକାଯାଇଥିଲା । ତତକାଳୀନ ଫଡନାଭିସ୍ ସରକାର ମଧ୍ୟ ଏହି ଆନ୍ଦୋଳନକୁ ନେଇ ଅଡୁଆରେ ପଡ଼ିଥିଲେ ।

ଦଶନ୍ଧିର ଆନ୍ଦୋଳନ: 2020 ପାଇଁ ଆହ୍ୱାନ

2016-2017: ଅଶାନ୍ତି କାଶ୍ମୀର:

ଅସ୍ଥିର ଉପତ୍ୟକା ଦେଖିଥିଲା 2016ରୁ 2017 ଯାଏ ଅସ୍ଥିରତାର କଳା ଅଧ୍ୟାୟ । ହିଜବୁଲ୍ ଆତଙ୍କବାଦୀ ବୁରହାନ ୱାନିର ନିହତ ପରେ ହଠାତ ଅସ୍ଥିର ହୋଇପଡ଼ିଲା କାଶ୍ମୀର । ମାସ ମାସ ଧରି ଆନ୍ଦୋଳନ, ବନ୍ଦ, ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟ ଏହି ସମୟରେ ବୃଦ୍ଧି ପାଇଥିଲା । ଆନ୍ଦୋଳନକାରୀଙ୍କ ଉପରକୁ ସେନା ଓ ପୋଲିସର ପାଲଟ ଗନ୍ ବ୍ୟବହାରକୁ ବିରୋଧ କରି ରାଜନୈତିକ ନେତାମାନେ ବି କେନ୍ଦ୍ରକୁ ଟାର୍ଗେଟ କରିଥିଲେ ।

2016: ଜେଏନୟୁ ଛାତ୍ର ବିବାଦ:

ଦିଲ୍ଲୀ ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ଦେଶ ବିରୋଧୀ ନାରା ନେଇ ବିବାଦକୁ ଆସିଥିଲେ କିଛି ବାମପନ୍ଥି ସମର୍ଥକ ଛାତ୍ର । ଆତଙ୍କବାଦୀ ଅଫଜଲ ଗୁରୁକୁ ସମର୍ଥନ କରି କାର୍ଯ୍ୟକ୍ରମର ଆୟୋଜନ ହେଉ କିମ୍ବା ଦେଶ ବିରୋଧୀ ନାରା । ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ ସେତେବେଳର ଛାତ୍ର ସଂସଦ ସଭାପତି କହ୍ନେୟା କୁମାର । ମାମଲା ସେତେବେଳେ ଅଧିକ ଜଟିଳ ହୋଇଥିଲା ଯେତେବେଳେ କହ୍ନେୟାଙ୍କ ସହ ଉମର ଖାଲିଦଙ୍କୁ ଦିଲ୍ଲୀ ପୋଲିସ ଉଠାଇ ନେଇଥିଲା । ପରେ ଏହାକୁ ନେଇ ଜେଏନୟୁ ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଛାତ୍ର ଆନ୍ଦୋଳନ ଦେଖାଦେଇଥିଲା । ଏପରିକି ଏହି ନିଆଁ କୋଲକାତାର ଜାଦବପୁର ବିଶ୍ୱବିଦ୍ୟାଳୟକୁ ବି ଡେଇଁଥିଲା ।

2017: ସାହାରଣପୁର ହିଂସା:

ଉତ୍ତର ପ୍ରଦେଶର ସାହାରଣପୁରରେ 2017ରେ ସଂଗଠିତ ହୋଇଥିଲା ହିଂସା । ଦଳିତ ଓ ରାଜପୁତଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷରେ ହିଂସାର ରୂପ ନେଇଥିଲା । ସମ୍ବିଧାନ ପ୍ରଣେତା ବି.ଆର.ଆମ୍ବେଦକର ଏବଂ ମହାରାଣା ପ୍ରତାପ ଥିଲେ ଏହି ବାଦ, ବିବାଦ, ହିଂସାର କେନ୍ଦ୍ରବିନ୍ଦୁ ।

2018: କୃଷକଙ୍କ ଦିଲ୍ଲୀ ଚଲୋ:

ଏହି ବର୍ଷ ଦିଲ୍ଲୀ ଚଲୋ ଡାକରା ଦେଇଥିଲେ ଦେଶର ଅନ୍ନଦାତା । ଚାଷୀ ସମସ୍ୟା, ଦରଦାମ ବୃଦ୍ଧି, ସାର ଓ ଉପକରଣ ଦର ବୃଦ୍ଧି ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ଦିଲ୍ଲୀ ଆସିଥିଲେ । ଚାଷୀଙ୍କ ବିରାଟ ଆନ୍ଦୋଳନକୁ ଦେଖି ଦିଲ୍ଲୀ ସମେତ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦିଲ୍ଲୀରେ ଚାଷୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।

2018: ଭିମା-କୋରେଗାଁଓ ହିଂସା:

ମହାରାଷ୍ଟ୍ର ପୁଣେ ନିକଟ ଭିମା-କୋରେଗାଁଓ ହିଂସା ଏହି ବର୍ଷ ଅଧିକ ଚର୍ଚ୍ଚାରେ ରହିଥିଲା । ଏକ ଦଳିତ କାର୍ଯ୍ୟକ୍ରମରେ ପଥର ମାଡ଼କୁ ନେଇ ଆରମ୍ଭ ହୋଇଥିବା ହିଂସା ଉଗ୍ରରୂପ ଧାରଣ କରିଥିଲା । ଏହାକୁ ନେଇ ଅନେକ ବାମପଥି ନେତା ସରକାରକୁ ସମାଲୋଚନା କରିଥିଲେ । ପରେ ପରେ ଏହି ଘଟଣା ଜାତୀୟ ରାଜନୀତି ଉପରେ ପ୍ରଭାବ ପକାଇଥିଲା । ଏହି ହିଂସା ପକେ ଅର୍ବାନ ଟେରୋରିଷ୍ଟ ଭଳି ଶବ୍ଦର ବ୍ୟବହାର ହୋଇଥିଲା । ଏପରିକି 4ରୁ 5ଜଣ ବ୍ୟକ୍ତି ବିଶେଷଙ୍କୁ କିଛି ଦିନ ପାଇଁ ଗୃହବନ୍ଦୀ କରି ରଖାଯାଇଥିଲା ।

2018: ବିଚାରପତିଙ୍କ ବିଦ୍ରୋହ:

ପ୍ରଥମ ଥର ପାଇଁ ଭାରତୀୟ ଆଇନ ଇତିହାସରେ ଏକ କଳା ଅଧ୍ୟାୟ ଥିଲା ବିଚାରପତିଙ୍କ ବିଦ୍ରୋହ । ସୁପ୍ରିମକୋର୍ଟରେ ରୋଷ୍ଟର ସହ ଅନ୍ୟ ପ୍ରସଙ୍ଗ ନେଇ ମିଡିଆ ସାମ୍ନାକୁ ଆସିଥିଲେ 5ଜଣ ବରିଷ୍ଠ ବିଚାରପତି । ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜେ. ଚଲମେଶ୍ୱର, ରଞ୍ଜନ ଗୋଗେଇ, ମଦନ ବି ଲୋକୁର, କୁରିୟନ ଯୋଶେଫଙ୍କ ପ୍ରେସ୍ ମିଟ୍ କରିଥିଲେ। ଏହି ପ୍ରେସମିଟ ରେ ଦେଶର ନ୍ୟାୟିକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଥିଲେ । ବିରୋଧୀ କଂଗ୍ରେସ ଏବଂ ଅନ୍ୟ ଦଳର ନେତାମାନେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରକୁ ଟାର୍ଗେଟ କରିଥିଲେ । ମୋଦି ସରକାର ଦେଶର ସମସ୍ତ ଅନୁଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇ କାଠ ପୁତୁଳା ଭଳି ବ୍ୟବହାର କରୁଥିବା ଅଭିଯୋଗ ଅଣାଯାଇଥିଲା ।

2019: ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ:

କୋଲକାତାରେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇପଡ଼ିଥିଲା ସ୍ୱାସ୍ଥ୍ୟସେବା । ଦୁଇଜଣ ଜୁନିୟର ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିବା ଡାକ୍ତର ଆନ୍ଦୋଳନ ଦେଶର ବିଭିନ୍ନ ପ୍ରାନ୍ତକୁ ବ୍ୟାପି ଯାଇଥିଲା । ଡାକ୍ତର ସୁରକ୍ଷା ପ୍ରସଙ୍ଗ ନେଇ ସେମାନେ ପ୍ରତିବାଦ କରିଥିଲେ । ସରକାର ତୁରନ୍ତ ସେମାନଙ୍କ ଦାବି ଶୁଣିବା ନେଇ ଜିଦ୍ ଧରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ଦାବି ଶୁଣିବା ପରିବର୍ତ୍ତେ କାର୍ଯ୍ୟରେ ଯୋଗଦେବାକୁ ତାଦିଦ କରିଥିଲେ । ପରେ ଏହି ଆନ୍ଦୋଳନ ପ୍ରଶମିତ ହୋଇଥିଲା ।

Share this story

World Odia Language Conferene