୪୯୭/୯ରେ ପ୍ରଥମ ଇନିଂସ ଘୋଷଣା କଲା ଭାରତ, ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ଜାଣନ୍ତୁ କେତେ ୱିକେଟ ହରାଇ କେତେ ରନ୍ କରିଛି ଭ୍ରମଣକାରୀ ଦଳ

ରାଞ୍ଚି: ପ୍ରଥମ ଦିନରେ ଶତକ ଏବଂ ଦ୍ୱିତୀୟ ଦିନରେ ଦ୍ୱିଶତକ ମାରି ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା । ତାଙ୍କୁ ସାଥ୍ ଦେଇଥିବା ଆଜିଙ୍କ୍ୟ ରାହାଣେ ମଧ୍ୟ ଦମଦାର ବ୍ୟାଟିଂ କରି ଆଜି ଶତକ ହାସଲ କରିଛନ୍ତି । ଫଳରେ ଭାରତ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୪୯୭ ରନରେ ପାଳି ଘୋଷଣା କରିଛି । ଜବାବରେ ଦକ୍ଷିଣ ଆଫ୍ରିକା
 

ରାଞ୍ଚି: ପ୍ରଥମ ଦିନରେ ଶତକ ଏବଂ ଦ୍ୱିତୀୟ ଦିନରେ ଦ୍ୱିଶତକ ମାରି ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା । ତାଙ୍କୁ ସାଥ୍ ଦେଇଥିବା ଆଜିଙ୍କ୍ୟ ରାହାଣେ ମଧ୍ୟ ଦମଦାର ବ୍ୟାଟିଂ କରି ଆଜି ଶତକ ହାସଲ କରିଛନ୍ତି । ଫଳରେ ଭାରତ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୪୯୭ ରନରେ ପାଳି ଘୋଷଣା କରିଛି । ଜବାବରେ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆଜିର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୯ ରନ୍ କରିଛି । ପ୍ରଥମ ଦିନ ଭଳି ଆଜି ମଧ୍ୟ ଖରାପ ଆଲୋକ ଯୋଗୁ ଚା’ପାନ ବିରତି ପରେ ଖେଳ ବନ୍ଦ କରାଯାଇଥିଲା । ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ୧ ଓ ଜୁବେର୍ ହମଜା କୌଣସି ରନ୍ ନ କରି ଅପରାଜିତ ରହିଛନ୍ତି ।

ଭାରତ ପକ୍ଷରୁ ମହମ୍ମଦ ଶାମି ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ଏବେ ବି ଭାରତଠାରୁ ୪୮୮ ରନ୍ ପଛରେ ଥିବାବେଳେ ହାତରେ ୮ ୱିକେଟ୍ ବାକି ରହିଛି । ଏହା ପୂର୍ବରୁ ରୋହିତ୍ ରବିବାର ମଧ୍ୟାହ୍ନଭୋଜନର ତିନି ଓଭର ପରେ ଲୁଙ୍ଗି ଏନଗିଡିଙ୍କୁ ଛକା ମାରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ପୂରଣ କରିଛନ୍ତି । ତାଙ୍କ ସହ ଦ୍ୱିଶତକୀୟ ଭାଗୀଦାରି କରିଥିବା ଆଜିଙ୍କ୍ୟ ରାହାଣେ ତିନିବର୍ଷ ପରେ ଭାରତରେ ପ୍ରଥମ ଶତକ ମାରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ରୋହିତ୍ ୨୫୫ ବଲରେ ୨୮ ଚୌକା ଓ ୬ ଛକା ସହ ୨୧୨ ରନ୍ ଏବଂ ରାହାଣେ ୧୯୨ ବଲରେ ୧୭ ଚୌକା ଓ ୧ ଛକା ସହ ୧୧୫ ରନର ଇନିଂସ୍ ଖେଳିଛନ୍ତି ।

ଶେଷଭାଗରେ ରବୀନ୍ଦ୍ର ଜାଡେଜା (୫୧)ଙ୍କ ଅର୍ଦ୍ଧଶତକ ଓ ଉମେଶ ଯାଦବ (୩୧)ଙ୍କ ଦ୍ରୁତ ବ୍ୟାଟିଂ ବଳରେ ଭାରତ ୪୯୭ ରନ୍ କରିଥିଲା । ଭାରତର ବିଶାଳ ସ୍କୋର ପରେ ଦକ୍ଷିଣ ଆଫ୍ରିକାକୁ ଇନିଂସର ପ୍ରଥମ ଓଭରରେ ହିଁ ବଡ଼ ଝଟକା ଲାଗିଥିଲା । ଭଲ ଫର୍ମରେ ଥିବା ଓପନର ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ଶିକାର ହୋଇ ପାଭଲିୟନ ଫେରିଥିଲେ । ସିରିଜରେ ପ୍ରଥମଥର ପାଇଁ ଓପନ୍ କରିବାକୁ ଆସିଥିବା କ୍ୱିଣ୍ଟନ୍ ଡି’କକ୍ (୪)ଙ୍କୁ ଉମେଶ ଯାଦବ ପାଭଲିୟନ୍ ପଠାଇ ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଏହା ପରେ ଖରାପ ଆଲୋକ ଯୋଗୁ ଖେଳ ଦୁଇଘଣ୍ଟା ପୂର୍ବରୁ ବନ୍ଦ ହୋଇଥିଲା ।

ରବିବାର ଭାରତ ୨୨୪/୩ରୁ ଖେଳ ଆରମ୍ଭ କରିଥିଲା । ଗତକାଲି ଅପରାଜିତ ଥିବା ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ରାହାଣେ ଆଜି ପୁଣିଥରେ ଭ୍ରମଣକାରୀ ଦଳର ବୋଲରଙ୍କୁ ନିରାଶ କରିଥିଲେ । ରାହାଣେ ୧୬୯ ବଲରେ ନିଜର ଏକାଦଶ ଟେଷ୍ଟ ଶତକ ମାରିବାରେ ସଫଳ ହୋଇଥିଲେ । ତାଙ୍କ ପରେ ରୋହିତ୍ ମଧ୍ୟ ଜବରଦସ୍ତ ବ୍ୟାଟିଂ ଜାରି ରଖି ୧୯୯ ବଲରେ ୧୫୦ ରନ୍ ପୂରଣ କରିଥିଲେ । ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୨୬୭ ରନର ରେକର୍ଡ ପାର୍ଟନରଶିପ୍ କରିଥିଲେ । ଭାରତର ସ୍କୋର ୩୦୬ ଥିବା ବେଳେ ରାହାଣେଙ୍କୁ ଜର୍ଜ ଲିଣ୍ଡେ ଆଉଟ୍ କରିଥିଲେ । ଏହା ପରେ ରୋହିତ୍ ଓ ଜାଡେଜା ପଞ୍ଚମ ୱିକେଟ୍ ପାଇଁ ୬୪ ରନ୍ ଯୋଡ଼ିଥିଲେ । ରୋହିତ୍ ଦ୍ୱିଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ କାଗିସୋ ରବାଡାଙ୍କ ଶିକାର ହୋଇଥିଲେ । ତାଙ୍କ ଆଉଟ୍ ପରେ ଜାଡେଜା ଓ ଋଦ୍ଧିମାନ ଶହା (୨୪) ଭାରତର ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ ।

ଶାହାଙ୍କୁ ଲିଣ୍ଡେ କ୍ଲିନ୍ ବୋଲ୍ଡ କରିଥିଲେ । ପରେ ଜାଡେଜା ଅର୍ଦ୍ଧଶତକ ମାରି ଲିଣ୍ଡେଙ୍କ ବୋଲିଂର ଶିକାର ହୋଇଥିଲେ । ରବିଚନ୍ଦ୍ରନ୍ ଅଶ୍ୱିନ୍ (୧୪) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ତେବେ ଶେଷଭାଗରେ ଉମେଶ ଯାଦବ ଲିଣ୍ଡେଙ୍କୁ ୫ଟି ଆକର୍ଷଣୀୟ ଛକା ଦର୍ଶକଙ୍କ ଭରପୂର ମନୋରଞ୍ଜନ କରାଇଥିଲେ । ଉମେଶ ମାତ୍ର ୧୦ ବଲରେ ୫ ଛକା ସହ ୩୧ ରନ୍ କରିଥିଲେ । ଡେବ୍ୟୁଟାଣ୍ଟ ଶାହାବାଜ ନଦୀମ ୧ ଓ ମହମ୍ମଦ ଶାମି ୧୦ ରନ୍ କରି ଅପରାଜିତ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲିଣ୍ଡେ ୪ଟି ଓ ରବାଡା ୩ଟି ୱିକେଟ୍ ନେଇଥିଲେ ।