ଟି-ଟ୍ବେଣ୍ଟି ବିଶ୍ବକପରେ ଓପନିଂ କରିବେନି ବିରାଟ କୋହଲି କିନ୍ତୁ କାହିଁକି? ଜାଣନ୍ତୁ....

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା ଅକ୍ଟୋବର ୧୭ ତାରିଖରେ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଦଳରେ ୩ ଜଣ ଓପନରଙ୍କୁ ସ୍ଥାନ ଦିଆଯାଇଛି । ରୋହିତ ଶର୍ମା, ଲୋକେଶ ରାହୁଲ ଏବଂ ଯୁବ ତାରକା ଇଶାନ କିଶନଙ୍କୁ ସାମିଲ କରାଯାଇଥିବା ବେଳେ ଅଧିନାୟକ ବିରାଟ କୋହଲିଙ୍କ ନାଁ ଓପନରଙ୍କ ଲିଷ୍ଟରେ ନାହିଁ । ତେଣୁ ସେ ତୃତୀୟ କିମ୍ବା ଚତୁର୍ଥ ନମ୍ବରରେ ବ୍ୟାଟିଂ କରିପାରନ୍ତି । ପୂର୍ବରୁ କିନ୍ତୁ ଅଧିନାୟକ ବିରାଟ କୋହଲି ଟିମ ଇଣ୍ଡିଆର ଓପନିଂ କରିପାରନ୍ତି ବୋଲି ଶୁଣିବାକୁ ମିଳୁଥିଲା ।

ସୂଚନାଯୋଗ୍ୟ, ମାର୍ଚ୍ଚରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ​‌ଶେଷ ମ୍ୟାଚରେ ଓପନିଂ କରିଥିଲେ ଅଧିନାୟକ ବିରାଟ କୋହଲି । କେବଳ ଓପନିଂ ବ୍ୟାଟିଂ କରିନଥିଲେ ବରଂ ଅର୍ଦ୍ଧଶତକିୟ ଇନିଂସ ମଧ୍ୟ ଖେଳିଥିଲେ । ଏହା ପରେ ଶୁଣିବାକୁ ମିଳିଥିଲା ଯେ, ବିରାଟ କୋହଲି ହିଁ ବିଶ୍ବକପ୍‌ରେ ଓପନିଂ କରିବେ । କୋହଲିଙ୍କ ଉକ୍ତ ଇନିଂସ ବି ଚମତ୍କାର ଥିଲା ।

ତେବେ କୋହଲି ଓପନିଂ କରିବା ନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ସେ କହିଛନ୍ତି, ବିଶ୍ବକପ୍‌ରେ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ହିଁ ପ୍ରମୁଖ ଓପନର । ଏହା ସହିତ ଇଶାନ୍‌ କିଶନ ତିନି ନମ୍ବର ଓପନର ଭାବେ ଦଳରେ ସାମିଲ ଅଛନ୍ତି । ଷ୍ଟାର କ୍ରିକେଟର ଇଶାନ କିଶନ ଚଳିତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ଦିନିକିଆରେ ପଦାର୍ପଣ କରିବା ସହିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି, ଇଶାନ କିଶନ ସପନିଂ କରିବା ସହିତ ମଧ୍ୟକ୍ରମରେ ମଧ୍ୟ ଭଲ ଖେଳିପାରିବେ । ଏହା ସହିତ ବାମହାତୀ ଖେଳାଳି ହୋଇଥିବାରୁ ଦଳ ପାଇଁ ଏହା ମଧ୍ୟ ପ୍ଲସ୍‌ ପଏଣ୍ଟ । ଯଦି ପ୍ରତିପକ୍ଷ ଟିମରେ କୌଣସି ଲେଗ୍‌ ସ୍ପିନର ଥାନ୍ତି ତେବେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ଇଶାନ କିଶନ ଦଳରେ ରହିବା ଲାଭଦାୟକ ହେବ ବୋଲି ସେ କହିଛନ୍ତି ।

ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଚୟନ ହୋଇଥିବା ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ବିକେଟ୍‌ କିପର), ଇଶାନ କିଶନ (ଓ୍ବିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରାହ, ମହମ୍ମଦ ସାମୀ ଏବଂ ଭୁବନେଶ୍ବର କୁମାର

ଷ୍ଟାଣ୍ଡବାଏ ଖେଳାଳି : ଶ୍ରେୟସ୍‌ ଆୟର, ଦୀପକ ଚହର ଏବଂ ଶାର୍ଦ୍ଦୁଳ ଠାକୁର