୧୪ରୁ କିଟ୍ ରେ ଚେସ୍‍ ମହାକୁମ୍ଭ: ସୋସିଆଲ୍‍ ଆଣ୍ଡ ଏଜୁକେସ୍‍ନାଲ୍‍ ଚେସ୍‍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

 

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ଜାନୁଆରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ କିଟ୍‍ ରେ ଅନୁଷ୍ଠିତ ହେବାକୁ ଯାଉଛି ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍‍ ଆଣ୍ଡ ଏଜୁକେସନାଲ୍‍ ଚେସ୍‍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ । ଭାରତରେ କିଟ୍‍ ରେ ପ୍ରଥମ ଥର ଲାଗି ଚେସ୍‍ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି ।

ଅନ୍ତର୍ଜାତୀୟ ଚେସ୍‍ ସଂଘ (ଏଫ୍‍ଆଇଡିଇ) ଓ ଭାରତୀୟ ଚେସ୍‍ ସଂଘ (ଏଆଇସିଏଫ୍‍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍‍ର ଏହି ମହାକୁମ୍ଭରେ ଏଫ୍‍ଆଇଡିଇର ସଭାପତି ତଥା ଋଷ୍‍ର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍‍, ଏଫ୍‍ଆଇଡିଇର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‍ ଆନନ୍ଦ, ଏଫ୍‍ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‍, ଏଆଇସିଏଫ୍‍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍‍ ଓ ଇଭେଣ୍ଟ କମିସନ୍‍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ କିଟ୍‍ ପରିସରରେ ଥିବା ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ହଲ୍‍ ଓ ଚେସ୍‍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍‍ଘାଟନ କରିବେ । ଉଭୟ କିଟ୍‍ କ୍ୟାମ୍ପସ୍‍ ଓ ହୋଟେଲ୍‍ ମେ ଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବ ।

ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍‍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍‍ ତାରକା ଯୋଗ ଦେଉଛନ୍ତି । ଏହା ସହିତ ମୋଟ ୫ହଜାର ୨ଶହ ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ହଜାର ଚେସ୍‍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ଅଚ୍ୟୁତ ସାମନ୍ତ କହିଛନ୍ତି, ଭାରତରେ କିଟ୍‍ ରେ ପ୍ରଥମ ଥର ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୌରବର ବିଷୟ । ଏହା ଦ୍ୱାରା ଓଡ଼ିଶାର ଖେଳାଳିମାନେ ବିଶେଷ ସୁଯୋଗ ପାଇବା ସହ ସେମାନଙ୍କ ପାଇଁ ଏହା ଉଦାହରଣ ହୋଇ ରହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଟ୍‍ ଓ କିସ୍‍ ଦୀର୍ଘ ଦିନରୁ ଚେସ୍‍ର ବିକାଶ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । କିସ୍‍ ରେ ସମୟକୁ ସମୟ ଅନ୍ତର୍ଜାତୀୟ ଚେସ୍‍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥାଏ ଏବଂ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ଟୁର୍ଣ୍ଣମେଣ୍ଟରେ ସବୁଠାରୁ ଅଧିକ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ।