କିଟ୍ ରେ ଚେସ୍ ମହାକୁମ୍ଭ ଉଦ୍ଯାପିତ; "ଚେସ୍ ଧୈର୍ଯ୍ୟଶୀଳ, ନିଷ୍ପତ୍ତି ନେବାର ଦକ୍ଷତା ଓ ଦାୟିତ୍ୱବୋଧ ସୃଷ୍ଟି କରିଥାଏ"
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ଜାନୁଆରୀ ୧୪ ଓ ୧୫ତାରିଖ ଦୁଇ ଦିନ ଧରି କିଟ୍ ରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଗୁରୁବାର ଉଦ୍ଯାପିତ ହୋଇଯାଇଛି । ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଏଫ୍ଆଇଡିଇ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍ ଆନନ୍ଦ ଗତକାଲି ଉଦ୍ଘାଟନ କରିଥିଲେ ।
ଆଜି ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ଫିଡେ ସଭାପତି ଆର୍କାଡି ଭୋର୍କୋଭିଚ୍ ନିୟମିତ ଅଭ୍ୟାସ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ, ଯୁବ ଖେଳାଳିମାନଙ୍କୁ ଚେସ୍ ପାଇଁ ଦିନକୁ ଅତି କମରେ ଚାରି ଘଣ୍ଟା ଦେବା ସମୟ ଦେବାକୁ ପଡ଼ିବ । ଚେସ୍ ଧୈର୍ଯ୍ୟଶୀଳ, ନିଷ୍ପତ୍ତି ନେବାର ଦକ୍ଷତା ଓ ଦାୟିତ୍ୱବୋଧ ସୃଷ୍ଟି କରିଥାଏ । ସମାଜର ସମସ୍ତ ବର୍ଗରେ ଚେସ୍କୁ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଫଳରେ ଏହାର ଲାଭ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ସେ କହିଥିଲେ ।
ପରେ ଭୋର୍କୋଭିଚ୍ କିସ୍ କ୍ୟାମ୍ପସ ପରିଦର୍ଶନ କରି କିସ୍ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । କିସ୍ ଭଳି ଏକ ସୁନ୍ଦର ଅନୁଷ୍ଠାନ ପ୍ରତିଷ୍ଠା କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେ କହିଲେ, ତୁମମାନଙ୍କୁ ଏକ ସୁନ୍ଦର ଓ ପରିପୂର୍ଣ୍ଣ କ୍ୟାମ୍ପସ ମିଳିଛି । ଏଠାରେ ଖୁସିରେ ରହି ଆଗକୁ ବଢ଼ିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଚେସ୍ ଖେଳକୁ ତୃଣମୂଳସ୍ତର ଅର୍ଥାତ ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀମାନେ ଆପଣାଇବାକୁ ସେ କହିଥିଲେ ।
ଫିଡେ ଉପ-ସଭାପତି ଓ ଲାଟଭିଆର ପୂର୍ବତନ ଅର୍ଥମନ୍ତ୍ରୀ ଦାନା ରେଜିନିସ୍ ଚେସ୍ ସହିତ ତାଙ୍କର ବ୍ୟକ୍ତିଗତ ଯାତ୍ରା ବିଷୟରେ ସୂଚନା ଦେବା ସହ କହିଲେ, ସେ ଆଠ ବର୍ଷ ବୟସରୁ ଏହି ଖେଳ ଆରମ୍ଭ କରିଥିଲେ ଏବଂ ସପ୍ତାହରେ ପ୍ରାୟ ଛଅ ଦିନ ଅଭ୍ୟାସ କରୁଥିଲେ । ଚେସ୍ ମାଧ୍ୟମରେ ବ୍ୟକ୍ତିଗତ ସ୍ଥିରତା, ଶୃଙ୍ଖଳା, ରଣନୈତିକ ଚିନ୍ତାଧାରା ଓ ମାନସିକ ଶକ୍ତି ପାଇଁ ସେ ବୃତ୍ତିଗତ ସଫଳତା ପାଇବା ସହ ତାଙ୍କର ମାନସିକ ସ୍ଥିରତା ଆସି ପାରିଛି ବୋଲି ଦାନା କହିଥିଲେ ।
ଏହି ଅବସରରେ ଫିଡେର ଏଜୁକେସନାଲ୍ ଚେସ୍ କମିଶନ ମୁଖ୍ୟ ଜେରି ନାଶ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ଜୀବନର ଜଟିଳ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ପାଇଁ ଚେସ୍ ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ । ଏହି ସମ୍ମିଳନୀ ଶିକ୍ଷା ବ୍ୟବସ୍ଥା ଓ ସମାଜ ମଧ୍ୟରେ ଚେସ୍କୁ ଅର୍ଥପୂର୍ଣ୍ଣ ଭାବରେ ରଖିବା ପାଇଁ ବିଶ୍ୱ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛି ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କ୍ରୀଡ଼ାର ବୌଦ୍ଧିକ ଓ ସାମାଜିକ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରି କହିଲେ, ଚେସ୍ ମାନସିକ କ୍ଷମତାକୁ ତୀକ୍ଷଣ କରିବା ସହ ଜ୍ଞାନ-କେନ୍ଦ୍ରିକ ବୁଦ୍ଧିମତ୍ତାର ବିକାଶ କରିଥାଏ । ଶିକ୍ଷା, ଅନ୍ତର୍ଭୁକ୍ତି ଓ ସାମାଜିକ ଉନ୍ନତି ପାଇଁ ଚେସକୁ ଏକ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିବା ପାଇଁ କିଟ୍ର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।