ଇଂଲଣ୍ଡ୍ ବିପକ୍ଷରେ ବର୍ମିଙ୍ଗ୍ହାମ୍ ଟେଷ୍ଟ୍ ଖେଳିବେ କି, ନାହିଁ ସନ୍ଦେହ
ରୋହିତ ଶର୍ମା କୋଭିଡ୍-୧୯ ପଜିଟିଭ୍

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ରୋହିତ ଶର୍ମା କୋଭିଡ୍-୧୯ ପଜିଟିଭ୍ ବାହାରିଥିବାରୁ ଲେସ୍ଟୁସାୟାର୍ସ୍ଥିତ ହୋଟେଲ୍ରେ ଏକାନ୍ତବାସ କରୁଥିବା ବେଳେ ଟିମ୍ର ବାକି ଖେଳାଳିମାନେ ସ୍ଥାନୀୟ କାଉଣ୍ଟି କ୍ଲବ୍ ବିପକ୍ଷରେ ୪ ଦିବସୀୟ ଅଭ୍ୟାସ୍ ମ୍ୟାଚ୍ ଖେଳୁଛନ୍ତି ବୋଲି ଆଜି ଦିନ ‘ଦି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍’ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ଦିନ ରୋହିତ ଶର୍ମା ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍’ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଲେସ୍ଟୁସାୟାର୍ କାଉଣ୍ଟି କ୍ଲବ୍ ବିପକ୍ଷରେ ଚାଲିଥିବା ୪ ଦିବସୀୟ ଅଭ୍ୟାସ ମ୍ୟାଚ୍ର ୩ ଦିନରେ ଖେଳିବାକୁ ଯାଇ ନ ଥିଲେ।
ସମ୍ପ୍ରତି ରୋହିତ ଇଂଲଣ୍ଡ୍ରେ ‘ବିସିସିଆଇ’ ମେଡିକାଲ୍ ଟିମ୍ର ତତ୍ତ୍ବାବଧାନରେ ଅଛନ୍ତି। ତେଣୁ, ଜୁଲାଇ ୧ ତାରିଖ ଦିନ ବର୍ମିଙ୍ଗ୍ହାମ୍ରେ ଇଂଲଣ୍ଡ୍-ଭାରତ ମଧ୍ୟରେ ଆରମ୍ଭ ହେବାକୁ ଥିବା ୫ମ ଟେଷ୍ଟ୍ ମ୍ୟାଚ୍ ଖେଳିବା ପାଇଁ ସମର୍ଥ ହେବେ କି, ନାହିଁ ସନ୍ଦେହ ଉପୁଜିଛି।
ଲେସ୍ଟୁସାୟାର୍ ବିପକ୍ଷରେ ଚାଲିଥିବା ଅଭ୍ୟାସ ମ୍ୟାଚ୍ର ପ୍ରଥମ ଇନିଙ୍ଗ୍ସ୍ରେ ରୋହିତ ଅଂଶ ଗ୍ରହଣ କରି ପ୍ରଥମ ଦିନ ୨୫ ରନ୍ ସଂଗ୍ରହ କରିଥିଲେ। କିନ୍ତୁ, ତୃତୀୟ ଦିନ ବ୍ୟାଟିଙ୍ଗ୍ କରିବାକୁ ନ ଆସିବାରୁ ଆହତ ହୋଇଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା।
ଏହାଛଡ଼ା, ଭାରତୀୟ ଟିମ୍ର ଅନ୍ୟାନ୍ୟ ଖେଳାଳିମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ।